ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାସ୍ତରୀୟ ଧାନ କ୍ରୟ କମିଟିର ନିଷ୍ପତ୍ତି ଅନୁସାରେ ରବି ଧାନକିଣା ଆରମ୍ଭ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ ଶୁକ୍ରବାର ବଲାଙ୍ଗୀର ଉପଖଣ୍ଡ ଝାଙ୍କରପାଲି ପେକ୍ସରେ ମଣ୍ଡି ଆରମ୍ଭ କରିଛନ୍ତି। ଜିଲ୍ଲାରେ ଆଜିଠାରୁ ୯୩ଟି ପେକ୍ସ ଓ ୧୧ଟି ମହିଳା ଏସ୍ଏଚ୍ଜି ଜରିଆରେ ଧାନ କିଣାଯିବ। ଚଳିତ ରବି ବିପଣନ ବର୍ଷ ସକାଶେ ସାଧାରଣ ଏଫ୍ଏକ୍ୟୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ଵିଣ୍ଟାଲ ପ୍ରତି ୨୦୪୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଗ୍ରେଡ-ଏ ଏଫ୍ଏକ୍ୟୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପ୍ରତି ୨୦୬୦ ଟଙ୍କା ଧାର୍ଯ୍ୟ କରାଯାଇଛି।
ଝାଙ୍କରପାଲି ପେକ୍ସରେ ଧାନକିଣା ଶୁଭାରମ୍ଭ କାର୍ଯ୍ୟକ୍ରମ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ମୀର ରାଜା ଅଲ୍ଲୀ, ସମବାୟ ସମିତି ଉପ ନିବନ୍ଧକ ଦମୟନ୍ତୀ ସିଂହଙ୍କ ସମେତ ଯୋଗାଣ, ସମବାୟ, ନିୟନ୍ତ୍ରିତ ବଜାର କମିଟି, ପେକ୍ସର ଅଧିକାରୀ ଓ କର୍ମଚାରୀ ଏବଂ ଚାଷୀମାନେ ଉପସ୍ଥିତ ଥିଲେ। ଚଳିତ ରବି ବର୍ଷ ପାଇଁ ଜିଲ୍ଲାରେ ୭୩୧୦ ଜଣ ଚାଷୀ ଧାନ ବିକ୍ରୟ କରିବାକୁ ପଞ୍ଜୀକରଣ କରିଛନ୍ତି।