ରାଉରକେଲା: ସହରର ପ୍ରାୟ ସବୁ ଅଞ୍ଚଳରେ ଏବେ ଶତାଧିକ ଫାଷ୍ଟ୍‌ଫୁଡ୍‌ ଠେଲା ଗଢ଼ି ଉଠିଛି। ବିଶେଷକରି କରୋନା ମହାମାରୀପରେ ଏହି ସଂଖ୍ୟା ଅଚାନକ ବୃଦ୍ଧି ପାଇଛି। କିନ୍ତୁ ଅର୍ଦ୍ଧାଧିକ ଦୋକାନୀଙ୍କର ଆବଶ୍ୟକ ଫୁଡ୍‌ ଲାଇସନ୍ସ ନାହିଁ। ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ଏମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନ ନେବାରୁ ଉଠା ଦୋକାନ ଆହୁରି ଆହୁରି ବଢ଼ିଚାଲିଛି। ବିଳମ୍ବ ହେଉ ପଛେ, ଆର୍‌ଏମ୍‌ସି ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଉଛି। ତେବେ ଚଢ଼ଉ ମାତ୍ରା କେବଳ ଲୋକ ଦେଖାଣିଆ କହିଲେ ଅତ୍ୟୁକ୍ତି ହେବନାହିଁ। ଗତ ୬ ମାସରେ କେବଳ ୧୪ ଥର ଚଢ଼ଉ କରାଯାଇଥିବା ଜଣାପଡ଼ିଛି।

Advertisment

ଆର୍‌ଏମ୍‌ସି ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଗତ ଶନିବାର ଦିନ ବିଭିନ୍ନ ଷ୍ଟ୍ରିଟ୍‌ ଫୁଡ୍‌ ଦୋକାନରେ ଖାଦ୍ୟର ମାନ ଯାଞ୍ଚ କରା ଯାଇଥିଲା। ମୋଟ୍‌ ୨୮ଟି ଫାଷ୍ଟ୍‌ ଫୁଡ୍‌ ଦୋକାନ, ମିଠା ଦୋକାନ ଆଦିରେ ଯାଞ୍ଚ ହୋଇଥିଲା। ନିୟମ ଉଲ୍ଲଂଘନ କରି ବ୍ୟବସାୟ କରୁଥିବା ପ୍ରମାଣିତ ହେବାପରେ ଦୋକାନୀଙ୍କଠାରୁ ମାତ୍ର ୨୩୦୦ ଟଙ୍କା ଜରିମାନା ଆଦାୟ କରା ଯାଇଥିଲା। ସେହିଭଳି ଗତ ଜୁନ ୨୩ରେ ବିଭିନ୍ନ ଗୁଟ୍‌ଖା, ପାନ ମସଲା ଦୋକାନରେ ଚଢ଼ଉ କରି ବିକ୍ରି ବନ୍ଦ ନିର୍ଦ୍ଦେଶ ଦିଆ ଯାଇଥିଲା।

ତା’ ପୂର୍ବରୁ ଜୁନ ୭ ତାରିଖରେ ଡେଲି ମାର୍କେଟ ମାଛ ବଜାରରେ ଥିବା ୨୬ଟି ଦୋକାନରେ ବିଭାଗୀୟ ଅଧିକାରୀ ଛାନ୍‌ଭିନ୍‌ କରିଥିଲେ। ସେହିଭଳି ମେ’ ୧୮ ତାରିଖରେ ସେକ୍ଟର-୧୬ ଓ ସେକ୍ଟର-୧୮ ଅଞ୍ଚଳରେ ଥିବା ୨୮ଟି ଦୋକାନରେ ଖାଦ୍ୟର ମାନ ଯାଞ୍ଚ ହୋଇଥିବାବେଳେ ମେ’ ୧୭ରେ ସେକ୍ଟର-୧୫ ଅନ୍ତର୍ଗତ ୨୦ଟି ଦୋକାନ, ମେ’ ୧୩ରେ ସେକ୍ଟର-୫ ମାର୍କେଟ୍‌ର ୨୫ଟି ଦୋକାନରେ ଯାଞ୍ଚ ଓ ୧୨ ଶହ ଟଙ୍କା ଜରିମାନା ଆଦାୟ, ଏପ୍ରିଲ ୨୭ରେ ସେକ୍ଟର-୮ ଓ ୯ ଅଞ୍ଚଳରେ ଥିବା ୨୦ଟି ଷ୍ଟଲ୍‌ରେ ଯାଞ୍ଚ ଓ ଅଢ଼େଇ ହଜାର ଜରିମାନା, ଏପ୍ରିଲ ୨୦ରେ ‌ଏନ୍‌ଆଇଟି ବ୍ୟାକ୍‌ ପୋଷ୍ଟ୍‌ରେ ଥିବା ୩୪ଟି ଦୋକାନ, ଫୁଡ ଷ୍ଟଲ୍‌ରେ ଯାଞ୍ଚ ଓ ୩୫୦୦ ଟଙ୍କା ଜରିମାନା, ଏପ୍ରିଲ ୧୩ରେ ଆମ୍ବାଗାନ ମାର୍କେଟ୍‌ରେ ଥିବା ୩୦ଟି ଫୁଡ୍‌ ଷ୍ଟଲ୍‌ରେ ଯାଞ୍ଚ ଓ ୩ ହଜାର ଟଙ୍କା ଜରିମାନା, ମାର୍ଚ୍ଚ ୮ରେ ସାରନଗରୀ ଅଞ୍ଚଳରେ ଗୁଟ୍‌ଖା ଦୋକାନରେ ଯାଞ୍ଚ, ମାର୍ଚ୍ଚ ୨୦ରେ ବିଭିନ୍ନ ଆଇସ୍‌କ୍ରିମ୍‌ କାରଖାନାରେ ଯାଞ୍ଚ, ବେଦବ୍ୟାସ ମେଳା ଚାଲିଥିବାବେଳେ ମାର୍ଚ୍ଚ ୩ରେ ୩୬ ଫୁଡ୍‌ ଷ୍ଟଲ୍‌ରେ ଯାଞ୍ଚ ସହ ୪୦ କେଜି ରଙ୍ଗ ମିଶ୍ରିତ ଖାଦ୍ୟ ଜବତ ଓ ୨ ହଜାର ଟଙ୍କା ଜରିମାନା, ଜାନୁଆରି ୧୮ରେ କୋଏଲନଗର ଅଞ୍ଚଳର ବିଭିନ୍ନ ଦୋକାନରେ ଯାଞ୍ଚ ଓ ୫ ହଜାର ଟଙ୍କା ଜରିମାନା, ଜାନୁଆରି ୧୪ରେ ସେକ୍ଟର-୨ ଓ କଳିଙ୍ଗବିହାରରେ ଥିବା ୪୦ଟି ଫୁଡ୍‌ ଷ୍ଟଲ୍‌ରେ ଯାଞ୍ଚ ଓ ୩ ହଜାର ଟଙ୍କା ଜରିମାନା, ଜାନୁଆରି ୧୩ରେ ରେଳ ଷ୍ଟେସନ, ବସଷ୍ଟାଣ୍ଡ୍‌ ଓ ଇସ୍ପାତ ମାର୍କେଟରେ ଥିବା ୫୦ଟି ଦୋକାନରେ ଯାଞ୍ଚ ଓ ୩ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି।

ରାଉରକେଲାରେ ଜାନୁଆରି ମାସରେ ଅନୁଷ୍ଠିତ ହକି ବିଶ୍ବକପ ସମୟରେ ବିଭାଗୀୟ ଯାଞ୍ଚ ବେଗ ଧରିଥିଲା। ବିଶ୍ବକପ ଶେଷ ହେବାପରେ କିନ୍ତୁ ଏହା ଧିମେଇ ଯାଇଛି। ନିୟମିତ ବ୍ୟବଧାନରେ ଚଢ଼ଉ କରାଯାଉନି। ଏତଦ୍‌ବ୍ୟତୀତ ଅଭ୍ୟାସଗତ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଓ ଜରିମାନା ଆଦାୟ କରାଯାଉ ନଥିବାରୁ, ଦୋକାନୀ ନିୟମର ଖୋଲ ଉଲ୍ଲଂଘନ କରୁଛନ୍ତି। ଯଦ୍ବାରା ସହରର ପ୍ରମୁଖ ଅଞ୍ଚଳଠାରୁ ଆରମ୍ଭକରି ବସ୍ତି ପର୍ଯ୍ୟନ୍ତ ସବୁଠାରେ ଦୂଷିତ ପରିବେଶରେ ରଙ୍ଗ ମିଶ୍ରିତ ତଥା ବାସି ଖାଦ୍ୟ ବିକ୍ରି ହେଉଛି।