ଖୁଣ୍ଟୁଣୀ: ଖୁଣ୍ଟୁଣୀ ଥାନା ଅଞ୍ଚଳରେ ଚାଲିଥିବା ବେଆଇନ ଚୋରା କୋଇଲା ଡିପୋ ଉପରେ ଆଜି କଟକ ଖଣି ବିଭାଗ ଓ ରାଜ୍ୟସ୍ତରୀୟ ଏନ୍ଫୋର୍ସମେଣ୍ଟ ସ୍କ୍ୱାଡ୍ ପକ୍ଷରୁ ମିଳିତ ଭାବେ ଚଢ଼ଉ କରାଯାଇଛି। ଘଟଣାସ୍ଥଳରୁ ୫ଟି କୋଇଲା ବୋଝେଇ ଗାଡ଼ି ସହ ବେଆଇନ ଭାବେ ଗଚ୍ଛିତ ହୋଇଥିବା ବିପୁଳ ପରିମାଣର କୋଇଲା ଜବତ କରାଯାଇଛି। ଅନ୍ୟପଟେ, ଚୋରା କୋଇଲା ବେପାରୀମାନେ ଚଢ଼ଉକୁ ବିରୋଧ କରି ଖଣି ବିଭାଗ ଗାଡ଼ି ଉପରକୁ ଟେକାପଥର ମାଡ଼ କରିଛନ୍ତି। ଫଳରେ ଏକ ବୋଲେରୋ କାଚ ଭାଙ୍ଗିରୁଜି ଯାଇଥିଲା ବେଳେ ସ୍କ୍ୱାଡ୍ର ଦୁଇଜଣ କର୍ମଚାରୀ ଆହତ ହୋଇଛନ୍ତି। ଖଣି ବିଭାଗ ସୂଚନା ମୁତାବକ, ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୫ଟାରେ ଜିଲ୍ଲା ଖଣି ବିଭାଗ ଅଧିକାରୀ ସମ୍ବିତ୍ ସାହୁ, ଆସିଷ୍ଟାଣ୍ଟ ମାଇନିଂ ଅଫିସର୍ ରଞ୍ଜିତ୍ ବେହେରା ଓ ରାଜ୍ୟସ୍ତରୀୟ ଏନ୍ଫୋର୍ସମେଣ୍ଟ ସ୍କ୍ୱାଡ୍ ପକ୍ଷରୁ ଖୁଣ୍ଟୁଣୀ ଥାନା ପୁଲିସ ସହଯୋଗରେ ପ୍ରଥମେ ୫୫ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱ କୃଷ୍ଣଶ୍ୟାମପୁର(ନୂଆସାହି)ସ୍ଥିତ ଏକାଧିକ ବେଆଇନ କୋଇଲା ଡିପୋ ଉପରେ ଚଢ଼ଉ କରାଯାଇଥିଲା।
ଘଟଣାସ୍ଥଳରୁ ୧୩ ଟନ୍ରୁ ଅଧିକ କୋଇଲା ବୋଝେଇ ହୋଇଥିବା ୫ଟି ମିନି ଟ୍ରକ୍ ସହ ଡିପୋରେ ଗଚ୍ଛିତ ହୋଇଥିବା ୭ଟନ୍ରୁ ଅଧିକ କୋଇଲା ଜବତ କରାଯାଇଥିଲା। ଏହି ସମୟରେ ସ୍ଥାନୀୟ ଚୋରା କୋଇଲା ମାଫିଆମାନେ ଖଣି ବିଭାଗ ଗାଡ଼ି ଉପରକୁ ଟେକାପଥର ମାଡ଼ କରିଥିଲେ। ଫଳରେ ଖଣି ବିଭାଗର ଏକ ବୋଲେରୋ କାଚ ଭାଙ୍ଗିରୁଜି ଯାଇଥିଲା ବେଳେ ଏନଫୋର୍ସମେଣ୍ଟ ସ୍କ୍ୱାଡ୍ର ଦୁଇଜଣ କର୍ମଚାରୀ ଆହତ ହୋଇଥିଲେ ବୋଲି ଜିଲ୍ଲା ଖଣି ବିଭାଗ ଉପନିର୍ଦ୍ଦେଶକ ଦିଲ୍ଲୀପ କୁମାର ସାହୁ ସୂଚନା ଦେଇଛନ୍ତି। ଏ ସମ୍ପର୍କରେ ଜିଲ୍ଲା ଖଣି ଅଧିକାରୀ ସମ୍ବିତ୍ ସାହୁ ଖୁଣ୍ଟୁଣୀ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଏକ ମାମଲା ରୁଜୁ କରାଯାଇଛି। ଖଣି ବିଭାଗ ପକ୍ଷରୁ ଜବତ ଗାଡ଼ି ଓ କୋଇଲା କଟକ ଜଗତପୁରସ୍ଥିତ କାର୍ଯ୍ୟାଳୟକୁ ନିଆଯାଇଛି।