ରାୟଗଡ଼ା: ରାତି ୧୧ଟା ପର୍ଯ୍ୟନ୍ତ କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥୀ ଲିଡ୍ କରୁଥିଲେ। ବହୁ ଭୋଟ ବ୍ୟବଧାନରେ ବିଜେଡ଼ିଠୁ ଆଗରେ ଥିଲେ। କିନ୍ତୁ ମଧ୍ୟରାତ୍ରିରେ ଭୋଟ ଗଣତି କେନ୍ଦ୍ର ଆଗରୁ କର୍ମୀଙ୍କ ଭିଡ଼ କମିବା ପରେ ଏବଂ ଗଣମାଧ୍ୟମ ପ୍ରତିନିଧି ଚାଲିଯିବା ପରେ ଦାୟିତ୍ବରେ ଥିବା ସରକାରୀ ଅଧିକାରୀ ନାନା ଆଳ ଦେଖାଇ ଭୋଟ ଜାଲିଆତି କରିଛନ୍ତି। ଯାହା ବିଜେଡ଼ି ପ୍ରାର୍ଥୀଙ୍କୁ ସୁହାଇବା ସହ ବିଜେଡ଼ି ବିଜୟର ମୁଖ୍ୟ କାରଣ ହୋଇଛି। ତ୍ରିସ୍ତରୀୟ ପଞ୍ଚାୟତ ମତଦାନ ପରେ କୋରାପୁଟ ଓ ରାୟଗଡ଼ା ଜିଲ୍ଲାରେ ଚାଲିଥିବା ଭୋଟ ଗଣତି କେନ୍ଦ୍ରର ସ୍ବଚ୍ଛତାକୁ ନେଇ ଏପରି ପ୍ରଶ୍ନ ଉଠାଇଛନ୍ତି କୋରାପୁଟ ସାଂସଦ ସପ୍ତଗିରି ଉଲାକା। ଶ୍ରୀ ଉଲାକା କହିଛନ୍ତି, ଜନମତକୁ ଆମେ ସ୍ବାଗତ କରିବା ସହିତ ବିଜୟୀ ପ୍ରାର୍ଥୀଙ୍କୁ ଅଭିନନ୍ଦନ ଜଣାଉଛୁ। ହେଲେ ଯେଉଁ ସରକାରୀ ଅଧିକାରୀ ଶାସକ ଦଳର ହାତବାରିସ୍ ସାଜି ମଧ୍ୟରାତ୍ରିରେ ଭୋଟ ଜାଲିଆତି କରିଛନ୍ତି ତାଙ୍କୁ ଆମେ ଛାଡ଼ିବୁ ନାହିଁ। କଂଗ୍ରେସ ଲିଡ୍ କରୁଥିବା ବୁଥ୍ ଗୁଡ଼ିକରେ ବହୁ ଭୋଟକୁ ସରକାରୀ ଅଧିକାରୀ ଜାଣିଶୁଣି ନାକଚ କରିଛନ୍ତି। କଂଗ୍ରେସର କାଉଣ୍ଟିଂ ଏଜେଣ୍ଟଙ୍କ ପ୍ରତିବାଦକୁ ମଧ୍ୟ ସରକାରୀ ଅଧିକାରୀ ଖାତିର କରୁନାହାଁନ୍ତି। କଂଗ୍ରେସ ସପକ୍ଷରେ ଥିବା ଶହଶହ ଭୋଟକୁ ଜୋର୍ ଜବରଦସ୍ତି ସରକାରୀ ଅଧିକାରୀ ନାକଚ କରୁଛନ୍ତି। ଗୋଟିଏ ଗୋଟିଏ ଜୋନରେ କଂଗ୍ରେସର ୧୨୦୦ରୁ ଉର୍ଦ୍ଧ୍ବ ଭୋଟ ନାକଚ ହୋଇଛି। ଚନ୍ଦ୍ରପୁର, ଗୁଡ଼ାରି କଂଗ୍ରେସର ଗଡ଼।
ଏଠାରେ କଂଗ୍ରେସ ହାରିବା ଗ୍ରହଣୀୟ ନୁହେଁ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଗଣନା ଜାରି ରଖି ଶାସକ ଦଳକୁ ସୁହାଇବା ଭଳି ଭୋଟ ଗଣତି ଯୋଗୁ ଫଳାଫଳ ବିଜେଡ଼ି ସପକ୍ଷରେ ଗଲା। ସରକାରୀ ଅଧିକାରୀ କରିଥିବା ଭୋଟ ଜାଲିଆତିର ସ୍କୁଟିନିଂ ପାଇଁ କଂଗ୍ରେସ ଆବେଦନ କରିବ ବୋଲି ସପ୍ତଗିରି କହିଛନ୍ତି। ସାଂସଦ ସପ୍ତଗିରି ଆହୁରି କହିଛନ୍ତି, ଚଳିତ ନିର୍ବାଚନରେ ରାୟଗଡ଼ାରେ କଂଗ୍ରେସ ଜିଲ୍ଲା ପରିଷଦ ଗଠନ କରିବାକୁ ହକଦାର୍ ଥିଲା। ବିଜେଡ଼ି କଳବଳ କୌଶଳ ଖଟାଇ, ସରକାରୀ କଳ ଲଗାଇ, ମଦ, ମାଂସ ବାଣ୍ଟି ବିଜୟୀ ହୋଇଛି। ନିର୍ବାଚନରେ ବିଜେପିର ସୁପ୍ତତାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ସପ୍ତଗିରି। ବିଜେଡ଼ି-ବିଜେପି ମଧ୍ୟରେ ବୁଝାମଣା ଯୋଗୁ ନିର୍ବାଚନ ଲଢ଼େଇରୁ ବିଜେପି ଦୂରେଇ ଗଲା। ଯାହା ବିଜେଡ଼ି ବିଜୟୀକୁ ସହଜ କଲା ବୋଲି ସପ୍ତଗିରି କହିଛନ୍ତି। କଂଗ୍ରେସ ଏକାକି ଶାସକ ବିଜେଡ଼ି ସହ ଲଢ଼ିଲା। କଂଗ୍ରେସକୁ ଯେଉଁ ସମର୍ଥନ ମିଳିଛି ତାହା ଦଳର କର୍ମୀଙ୍କ ପାଇଁ। ରାୟଗଡ଼ାରେ କଂଗ୍ରେସ ୮ ରୁ ୯ ଜିଲ୍ଲା ପରିଷଦ ଆସନ ଦଖଲ କରିବ। କୋରାପୁଟରେ କଂଗ୍ରେସ ଭଲ ପ୍ରଦର୍ଶନ କରିଥିବାରୁ ଜିଲ୍ଲା ପରିଷଦ ଗଠନ ସୁନିଶ୍ଚିତ ବୋଲି ସପ୍ତଗିରି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/RGD_MP-Saptagiri.jpg)