ବ୍ରହ୍ମପୁର: ବ୍ରହ୍ମପୁର ଏମ୍କେସିଜି ବଡ଼ ଡାକ୍ତରଖାନା ସୁପର୍ ସ୍ପେସାଲିଟି ବ୍ଲକ୍ ପାଇଁ ଏବେ ସ୍ପେସାଲିଷ୍ଟ୍ ମିଳୁ ନାହାନ୍ତି। ରାଜ୍ୟରେ ଡାକ୍ତର ସମସ୍ୟା ରହିଥିବା ବେଳେ ସୁପର୍ ସ୍ପେସାଲିଷ୍ଟ୍ ଡାକ୍ତରଙ୍କ ଆହୁରି ଘୋର ଅଭାବ। ଏମିତିରେ ଏହି ଅତ୍ୟାଧୁନିକ ବିଭାଗରୁ ରୋଗୀଙ୍କୁ କେବେ ସେବା ମିଳିବ ସେ ସମ୍ପର୍କରେ କେହି କିଛି ସ୍ପଷ୍ଟ କରିପାରୁ ନାହାନ୍ତି। ଡାକ୍ତର ସହିତ ଅନ୍ୟାନ୍ୟ କର୍ମଚାରୀଙ୍କ ଅଭାବ ରହିଥିବା ଯୋଗୁଁ ଏହି ବ୍ଲକ କାର୍ଯ୍ୟକ୍ଷମ ହେବା ନେଇ ଅନିଶ୍ଚିତତା ଲାଗି ରହିଛି। ବଡ଼ ଡାକ୍ତରଖାନାରେ ମଧ୍ୟ ବିଭିନ୍ନ ସୁପର୍ ସ୍ପେସାଲିଟି ବିଭାଗରେ ସ୍ପେସାଲିଷ୍ଟ୍ ପଦବି ଖାଲି ପଡ଼ିଛି। ଏ ସମ୍ପର୍କରେ ଡାକ୍ତରଖାନା କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କୁ ଲିଖିତ ଆକାରରେ ଜଣାଇଛନ୍ତି। ହେଲେ ଖାଲି ପଦବି ପୂରଣ ହୋଇପାରୁ ନାହିଁ।
ବଡ଼ ଡାକ୍ତରଖାନା ପରିସରରେ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନା (ପିଏମ୍ଏସ୍ଏସ୍ୱାଇ)ରେ ତିଆରି ହୋଇଛି ସୁପର୍ ସ୍ପେସାଲିଟି ବ୍ଲକ୍। ମୋଟ ୧୫୦ କୋଟି ଟଙ୍କା ଖର୍ଚ୍ଚ (କେନ୍ଦ୍ର-୧୨୦କୋଟି, ରାଜ୍ୟ-୩୦କୋଟି)ରେ ତିଆରି ହୋଇଛି ସୁଉଚ୍ଚ ଆଖି ଝଲସାଇ ଦେବା ଭଳି ସୁପର୍ ସ୍ପେସାଲିଟି ବ୍ଲକ୍ କୋଠା। ନିର୍ମାଣ କାମ ଶେଷ ହୋଇ ପ୍ରାୟ ୧୦ ମାସରୁ ଅଧିକ ବିତିଲାଣି। ହେଲେ ଏହା କାର୍ଯ୍ୟକ୍ଷମ ହୋଇପାରୁ ନାହିଁ। ବ୍ରହ୍ମପୁର ବଡ଼ ଡାକ୍ତରଖାନା ଭିତ୍ତିଭୂମି ବିକାଶ ପାଇଁ ବହୁ ପଦକ୍ଷେପ ଗ୍ରହଣ କରାଯାଉଛି। ପୁରୁଣା କୋଠାରେ ଥିବା ବିଭାଗଗୁଡ଼ିକ ନୂତନ କୋଠାକୁ ସ୍ଥାନାନ୍ତର କରାଯାଇଛି। ରୋଗୀଙ୍କୁ ଉନ୍ନତ ମାନର ଅତ୍ୟାଧୁନିକ ଚିକିତ୍ସା ସେବା ଯୋଗାଇ ଦେବା ନିମନ୍ତେ ବଡ଼ ଡାକ୍ତରଖାନା ପାଇଁ ଗତ ୨୦୧୩ରେ ପିଏମ୍ଏସ୍ଏସ୍ୱାଇରେ ସୁପର୍ ସ୍ପେସାଲିଟି ବ୍ଲକ୍ ମଂଜୁର ହୋଇଥିଲା। ଏଲ୍ଆଣ୍ଡ୍ଟି ଏହି କୋଠା ନିର୍ମାଣ କରିଛି। କୋଠାକୁ ବିଦ୍ୟୁତ ସଂଯୋଗ ମଧ୍ୟ ସରିଛି। ଗତବର୍ଷ ନଭେମ୍ବର ମାସରେ ବଡ଼ ଡାକ୍ତରଖାନା ସଂଯୋଜକ ପ୍ରଦୀପ୍ତ ମହାପାତ୍ର ବ୍ରହ୍ମପୁର ଆସିଥିଲେ। ସେ ଡାକ୍ତରଖାନାର ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହୋଇ ସୁପର୍ ସ୍ପେସାଲିଟି ବ୍ଲକ୍କୁ ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟକ୍ଷମ କରାଯିବ ବୋଲି କହିଥିଲେ। ହେଲେ ବର୍ତ୍ତମାନ ସୁଦ୍ଧା ତାହା କାର୍ଯ୍ୟକ୍ଷମ ହୋଇପାରି ନାହିଁ।
ପିଏମ୍ଏସ୍ଏସ୍ୱାଇରେ ତିଆରି ହୋଇଥିବା ସୁପର୍ ସ୍ପେସାଲିଟି ବ୍ଲକ୍ରେ ୧୮୮ ଶଯ୍ୟା, ୬୬ଟି ଆଇସିୟୁ, ୧୦ଟି ଡାଏଲିସିସ୍ ଶଯ୍ୟା ଓ ୬ଟି ଅତ୍ୟାଧୁନିକ ଅସ୍ତ୍ରୋପଚାର କକ୍ଷ(ଓଟି) ବ୍ୟବସ୍ଥା କରାଯାଇଛି। ଏହି ବ୍ଲକ୍ରେ ବର୍ନ ଆଣ୍ଡ ପ୍ଲାଷ୍ଟିକ୍ ସର୍ଜରୀ, ନ୍ୟୁରୋଲୋଜି, ନ୍ୟୁରୋସର୍ଜରୀ, କାର୍ଡ଼ିଓଲୋଜି, ନେଫ୍ରୋଲୋଜି ଏବଂ ଏଣ୍ଡୋକ୍ରିନୋଲୋଜି ବିଭାଗ ଭଳି ସପୁର୍ ସ୍ପେସାଲଟି ବିଭାଗ ରହିବ। ଏସବୁ ସୁବିଧା ନଥିବାରୁ ରୋଗୀ ବିଭିନ୍ନ ଘରୋଇ ନର୍ସିଂହୋମ୍ ଏବଂ ବିଶାଖାପାଟଣାର ଘରୋଇ ହସ୍ପିଟାଲ ଉପରେ ନିର୍ଭର କରୁଛନ୍ତି। ବଡ଼ ଡାକ୍ତରଖାନାରେ ତିଆରି ହୋଇଥିବା ସୁପର୍ ସ୍ପେସାଲଟି ବ୍ଲକ୍ କାର୍ଯ୍ୟକ୍ଷମ ହେଲେ ଏଠାରୁ ରୋଗୀ ଏ ସମସ୍ତ ସେବା ପାଇବେ। କିନ୍ତୁ ତାହା କେବେ କାର୍ଯ୍ୟକ୍ଷମ ହେବ ସେ ଦିଗରେ କିଛି ସ୍ପଷ୍ଟ ସୂଚନା ମିଳୁ ନାହିଁ। ଏ ସମ୍ପର୍କରେ ବଡ଼ ଡାକ୍ତରଖାନା ଅଧୀକ୍ଷକ ପ୍ରଫେସର ସନ୍ତୋଷ କୁମାର ମିଶ୍ର କହନ୍ତି, ବର୍ତ୍ତମାନ ସୁପର୍ ସ୍ପେସାଲିଟି ବ୍ଲକ୍ରେ ଯନ୍ତ୍ରପାତି ଖଞ୍ଜା ଚାଲିଛି। ଆବଶ୍ୟକ ଡାକ୍ତର ଓ କର୍ମଚାରୀ ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କୁ ଚିଠି କରାଯାଇଛି। ସମସ୍ତ ସୁବିଧା ଉପଲବ୍ଧ ହେଲେ ସୁପର୍ ସ୍ପେସାଲିଟି ବ୍ଲକ୍ କାର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି।