ରାୟଗଡା: ରାୟଗଡ଼ା ଜିଲ୍ଲାରେ ଆଜି ଠାରୁ ରବି ମଣ୍ଡି ଆରମ୍ଭ ହୋଇଛି। ଚଳିତ ରବି ମଣ୍ଡିରେ ପ୍ରଥମ ପର୍ଯ୍ୟାୟରେ ଚାଷୀଙ୍କ ଠାରୁ ୧୧, ୫୦୦ କ୍ବିଣ୍ଟାଲ ଧାନ ଖରିଦ ନେଇ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଆଜି ରାୟଗଡା ସ୍ଥିତ ବଜାର ନିୟନ୍ତ୍ରିତ କମିଟି ପରିସରରେ ଆୟୋଜିତ ମଣ୍ଡି ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ଭୀମସେନ ପ୍ରଧାନ ଉପସ୍ଥିତ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଯୋଗାଣ ଅଧିକାରୀ ରାଜକିଶୋର ପାଣିଗ୍ରାହୀ, ବଜାର ନିୟନ୍ତ୍ରିତ କମିଟିର ସମ୍ପାଦକ ବିପିନ ବିହାରୀ ସ୍ବାଇଁ, ଏସିଏସଓ ହିମାଂଶୁ ଭୋଇ ସମେତ ଯୋଗଣ ବିଭାଗ ଏବଂ ଆରଏମସି କାର୍ଯ୍ୟାଳୟର କର୍ମଚାରୀ ଏବଂ ଚାଷୀ ଉପସ୍ଥିତ ଥିଲେ।

Advertisment

ଜିଲ୍ଲାର ବିଷମକଟକ ଲ୍ୟାମ୍ପରେ ମାତ୍ର ୪ ଜଣ ଚାଷୀ ନିଜ ନାମ ପଞ୍ଜୀକରଣ କରିଥିବା ବେଳେ ଗୁଡାରୀ ଲ୍ୟାମ୍ପସରେ ୩୦ ଜଣ, ଗୁଣୁପୁର ଲ୍ୟାମ୍ପସରେ ୮ ଜଣ, କଲ୍ୟାଣସିଂହପୁର ଲ୍ୟାମ୍ପସରେ ୩ ଜଣ, କୋଲନରା ଲ୍ୟାମ୍ପସରେ ୪ ଜଣ, ମୁନିଗୁଡା ଲ୍ୟାମ୍ପସରେ ୨୯ ଜଣ, ରାମନାଗୁଡା ଲ୍ୟାମ୍ପସରେ ୧୫୩ ଜଣ, ରାୟଗଡା ଲ୍ୟାମ୍ପସରେ ୨୧ ଜଣ ଏବଂ ରାୟଗଡା ଏମପିସିରେ ୨୫ ଜଣ ଚାଷୀ ନିଜ ନାମ ପଞ୍ଜୀକରଣ କରିଛନ୍ତି। ତେବେ ଜିଲ୍ଲାରେ ୯ଟି ଲ୍ୟାମ୍ପସରେ ମୋଟ ୨୭୭ ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି। ତେବେ ଆଜି ରାୟଗଡା ମଣ୍ଡିରେ ଜଣେ ବି ଚାଷୀ ନିଜର ଧାନ ବିକ୍ରି କରିବାକୁ ଆସି ନଥିବା ଦେଖିବାକୁ ମିଳିଥିଲା। ବହୁ ଚାଷୀ ଏବେ ବି ଟୋକେନ ପାଇ ନଥିବାରୁ ନିଜର ଧାନ ବିକ୍ରି କରିବାରେ ଅସୁବିଧା ସମ୍ମୁଖୀନ ହେବେ ବୋଲି କୁହାଯାଇଛି। ଜିଲ୍ଲାରେ ଚାଷୀ ଧାନ ଚାଷ କରିବାକୁ ଏକ ପ୍ରକାର ପସନ୍ଦ କରୁନଥିବା ବେଳେ କପା ଚାଷ ପ୍ରତି ଆକୃଷ୍ଟ ହେଉଛନ୍ତି। ତେଣୁ ଚଳିତବର୍ଷ ଲ୍ୟାମ୍ପସ ମାନଙ୍କରେ ତିନି ଚାରି ଜଣ ଲେଖାଏଁ ଚାଷୀ ନିଜ ନାମ ପଞ୍ଜୀକରଣ କରିଛନ୍ତି। ଯାହାକୁ ନେଇ ଚିନ୍ତା ମଧ୍ୟ ବଢାଇଛି।