ତିନି ବର୍ଷ ପରେ ମିଳିଲା ବିଜୁ ପକ୍କା ଘର କାର୍ଯ୍ୟଦେଶ: ଛାତ ପକାଇବାକୁ ଅସମର୍ଥ, ପ୍ରଶାସନ ସହଯୋଗ କରିବାକୁ ଅନୁରୋଧ କଲେ ରଘୁନାଥ

ଜୟପୁର: ଗତ ତିନି ବର୍ଷ ତଳେ ବିଜୁ ପକ୍କାଘର ଯୋଜନା ତାଲିକାରେ ଏକମ୍ବାର ରଘୁନାଥ ମହାନ୍ତିଙ୍କ ନାଁ ରହିଥିଲା। ତିନି ବର୍ଷ ପରେ ଗତ ଜୁଲାଇ ମାସରେ କାର୍ଯ୍ୟଦେଶ ମିଳିଥିଲା। କାର୍ଯ୍ୟଦେଶ ମିଳିବା ସମୟରେ କୋଭିଡ୍ ଲାଗିଥିବା ସତ୍ବେ ଭିନ୍ନକ୍ଷମ ରଘୁନାଥ ଘର ନିର୍ମାଣ ଧାର ଉଧାର କରି ଛାତ ଲେଭଲ୍ ପର୍ଯ୍ୟନ୍ତ ନିର୍ମାଣ କରାଇଥିଲେ। ଏହାରି ମଧ୍ୟରେ ବ୍ଲକ ପ୍ରଶାସନ ବି ତିନୋଟି କିସ୍ତିରେ ଏକ ଲକ୍ଷ ଟଙ୍କା ପ୍ରଦାନ ବି କରିଛନ୍ତି। ତେବେ ଛାତ ପକାଇବା ପାଇଁ ଆଉ ତାଙ୍କ ନିକଟରେ ସମ୍ବଳ ନାହିଁ। ତେଣୁ ବ୍ଲକ ପ୍ରଶାସନ ସହଯୋଗର ହାତ ବଢ଼ାଇଲେ ତାଙ୍କ ଘର ନିର୍ମାଣ ସଂପୁର୍ଣ୍ଣ ହୋଇ ପାରିବ ବୋଲି କହିଛନ୍ତି ଶ୍ରୀ ମହାନ୍ତି।

ବୟସ ତାଙ୍କର ୭୮ବର୍ଷ। ତେବେ ଏହି ପରିଣତ ବୟସରେ ନିଜ ଘରେ ମୁଣ୍ଡ ଗୁଜିଂ ରହିବା ପାଇଁ ସେ ପ୍ରୟାସ ଚଳାଇଛନ୍ତି ବୋଲି କହିଛନ୍ତି। ଏନେଇ ସେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣୀରେ ବି ଅଭିଯୋଗ କରିଛନ୍ତି। ଏପରିକି ଏନଆରଇଜିଏସ୍ ଟଙ୍କା ବି ମିଳିନି ବୋଲି କହିଛନ୍ତି। ଘରର ଛାତ ନ ପଡ଼ିବା ପର୍ଯ୍ୟନ୍ତ ନିୟମ ଅନୁଯାୟୀ ଫାଇନାଲ ବିଲ୍ ପୌଠ କରି ହେବ ନାହିଁ ବୋଲି କହିଛନ୍ତି ଜୟପୁର ବିଡିଓ ସୂରଜ ପଟ୍ଟନାୟକ।

ଯଦିଓ ତାଲିକାରେ ତାଙ୍କ ନାଁ ରହିଥିଲା, ତେବେ ତାଙ୍କ ନିଜ ନାଁରେ ଜମି ପଟ୍ଟା ଦେବା ପାଇଁ ତାଙ୍କୁ ଦୁଇ ବର୍ଷ ଲାଗିଥିଲା। ତା ପରେ ତାଙ୍କୁ କାର୍ଯ୍ୟାଦେଶ ଏବଂ ୩ଟି କିସ୍ତିରେ ଟଙ୍କା ଦିଆ ସରିଛି। ଘର ନିର୍ମାଣ ସରିଲେ ବଳକା ଯାହା କିଛି ତାଙ୍କୁ ଦେବାର ଅଛି ଦିଆଯିବ ବୋଲି କହିଛନ୍ତି ବିଡିଓ ।

ସମ୍ବନ୍ଧିତ ଖବର