ଖୋର୍ଦ୍ଧାରେ ଗାଡ଼ିଚୋର ରାକେଟ୍: ମାମଲା ରଫାଦଫା ପାଇଁ ଉଦ୍ୟମ

ଖୋର୍ଦ୍ଧା: ମାର୍ଚ୍ଚ ଶେଷ ସପ୍ତାହରେ ରାଜପଥ ଲୁଟରେ ଗ୍ୟାଙ୍ଗର କେତେକ ସଦସ୍ୟ ଟାଉନ୍ ଥାନା ପୁଲିସ ହାତରେ ଧରା ପଡ଼ିଥିଲେ। ଗତକାଲି ଜରିପୁଟ ଜଙ୍ଗଲରୁ ବିସ୍ଫୋରକ ଓ ଜାଲ ନମ୍ବର ଗାଡ଼ି ଜବତ ପରେ, ଏହି ମାମଲାରେ ପୁଲିସର ତଦନ୍ତ ଯେତେ ଆଗକୁ ବଢ଼ୁଛି ଗ୍ୟାଙ୍ଗର ଗୁମର ସେତେ ଖୋଲିବାକୁ ଲାଗୁଛି। ଏନେଇ ଅନେକ ତଥ୍ୟ ଉପରେ ପୁଲିସ ମୁହଁ ଖୋଲୁ ନଥିବା ବେଳେ ମାମଲାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଖସାଇବାକୁ ପୁଲିସ ଉପରେ ଚାପ ପଡ଼ୁଥିବା ଜଣାଯାଇଛି।

ମିଳିଥିବା ସୂଚନାନରେ, କିଛି ଦିନ ପୂର୍ବେ ଶରଧାପୁର ଓ ଗତକାଲି ଜରିପୁଟର ଏକ ଜଙ୍ଗଲରୁ ଦୁଇଟି ଜାଲ ନମ୍ବର ଥିବା ମୋଟରସାଇକଲ ଓ ସ୍କୁଟି ଜବତ କରିବା ସହ କାଳୁ ସାମନ୍ତରାୟକୁ ପୁଲିସ ଗିରଫ କରିବା ପରେ ଏହି ଗ୍ୟାଙ୍ଗର ଗୁମର ଖୋଲିବା ଆରମ୍ଭ ହୋଇଛି। ଲୁଟେରା ଗ୍ୟାଙ୍ଗର ସଦସ୍ୟ ମାନେ ପୁଲିସକୁ ଚକମା ଦେବାକୁ ଲୁଟ ଆଦିରେ ଜାଲ ନମ୍ବର ବ୍ୟବହାର କରୁଥିଲେ। ଏହାପରେ ଲୁଟରେ ବ୍ୟବହୃତ ଉକ୍ତ ଗାଡ଼ି ଗୁଡ଼ିକୁ ବିକ୍ରି କରି ଦେଉଥିଲେ। ଏହି ରାକେଟରେ ଜଟଣୀର ଏକ ଗଣମାଧ୍ୟମ ସଂସ୍ଥାର ପ୍ରତିନିଧି ଭାବେ କାମ କରୁଥିବା ଜଣେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ବ୍ୟକ୍ତି ରହିଥିବା ସ୍ପଷ୍ଟ ହୋଇଥିବା ବେଳେ ତାଙ୍କୁ ଧରିବାକୁ ଦୁଇ ଦୁଇ ଥର ଚେଷ୍ଟା କରି ପୁଲିସ ବିଫଳ ହୋଇଥିବା ଜଣାଯାଇଛି। ଉକ୍ତ ବ୍ୟକ୍ତିଜଣକ ଆର୍ଟିଓ କାର୍ଯ୍ୟାଳୟ ଓ ପୁଲିସ ବିଭାଗର କେତେକ କର୍ମଚାରୀଙ୍କ ସହାୟତାରେ ଗାଡ଼ିର ଜାଲ ପ୍ରମାଣପତ୍ର ପ୍ରସ୍ତୁତ କରିଥାଏ। ପରେ ଗ୍ୟାଙ୍ଗର ଅନ୍ୟ ସଦସ୍ୟମାନେ ଜଣାଶୁଣା ବ୍ୟକ୍ତିଙ୍କ ସହାୟତାରେ ଏହି ଗାଡ଼ି ଓ ଲୁଟମାଲକୁ ଗଂଜାମ, ଭୁବନେଶ୍ୱର, ନୟାଗଡ଼, ପୁରୀ, ଭଦ୍ରକ, ବାଲେଶ୍ୱର ଆଦି ଅଂଚଳରେ ବିକ୍ରି କରିଥାନ୍ତି।

ଏହି ବିକ୍ରି ବ୍ୟବସ୍ଥାରେ କେତେକ ନାମୀ ବ୍ୟକ୍ତି ସମ୍ପୃକ୍ତ ଥିବାରୁ ଏହି ଘଟଣା ସାଧାରଣଙ୍କ ସନ୍ଦେହକୁ ଆସେ ନାହିଁ। ବର୍ତ୍ତମାନ ଏହି ରାକେଟ୍ର ଅନେକ ସଦସ୍ୟଙ୍କ ମୁଖା ଖୋଲିବା ବାକି ଥିବା ବେଳେ ମାମଲାରେ କେତେକ ନାମୀ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବାରୁ ପୁଲିସ ଉପରେ ସେମାନଙ୍କୁ ଖସାଇବାକୁ ଚାପ ପଡ଼ୁଥିବା ଜଣାଯାଇଛି। ତେବେ ଜଙ୍ଗଲ ନିକଟ ଏକ ଘରୁ ଅଫୁଟା ହାତବୋମା ଓ ଗନ୍ପାଉଡରକୁ ନେଇ ଏବେ ଆଉ ଏକ ରହସ୍ୟ ସୃଷ୍ଟି ହୋଇଛି। ହାତୀକୁ ମାରି ତାର ଦାନ୍ତ ଓ ହାଡ଼ ବିକ୍ରି କରିବାକୁ ଯୋଜନାରେ ଏହି ବୋମା ଓ ବିସ୍ଫୋରକ ରଖାଯାଇଥିବା କେତେକ କହୁଥିବା ବେଳେ ଏହା ଡକାୟତି ପାଇଁ ରଖାଯାଇଥିବା ଏକ ସୂତ୍ରରୁ ଜଣାଯାଇଛି। ଏନେଇ ବନ ବିଭାଗର ସହକାରୀ କନଜରଭେଟର ଅଫ୍ ଫରେଷ୍ଟ ସତୀଶ ମିଶ୍ରଙ୍କୁ ପଚାରିବାରେ ସେ କହିଛନ୍ତି, ଆମେ ମଧ୍ୟ ଏନେଇ ତୃତୀୟ ପକ୍ଷଠାରୁ ସୂଚନା ପାଇଛୁ, କିନ୍ତୁ ମାମଲାର ତଦନ୍ତ ପୁଲିସ କରୁଛି। ପୁଲିସ ପକ୍ଷରୁ ଯେତେବେଳ ଯାଏଁ ଏହା ହାତୀ କିମ୍ବା ଅନ୍ୟ ବନ୍ୟଜନ୍ତୁ ଶିକାର ପାଇଁ ରଖାଯାଇଥିବା ଓ ଏନେଇ ତାଙ୍କ ବିଭାଗକୁ ସୂଚିତ କରାଯାଇନାହିଁ ସେତେବେଳ ଯାଏଁ ଏନେଇ ବିଭାଗ କିଛି କରିପାରିବ ନାହିଁ।

ସମ୍ବନ୍ଧିତ ଖବର