ହାତ ହରାଇ ହାତ ପାତି ନାହାନ୍ତି ରବି, ଚା’ ଦୋକାନରୁ ମେଣ୍ଟୁଛି ଗୁଜୁରାଣ

ମହାକାଳପଡା: ଅଳାଇଲୋ ପଂଚାୟତ ବବକରପୁର ଗ୍ରାମର ରବି ମିଶ୍ର (୫୦)। ପିଲା ଦିନୁ ଗୋଟିଏ ହାତ ହରାଇଥିଲେ ବି କାହା ପାଖେ ହାତ ପତାଇ ନାହାନ୍ତି। ଆଜି ପର୍ଯ୍ୟନ୍ତ କାହା ଉପରେ ନିର୍ଭର ନକରି ନିଜ କାମ ନିଜେ କରି ଆସିଛନ୍ତି। ନିଜ ଗୋଡ଼ରେ ନିଜେ ଛିଡ଼ା ହୋଇଛନ୍ତି। ଅଦମ୍ୟ ଇଚ୍ଛାଶକ୍ତି ତାଙ୍କୁ ଦି’ ପଇସା ରୋଜଗାର କରିବାକୁ ବାଟ ଦେଖାଇଛି। ଅନ୍ୟ ଭିନ୍ନକ୍ଷମମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ସେ। ଏକ ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ରବି। ତିନି ଭଉଣୀ ଓ ତିନି ଭାଇଙ୍କ ମଧ୍ୟରେ ସେ ଥିଲେ ସାନ।ବାପା ରାଧାଶ୍ୟାମ ମିଶ୍ରଙ୍କ କୈାଣସି ଜମିବାଡି ନଥିଲା। ସେ ବହୁ କଷ୍ଟରେ ପରିବାର ଚଳାଉଥିଲେ। ରବିଙ୍କୁ ଯେତେବେଳେ ୧୦ ବର୍ଷ ହୋଇଥିଲା ସେ ରୋଜଗାର କରିବାକୁ ଘରୁ ଗୋଡ କାଢିଥିଲେ। ନିଜ ଗାଁଠାରୁ କିଛି ଦୂରରେ ଥିବା ଏକ ଚାଉଳ କଳକୁ ଯାଇ ସେଠାରେ ଧାନ ପେଶିବାକୁ ଆସୁଥିବା ଲୋକଙ୍କୁ ସାହାଯ୍ୟ କରୁଥିଲେ। କାହାର କୁଣ୍ତା ଗୋଟାଇ ଦେଉଥିଲେ ତ ଆଉ କାହାର ମୁଣ୍ତକୁ ଚାଉଳ ବୋଝ ଟେକି ଦେଉଥିଲେ। ଏତିକିରେ ଖୁସି ହୋଇ ଲୋକମାନେ ତାଙ୍କୁ ମୁଠି ଚାଉଳ ଆକାରରେ ଚାଉଳ ଦେଉଥିଲେ। ରବି ସନ୍ଧ୍ୟାରେ ସେହି ଚାଉଳକୁ ବ୍ୟାଗରେ ଭର୍ତ୍ତି କରି ଘରକୁ ଫେରୁଥିଲେ।

୧୯୮୨ ମସିହା ବିଷୁବ ସଂକ୍ରନ୍ତି ଦିନ ତାଙ୍କ ପାଇଁ ଯେ ଏକ କାଳ ଦିନ ଆସିବ ସେ କଥା ସେ ଜାଣି ନଥିଲେ। ପ୍ରତିଦିନ ଭଳି ସେ ଦିନ ମଧ୍ୟ ରବି ଚାଉଳ କଳକୁ କାମ କରିବାକୁ ଯାଇଥିଲେ। ତେବେ ସେଠାରେ ଚାଉଳ କଳରେ ତାଙ୍କର ବାମ ହାତ ଫସି ଯିବାରୁ କାନ୍ଧ ନିକଟରୁ କଟିଯାଇଥିଲା। ସେତେବେଳେ ତାଙ୍କୁ ଡାକ୍ତରଖାନା ନେବା ପରିବାର ପକ୍ଷେ ସମ୍ଭବ ନ ଥିବାରୁ ରାଜଗଡଠାରେ ଘରୋଇ ଡାକ୍ତରଙ୍କ ନିକଟରେ ଚିକିତ୍ସା କରାଇଥିଲେ। ସୈାଭାଗ୍ୟକୁ ରବି ସେଠାରେ ଆରୋଗ୍ୟ ହେଲେ ସତ କିନ୍ତୁ ତାଙ୍କର ବାମ ହାତଟିକୁ ସମ୍ପୂର୍ଣ୍ଣ ଭାବେ ହରାଇଥିଲେ। ଇତିମଧ୍ୟରେ ରବିଙ୍କୁ ୫୦ ବର୍ଷ ଛୁଇଁଛି। ତାଙ୍କର ଆର୍ଥିକ ଦୂରବସ୍ଥା ଲାଗି ରହିଛି। ସେ ବିବାହ କରି ନ ଥିବା ବେଳେ ନିଜର ଭାଇମାନଙ୍କ ସହିତ ଯୌଥ ପରିବାରରେ ବାସ କରୁଛନ୍ତି। ହେଲେ ସେ କାହା ଉପରେ ବୋଝ ହେବାକୁ ଚାହିଁ ନାହାଁନ୍ତି। ଗାଁ ଛକରେ ଏକ ଚା’ ଦୋକାନ କରି ଗୁଜୁରାଣ ମେଣ୍ଟାଉଛନ୍ତି। ଖାଲି ସେତିକି ନୁହେଁ, ଭାଇଙ୍କ ପରିବାରକୁ ମଧ୍ୟ ସହଯୋଗ କରୁଛନ୍ତି। ନିଜର ଭିନ୍ନକ୍ଷମତା ଆଗରେ ରବି କେବେ ବି ହାର ମାନି ନଥିବା ବେଳେ ଅନ୍ୟ ଭିନ୍ନକ୍ଷମ ଓ ବେକାର ଯୁବକମାନଙ୍କ ପାଇଁ ସେ ଯେ ଉଦାହରଣ ପାଲଟିଛନ୍ତି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।

ସମ୍ବନ୍ଧିତ ଖବର