ଜୟପୁର: ଜୟପୁର ବିଧାନସଭା ନିର୍ବାଚନମଣ୍ଡଳୀସ୍ତରୀୟ ୨୭ତମ ବିଜୁ ଜନତା ଦଳର ପ୍ରତିଷ୍ଟା ଦିବସରେ ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ ଯୋଗ ଦେଇ ଗର୍ଜିଛନ୍ତି। ୧୪ମିନିଟର ଭାଷଣ ଦେଇ ଜୟପୁର ବିଧାୟକଙ୍କୁ ସିଧାସଳଖ ଟାର୍ଗେଟ କରିଥିଲେ। ଆସନ୍ତା ନିର୍ବାଚନରେ ବିଜେଡି ପ୍ରାର୍ଥୀ ୪୦ହଜାର ଭୋଟରେ ଜିତିବେ ବୋଲି ଖୋଲା ଚାଲେଂଜ କରିଥିଲେ। ଆମେ ବିଜୟ ବି ଦେଖିଛୁ ପରାଜୟ ବି ଦେଖିଛୁ। ପରାଜୟର ୧୦ବର୍ଷ ପରେ ଆମେ ସବୁ ଏବେ ସମ୍ପୂର୍ଣ୍ଣ ସଂଗଠିତ। ରାଜ୍ୟରେ ଥିବା ୧୪୭ଟି ନିର୍ବାଚନମଣ୍ଡଳୀରେ ବିଜେଡିର ସଂଗଠନରେ ହିଞଳିକାଟୁ ନମ୍ବର ୧ରେ ଥିବା ବେଳେ ଜୟପୁର ଦ୍ବିତୀୟରେ ବୋଲି କହି କର୍ମୀଙ୍କୁ ଉତ୍ସାହିତ କରିଥିଲେ। ବ୍ଲକର ଗାଁ ଓ ସହରର ବୁଥ କମିଟିର ସଭ୍ୟମାନେ ସକ୍ରିୟ ହୋଇ ପ୍ରତିଶୋଧ ନେବା ବୋଲି କହିଥିଲେ। ଆରାଧ୍ୟ ଦେବତା ଜଗନ୍ନାଥଙ୍କୁ ଅଶୋଭନୀୟ ଭାଷାରେ ସମ୍ବୋଧିତ କରିବା ସହ ମହିଳାଙ୍କୁ ଅସମ୍ମାନ ସୂଚକ ମନ୍ତବ୍ୟ ବିଧାୟକ ସଭାଗୁଡିକରେ କହିବା ଦଳମତ ନିର୍ବିଶେଷରେ ସମସ୍ତଙ୍କର ହୃଦୟକୁ ବାଧିଛି। ଏହାର ପ୍ରତିଶୋଧ ଆମେ ସବୁ ନେବାକୁ ପଡ଼ିବ ଏଣୁ ସେ ବଜ୍ର ଶପଥ ନେଉଥିବା କହିବା ସହ ବିଜୁ ଜନତା ଦଳକୁ ୨୦୨୪ରେ ଜୟପୁରରେ ଜିତାଇବୁ ବୋଲି ପୂର୍ବତନ ମନ୍ତ୍ରୀ ଶ୍ରୀ ନନ୍ଦ କହିଥିଲେ।

Advertisment

ଆସନ୍ତା ୩ତାରିଖରୁ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଆରମ୍ଭ କରି ବିଜୁଜନତା ଦଳ ପ୍ରତି ଲୋକେ କେତେ ଆକୃଷ୍ଟ ସେ ନେଇ ମତସଂଗ୍ରହ କରିବାକୁ ପୂର୍ବତନ ମନ୍ତ୍ରୀ ପରାମର୍ଶ ଦେଇଥିଲେ । ସେହିପରି ବ୍ଲକ ଉପାଧ୍ୟକ୍ଷ ଗଣେଶ ପାଢ଼ୀ, ଟୁନା ରଥ, ଆରକୁଲୁ ଶ୍ରୀନୁ ଦଳରେ ଥିବା ଶତ୍ରୁମାନଙ୍କୁ ଚିହ୍ନିବାକୁ କହିଥିଲେ। ଦଳରେ ରହି ନିର୍ବାଚନ ସମୟରେ ଦଳର ପ୍ରାର୍ଥୀଙ୍କୁ ହରାଇବାରେ ପ୍ରମୁଖ ଭୁମିକା ନିଭାଉଥିବା ନେତା ଓ କର୍ମୀଙ୍କୁ ଦୂରେଇ ରଖିବାକୁ ଏମାନେ ମତ ପ୍ରକାଶ କରିଥିଲେ। ଦଳ ଆମ ସମସ୍ତଙ୍କର। କାହାରିକୁ ବାହାର କରିବା କ୍ଷମତା ମୋର ନାର୍ହି କି କାହାର ନାହିଁ, କିଛି ଭୁଲ ଭଟକା କରୁଛି ତାହାକୁ ସୁଧାରିବାକୁ ପଢ଼ିବ ବୋଲି ପୂର୍ବତନ ମନ୍ତ୍ରୀ ଶ୍ରୀ ନନ୍ଦ କହିଥିଲେ। ତେବେ ଏହା ପରୋକ୍ଷରେ କିଛି ନେତା ଓ କର୍ମୀଙ୍କ ଉଦ୍ଦେଶ୍ୟରେ ରହିଥିଲା କି ବୋଲି କର୍ମୀ ମହଲରେ ଚର୍ଚ୍ଚା ଜୋର ଧରିଛି। ମଂଚକୁ ଶ୍ରୀ ନନ୍ଦ ସଂଯୋଜନା କରିଥିଲେ। ବରିଷ୍ଠ ନେତ୍ରୀ ଡଃ ଇନ୍ଦିରା ନନ୍ଦ, ଯୁବ ନେତା ସୁବାସ ରାଉତ, ଦୁର୍ଗା ପ୍ରସାଦ ମିଶ୍ର, ସନ୍ତୋଷ ମିଶ୍ର, ଶିବ ପଟ୍ଟନାୟକ, ବିନୋଦ ପାତ୍ର, କେ.ନାଗରାଜ ଦୋରା, ଯୋଗ ଦେଇ ରାଜ୍ୟରେ ବିଜେଡି ଶାସନରେ ରହିଥିଲେ ହେଁ ଗତ ୧୦ବର୍ଷ ମଧ୍ୟରେ ଯେଭଳି ନିର୍ବାଚନମଣ୍ଡଳୀର ସମ୍ପୂର୍ଣ୍ଣ ବିକାଶ ହେବା କଥା ହୋଇ ପାରିନି । ଆଜି ବି ବହୁ ଗାଁକୁ ରାସ୍ତା, ପାନୀୟ ଜଳ, ବିଦ୍ୟୁତ ସଂଯୋଗ ହୋଇପାରିନଥିବା ବେଳେ ବହୁ ହିତାଧିକାରୀ ପକ୍କାଘର, ଭତ୍ତା ଆଦିରୁ ବଂଚିତ ବୋଲି କହିଥିଲେ। ବିଜେଡି ମହିଳା ମୋର୍ଚ୍ଚା ରାଜ୍ୟ ଉପସଭାନେତ୍ରୀ ତଥା ପୌର ଉପାଧ୍ୟକ୍ଷା ବି.ସୁନିତା, ଡ.ଭି.ଗାୟତ୍ରୀ ଦେବୀ, ବିନ୍ଦୁରାଣୀ ମିଶ୍ର, ଶିଳ୍ପା ପାଣି, ମହେନ୍ଦ୍ର ଅଧିକାରୀ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ଦିଗରେ କର୍ମୀ ମାନେ ସଂଗଠିତ ହେବାକୁ ଆହ୍ବାନ ଦେଇଥିଲେ। ଶେଷରେ ନଗର କାର୍ଯ୍ୟକାରୀ ସଭାପତି ସହଦେବ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।