ବନ୍ଧପଡ଼ା କେନ୍ଦୁପତ୍ର ରେଞ୍ଜ ଅଫିସରେ ବନ ବିଭାଗର ଚଢ଼ଉ, ଦୁଇ ଖଟ ସହ ଶାଗୁଆନ କାଠ ଜବତ

ବିନା ଅନୁମତିରେ ଅଫିସ ଭିତରେ ଚାଲିଥିଲା କାଠ ସାମଗ୍ରୀ ନିର୍ମାଣ କାମ

ଦେଓଗାଁ: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ କେନ୍ଦୁପତ୍ର ଡିଭିଜନ ବନ୍ଧପଡ଼ା ରେଞ୍ଜ ଅଫିସରେ ବନ ବିଭାଗ ଚଢ଼ଉ କରି ଦୁଇଟି ପଲଙ୍କଖଟ ଓ ଶାଗୁଆନ ପଟା ଜବତ କରିଛି। ବିନା ଅନୁମତିରେ କାର୍ଯ୍ୟାଳୟ ପରିସରରେ କାଠ ସାମଗ୍ରୀ ନିର୍ମାଣ କାମ ଚାଲିଥିଲା। ହେଲେ ବନ ବିଭାଗ କର୍ମଚାରୀ ସ୍ବଜାତି ପ୍ରୀତି ଦେଖାଇ ରେଞ୍ଜରଙ୍କୁ ଗିରଫ ନକରି ଖସିଯିବାକୁ ବାଟ ଛାଡ଼ିଦେଇଥିବା ଚର୍ଚ୍ଚା ହେଉଛି।

ସୂଚନା ଅନୁସାରେ, ସୋମବାର ଦିନ ୨ଟା ସମୟରେ ଦେଓଗାଁ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ କୁଡ଼ାସିଂହା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଭୁତିଆରବାହାଲ-ସାହାଜବାହାଲ ରାସ୍ତାର ବନ୍ଧପଡ଼ା କେନ୍ଦୁପତ୍ର ରେଞ୍ଜ କାର୍ଯ୍ୟାଳୟଠାରେ ବନ ବିଭାଗ ଚଢ଼ାଉ କରିଥିଲା। ବନ ବିଭାଗର ବିନା ଅନୁମତିରେ ରେଞ୍ଜ କାର୍ଯ୍ୟାଳୟ ଭିତର ଥିବା ଏକ କୋଠରିରେ ଶାଗୁଆନ ପଟାରେ ବିଭିନ୍ନ ସାମଗ୍ରୀ ନିର୍ମାଣ କାମ ଚାଲିଥିଲା। ବନ କର୍ମଚାରୀମାନେ ସେଠାରୁ ଗୋଟିଏ ଡବଲବେଡ଼ ଓ ଗୋଟିଏ ସିଙ୍ଗଲବେଡ଼ ପଲଙ୍କ ସହ ପ୍ରାୟ ୧୦ ସିଏଫ୍‌ଟି ଶାଗୁଆନ ପଟା ଜବତ କରିଥିଲେ। ବନ୍ଧପଡ଼ା ରେଞ୍ଜର ଦାୟିତ୍ୱରେ ଥିବା ଟିଟିଲାଗଡ଼ କେନ୍ଦୁପତ୍ର ଡିଭିଜନର ଜଣେ ଫରେଷ୍ଟର ଉକ୍ତ ସାମଗ୍ରୀ ନିର୍ମାଣ କରାଉଥିଲେ।

ଚଢ଼ଉ ସମୟରେ ସେ ଓ କାଠମିସ୍ତ୍ରି ଅଫିସ ଭିତରେ ଉପସ୍ଥିତଥିଲେ। ହେଲେ ତାଙ୍କୁ ଗିରଫ ନକରି ଅଫିସ ଭିତରୁ ଅନ୍ୟତ୍ର ଯିବାକୁ ସୁଯୋଗ ଦିଆଗଲା ବୋଲି ଜଣେ ବନ କର୍ମଚାରୀ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି। ପୂର୍ବରୁ ମଧ୍ୟ ରେଞ୍ଜ ଅଫିସରୁ କଟାଯାଇଥିବା ଏକ ଶାଗୁଆନ ଗଛର କାଠରେ ଡାଇନିଂ ସେଟ, କବାଟ ନିର୍ମାଣ କରି ନିଆଯାଇଥିବା କିଛି କର୍ମଚାରୀ ପ୍ରକାଶ କରିଛନ୍ତି। ଏଦିଗରେ ଜିଲ୍ଲା ପ୍ରଶାସନ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି। ଏନେଇ ଚଢ଼ଉ କରିଥିବା ବନ ବିଭାଗ ମୋବାଇଲ ୟୁନିଟ ଇନଚାର୍ଜ ଭାଗବତ ଦାଶଙ୍କୁ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲା। ତାଙ୍କ ମୋବାଇଲ ଫୋନ୍‌ ରିଙ୍ଗ୍‌ ହେଉଥିଲେ ବି ସେ ଉଠାଇ ନଥିଲେ। ଦେଓଗାଁ ରେଞ୍ଜର ଆଲୋକ ମାଝୀ ପରେ କହିବେ ବୋଲି କହି ଫୋନ୍‌ କାଟି ଦେଇଥିଲେ।

ସମ୍ବନ୍ଧିତ ଖବର