ବ୍ରହ୍ମପୁରରେ ଏକ୍ସପାଏରି ବିଅର୍ ବିକ୍ରି ଅଭିଯୋଗ: ଗ୍ରାହକ ବେଶରେ ଚଢ଼ଉ କଲେ ମାଜିଷ୍ଟ୍ରେଟ୍

୭ଟି ଦୋକାନରେ ଷ୍ଟକ୍ ଯାଞ୍ଚ କଲା ଅବକାରୀ

ବ୍ରହ୍ମପୁର: ବ୍ରହ୍ମପୁର ସହରର ବିଭିନ୍ନ ବିଦେଶୀ ମଦ ଦୋକାନରେ ଏକ୍ସପାଏରି ବିଅର୍ ବିକ୍ରି କରାଯାଉଥିବା ନେଇ ଅଭିଯୋଗ ହୋଇଥିଲା। ଏଭଳି ଏକ ଅଭିଯୋଗର ତଦନ୍ତ କରିବା ପାଇଁ ଆଜି ମାଜିଷ୍ଟ୍ରେଟ୍ ଦାୟିତ୍ବରେ ଥିବା ଓଏଏସ୍ ଅଧିକାରୀ ଶ୍ବେତ କୁମାର ଦାସ ଗ୍ରାହକ ବେଶରେ ଏକ ଦୋକାନକୁ ମଦ କିଣିବାକୁ ଯାଇଥିଲେ। ଟଙ୍କା ଦେଇ ଏକ ନିର୍ଦ୍ଦିଷ୍ଟ କମ୍ପାନିର ବିଅର୍ ବୋତଲ କିଣିଥିଲେ। ବିଅର୍‌ର ଏକ୍ସପାଏରି ତାରିଖ ଡେଇଁ ସାରିଥିବା ଦେଖି ମାଜିଷ୍ଟ୍ରେଟ୍ ଶ୍ରୀ ଦାସ ଅନ୍ୟ କର୍ମଚାରୀଙ୍କୁ ଖବର ଦେଇଥିଲେ। ନିକଟରେ ଥିବା ଟିମ୍ ସେହି ଦୋକାନରେ ଚଢ଼ଉ କରିଥିଲା। ଅବକାରୀ ବିଭାଗ ମଧ୍ୟ ସେଠାରେ ପହଞ୍ଚି ଷ୍ଟକ୍ ଯାଞ୍ଚ କରିଥିଲା। ଏହାପରେ ସହରର ବିଭିନ୍ନ ସ୍ଥାନରେ ଥିବା ପ୍ରାୟ ୭ଟି ଦୋକାନରେ ଯାଞ୍ଚ କରାଯାଇଥିବା ମାଜିଷ୍ଟ୍ରେଟ୍ ଶ୍ରୀ ଦାସ ସୂଚନା ଦେଇଛନ୍ତି।

କୋଭିଡ୍ କଟକଣା ଯୋଗୁଁ ମଦ ବିକ୍ରି ମଧ୍ୟ ବନ୍ଦ ରହିଥିଲା। ତେଣୁ ବିଅର୍‌ଗୁଡ଼ିକ ବିପୁଳ ମାତ୍ରାରେ ଷ୍ଟକ୍ ରହି ଯାଇଥିଲା। ତା’ର ଏକ୍ସପାଏରି ଅବଧି ୬ମାସ ରହୁଥିବା ବେଳେ ଅବକାରୀ ବିଭାଗ ଓ ସରକାରଙ୍କ ଆଲୋଚନା କ୍ରମେ ଏକ୍ସପାଏରି ଅବଧି ୯ମାସକୁ ବୃଦ୍ଧି କରାଯାଇଥିଲା। ୯ମାସ ଏକ୍ସପାରି ତାରିଖ ପରେ ମଧ୍ୟ ବିଅର୍‌ଗୁଡ଼ିକ ବିକ୍ରି କରାଯାଉଥିବା ନେଇ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ ହୋଇଥିଲା।

ଏହି ଅଭିଯୋଗ କ୍ରମେ ମାଜିଷ୍ଟ୍ରେଟ୍ ଶ୍ରୀ ଦାସ ପ୍ରଥମେ ଚର୍ଚ୍ଚରୋଡ଼ରେ ଥିବା ଏକ ମଦ ଦୋକାନରେ ଗ୍ରାହକ ବେଶରେ ଚଢ଼ଉ କରିଥିଲେ। ସେଠାରେ ଏକ୍ସପାଏରି ତାରିଖ ଡେଇଁ ସାରିଥିବା ବିଅର୍ ମିଳିବା ପରେ ବିଭିନ୍ନ ଦୋକାନରେ ଚଢ଼ଉ କରାଯାଇଥିଲା। କେତେକ ବିଅର୍‌ ବୋତଲରେ ମେନ୍ୟୁଫେକ୍‌ଚର୍‌ କି ଏକ୍ସପାଏରି ତାରିଖ କିଛି ଲେଖା ‌ନଥିଲା ବୋଲି ମାଜିଷ୍ଟ୍ରେଟ୍‌ ଶ୍ରୀ ଦାସ କହିଛନ୍ତି। ସହରର ରେଳ ଷ୍ଟେସନ୍ ରୋଡ଼, ପୁରୁଣା ବସ୍ ଷ୍ଟାଣ୍ଡ୍ ଭଳି ବିଭିନ୍ନ ସ୍ଥାନରେ ଥିବା ମଦ ଦୋକାନରେ ପ୍ରଶାସନ ଓ ଅବକାରୀ ବିଭାଗର ମିଳିତ ଟିମ୍ ଷ୍ଟକ୍ ଯାଞ୍ଚ କରିଥିଲା।

ଏ ସମ୍ପର୍କରେ ଅବକାରୀ ଇନ୍‌ସ୍ପେକ୍ଟର୍ ରୋଶନ୍ ଇସୁ ହଂସଦା କହନ୍ତି, ଲକ୍‌ଡାଉନ୍‌ ପାଇଁ ବିଅର୍ ବୋତଲର ଏକ୍ସପାରି ତାରିଖ ୯ମାସକୁ ବୃଦ୍ଧି କରାଯାଇଥିଲା। କିନ୍ତୁ କମ୍ପାନି ତରଫରୁ ନୂଆ ଏକ୍ସପାଏରି ତାରିଖ ଲେଖାଯାଇ ନଥିଲା। ଯାହାକୁ ନେଇ ଏଭଳି ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ବର୍ତ୍ତମାନ ଏ ଦିଗରେ ଅଧିକ ଯାଞ୍ଚ ଚାଲିଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର