ନବରଙ୍ଗପୁର: ଦଶମ ଶ୍ରେଣୀ ପରୀକ୍ଷା ଆରମ୍ଭ ହେବାର କିଛି ସମୟ ପୂର୍ବରୁ ଓ ପରେ ନବରଙ୍ଗପୁର ଜିଲ୍ଲାରେ ମୋବାଇଲରୁ ମୋବାଇଲକୁ ହିନ୍ଦୀ ଓ ସଂସ୍କୃତର ପ୍ରଶ୍ନ ଓ ଉତ୍ତର ଘୁରି ବୁଲିଛି। ନବରଙ୍ଗପୁର ବ୍ଲକ ବିକ୍ରମପୁର ପରୀକ୍ଷା କେନ୍ଦ୍ରର ବାହାରେ ପ୍ରଶ୍ନ ଓ ଉତ୍ତର ଘୁରି ବୁଲୁଥିବା ଅଭିଯୋଗ ହୋଇଛି। କୁହାଯାଉଛି ଯେ, କିଛି ଯୁବକ ବିଦ୍ୟାଳୟର ପଛପାଖ ପାଚେରୀ ନଥିବାର ସୁଯୋଗ ନେଇ ପଛ ପଟେ ପଶିଥିଲେ। ଗଣମାଧ୍ୟମ ପ୍ରତିନିଧିମାନେ ବିଦ୍ୟାଳୟ ବାହାରେ ଓ ପଛପଟେ ରହି ଭିଡିଓ ଉତ୍ତୋଳନ ପରେ ସେମାନେ ଚାଲି ଯାଇଥିଲେ। ଅନ୍ୟପଟରେ ପରୀକ୍ଷା କେନ୍ଦ୍ରର ସୁପରିଟେଣ୍ଡେଣ୍ଟ ତଥା ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ମହାପାତ୍ର ବିଦ୍ୟାଳୟ ବାହାରକୁ ଆସି ଏହି କେନ୍ଦ୍ରରୁ ପ୍ରଶ୍ନ ପତ୍ର ଓ ଉତ୍ତର ଲିକ ବା ଭାଇରାଲ ହୋଇନଥିବା କହିଛନ୍ତି।
ବିକ୍ରମପୁର କେନ୍ଦ୍ରରେ ଚଟାହାଣ୍ଡି, ସନମାସିଗାଁ, ବଡ଼ମସିଗାଁ, ଡଙ୍ଗରିଗୁଡା ହାଇସ୍କୁଲର ଛାତ୍ରୀ ଛାତ୍ର ଆସି ପରୀକ୍ଷା ଦେଉଛନ୍ତି। ତେବେ ମଙ୍ଗଳବାର ପ୍ରଶ୍ନପତ୍ର ସକାଳ ୬ ଟା ୧୦ରେ ପରୀକ୍ଷା କେନ୍ଦ୍ରକୁ ପହଞ୍ଚିଥିଲା। ଡେପୁଟି ସୁପରିଟେଣ୍ଡେ ସଂଗ୍ରାମ କେଶରୀ ସାମଲ ପ୍ରଶ୍ନପତ୍ର ଗ୍ରହଣ କରିଥିଲେ। ତେବେ ପ୍ରଶ୍ନ ଓ ଉତ୍ତର ପତ୍ର ବିକ୍ରମପୁର ପରୀକ୍ଷା କେନ୍ଦ୍ର ବାହାରେ ଘୁରିବୁଲୁଥିବା ନେଇ ବାହାରେ ଚର୍ଚ୍ଚା ହେବା ପରେ ଏହାର ସତ୍ୟାସତ୍ୟ ଜାଣିବା ପାଇଁ ସାଢ଼େ ୯ ଟାରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ଉକ୍ତ ସେଣ୍ଟରରେ ପହଞ୍ଚି ତଦନ୍ତ କରିଥିଲେ। ପରୀକ୍ଷା ପରେ ଜିଲ୍ଲା ଶିକ୍ଷାଧିକାରୀ ଭାଇରଲ ହେଉଥିବା ହିନ୍ଦୀ ପ୍ରଶ୍ନପତ୍ର ମେଳ ଖାଉଥିବା କହିଥିବା ବେଳେ ପ୍ରଶ୍ନ ପତ୍ର ଉକ୍ତ ସେଣ୍ଟରରୁ ଭାଇରଲ ହୋଇନଥିବା କହିଛନ୍ତି। ପରୀକ୍ଷା ସରିବା ପରେ ପ୍ରଧାନ ଶିକ୍ଷୟିତ୍ରୀ ସମେତ ସମସ୍ତ କର୍ମଚାରୀଙ୍କ ମୋବାଇଲ ଯାଞ୍ଚ କରିଥିଲେ ବୋଲି କହିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ। ତଦନ୍ତ ବେଳେ ଜିଲ୍ଲା ବିଜ୍ଞାନ ସୁପ୍ରଭାଇଜର ଚତ୍ତରଂଜନ ପଟ୍ଟନାୟକ ଉପସ୍ଥିତ ଥିଲେ।
ଅନ୍ୟପଟେ ସଂସ୍କୃତ ଉତ୍ତର ଖାତା ବିଷୟରେ ତଦନ୍ତ ଚାଲିଛି। ଏନେଇ ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ମହାପାତ୍ରଙ୍କୁ ପଚାରିବାରୁ ଏଠାରେ ସମସ୍ତଙ୍କ ମୋବାଇଲ ବନ୍ଦ ରଖାଯାଇଥିଲା ବୋଲି ସେ କହିଛନ୍ତି। ଏଠାରୁ ପ୍ରଶ୍ନ ପତ୍ର ଲିକ କିମ୍ବା ଭାଇରାଲ ହୋଇନାହିଁ ବୋଲି ସେ ଦୃଢ଼ତାର ସହିତ କହିଛନ୍ତି। ବିଦ୍ୟାଳୟ ପରିସରକୁ ବାହାର ଯୁବକମାନେ ପଶିଥିଲେ କଣ ପାଇଁ ବୋଲି ପ୍ରଶ୍ନ କରିବାରୁ ସେ ଏହାକୁ ଖଣ୍ଡନ କରିଛନ୍ତି। ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ କହିଛନ୍ତି ଏ ଘଟଣାକୁ ନେଇ ତଦନ୍ତ ଚାଲିଛି। ତେବେ ନବଙ୍ଗପୁର ଜିଲ୍ଲାରୁ ପ୍ରଶ୍ନ ପତ୍ର ଓ ଉତ୍ତର ଲିକ ବା ଭାଇରାଲ ହୋଇନଥିବା କହିଛନ୍ତି। ମୋବାଇଲ ଗୁଡିକ ଯାଞ୍ଚ କରାଯାଇଛି। ତେବେ ଏହାଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଏନେଇ ଅଧିକ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ନବରଙ୍ଗପୁର ଥାନାରେ ଏତଲା ଦିଆଯିବ ବୋଲି କହିଛନ୍ତି। ତେବେ ପ୍ରଶ୍ନ ଓ ଉତ୍ତର ପତ୍ର ରାଜ୍ୟର କେଉଁ କେନ୍ଦ୍ରରୁ ପ୍ରଘଟ ହୋଇଛି ତାହା ଜଣାପଡିନଥିଲେ ମଧ୍ୟ ପରୀକ୍ଷା ସମୟର କିଛି ସମୟ ପୂର୍ବରୁ ଓ ପରେ କିପରି ଭାବେ ପ୍ରଶ୍ନ ଓ ଉତ୍ତର ବାହାରକୁ ଆସିଥିଲା ତାହା ତଦନ୍ତ ସାପେକ୍ଷ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/WhatsApp-Image-2023-03-14-at-8.40.11-PM.jpeg)