ଜଗତସିଂହପୁର: ପାରାଦୀପ ଷଣ୍ଢକୁଦ-ଢିଙ୍କିଆ ସର୍ଚ୍ଚ ଏମ୍ବାକମେଣ୍ଟ୍ ରାସ୍ତା ନିର୍ମାଣକୁ ନେଇ ଏବେ ଏକାଧିକ ପ୍ରଶ୍ନ ସୃଷ୍ଟି ହୋଇଛି। ଏହି ନିର୍ମାଣ କାମ ପାଇଁ ତତ୍‌କାଳୀନ ଜିଲ୍ଳାପାଳ ସଂଗ୍ରାମ କେଶରୀ ମହାପାତ୍ର କରିଥିବା ନିୟମକୁ ବର୍ତ୍ତମାନ ପ୍ରଶାସନ ଭୁଲି ଯାଇଛି। ଏହି ନିର୍ମାଣ କାମରେ ଜେଏସଡବ୍ଲ୍ୟୁ ଯୋଗୁଁ ପ୍ରଭାବିତ ଅଞ୍ଚଳର ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ବ୍ୟବହାର କରିବାକୁ ତତ୍‌କାଳୀନ ଜିଲ୍ଲାପାଳ ଶ୍ରୀ ମହାପାତ୍ର ନିର୍ଦ୍ଦେଶନାମା ଜାରି କରିଥିଲେ। ମାତ୍ର ବର୍ତ୍ତମାନ ଏହି ରାସ୍ତାକୁ ଇଡ୍‌କୋ ଟେଣ୍ଡର ନେଇ ଏକ ଠିକା ସଂସ୍ଥା ଦ୍ବାରା କରାଉଛି। ଫଳରେ ଏହାକୁ ନେଇ ପ୍ରଭାବିତ ଅଞ୍ଚଳର ମହିଳାମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ଷଣ୍ଢକୁଦରୁ ଢିଙ୍କିଆର ଏହି ୬.୭ କିମି ରାସ୍ତା ନିର୍ମାଣ ପାଇଁ ଗତ ୪ ବର୍ଷ ତଳୁ ଟେଣ୍ଡର ହୋଇଥିଲା। ମାତ୍ର ବିଭିନ୍ନ କାରଣରୁ ରାସ୍ତା ନିର୍ମାଣ କାମ ବନ୍ଦ ରହିଥିଲା। ସେତେବେଳେ ଏହି ନିର୍ମାଣ କାମ ନେଇଥିବା ସଂସ୍ଥାର କିଛି ସମସ୍ୟା ହେଉ ଅବା ପରିବେଶ ମଂଜୁରୀ ନ ମିଳିବା ଯୋଗୁଁ ହେଉ, ରାସ୍ତା କାମକୁ ବନ୍ଦ ରଖାଯାଇଥିଲା। ମାତ୍ର ଏବେ ଜେଏସ୍‌ଡବ୍ଲ୍ୟୁ କାମ ଜୋରସୋର୍ ଚାଲୁଥିବାରୁ ‌ସେହି ରାସ୍ତାକୁ ତୁରନ୍ତ ଶେଷ କରିବାକୁ ନିଷ୍ପତ୍ତି ହୋଇଛି। ଜେଏସ୍‌ଡବ୍ଲ୍ୟୁ ପ୍ରକଳ୍ପ ଯଦି ହୁଏ‌, ତେବେ ଏହି ରାସ୍ତା ହିଁ ମୁଖ୍ୟ ରାସ୍ତା ହେବ। ଏଣୁ ଜେଏସ୍‌ଡବ୍ଲ୍ୟୁ ଆରମ୍ଭ ହେବା ବହୁ ପୂର୍ବରୁ ରାସ୍ତା କାମ ଶେଷ କରିବାକୁ ଯୋଜନା କରାଯାଇଛି।

Advertisment

ଏଥିପାଇଁ ଇଡ୍‌କୋ ଏହି ରାସ୍ତା ପାଇଁ ୧୯ କୋଟି ବ୍ୟୟ ବରାଦ କରିଛି। ଏହାର ଟେଣ୍ଡର କରାଯାଇ ଏକ ଠିକା ସଂସ୍ଥାକୁ ନିର୍ମାଣ ଦାୟିତ୍ବ ଦିଆଯାଇଛି। ମାତ୍ର ଯାହା ଶୁଣାଯାଉଛି ସେତେବେଳେ କାମ ନେଇଥିବା ସଂସ୍ଥା ବିରୋଧରେ ବିଭିନ୍ନ ଅଭିଯୋଗ ଆସିବାରୁ ଏଥର ଆଉ ଏକ ସଂସ୍ଥା ଜରିଆରେ ପୂର୍ବ ଠିକା ସଂସ୍ଥା ପୁଣି ଥରେ ଏହି ନିର୍ମାଣ କାର୍ଯ୍ୟ ଚାଲୁ ରଖିଛି। ମାତ୍ର ଏହି ନିର୍ମାଣ କାମରେ ବ୍ୟାପକ ଦୁର୍ନୀତି କରାଯାଉଥିବା ନେଇ ଅଭିଯୋଗ ହୋଇଛି। ମିଠାବାଲି ବଦଳରେ ସମୁଦ୍ରରୁ ଲୁଣି ବାଲି ଆଣି ରାସ୍ତା କାମ କରାଯାଉଛି। ଏ ନେଇ ସିଆରଜେଡ୍ ଆଇନର ଖୋଲା ଉଲ୍ଲଂଘନ କରାଯାଉଥିବା, ପଥର ପ୍ୟାକିଂ ମଧ୍ୟ ଠିକ୍ ଭାବେ ହେଉନଥିବା ଅଭିଯୋଗ ହୋଇଛି। ଏମିତି ଏକ ଗୁରୁତ୍ବପୂର୍ଣ୍ଣ ରାସ୍ତାରେ ଠିକା ସଂସ୍ଥାର ମନମୁଖି କାମକୁ ଇଡ‌୍‌କୋ କର୍ତ୍ତୃପକ୍ଷ କେମିତି ଏତେ ହାଲୁକା ଭାବେ ନେଉଛନ୍ତି, ତାକୁ ନେଇ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ନିର୍ମାଣ ରାସ୍ତା ପାଇଁ ଆବଶ୍ୟକ ପଡ଼ୁଥିବା ମାଲ୍ ଓ ଅନ୍ୟାନ୍ୟ ଜିନିଷର ଦାୟିତ୍ବ ଜେଏସଡବ୍ଲ୍ୟୁ ପାଇଁ ପ୍ରଭାବିତ ହେଉଥିବା ଅଞ୍ଚଳର ମହିଳା ସ୍ବୟଂସହାୟକ ଗୋଷ୍ଠୀକୁ ଦାୟିତ୍ବ ଦେବାର ଜିଲ୍ଲାପାଳ ଶ୍ରୀ ମହାପାତ୍ରଙ୍କ ଭିନ୍ନ ଲକ୍ଷ୍ୟ ଥିଲା। ଏହାଦ୍ବାରା ସେମାନେ ପ୍ରଶାସନକୁ ଭରସାକୁ ନେଇପାରିବେ ଓ ପ୍ରକଳ୍ପକୁ ସହଯୋଗ କରିବେ। ମାତ୍ର ଶ୍ରୀ ମହାପାତ୍ରଙ୍କ ଏହି ଯୋଜନାକୁ ଅଗ୍ରାହ୍ୟ କରି ଦିଆଯାଇ ଏମିତି ତରବରିଆ ଭାବେ ନିର୍ମାଣ କାର୍ଯ୍ୟ ଶେଷ କରିବା ପଛରେ ଏକ ବଡ଼ ଧରଣର ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହୋଇପଡ଼ୁଛି।