ଖୋର୍ଦ୍ଧା: ଦ୍ୱିତୀୟ ଥର ପାଇଁ ଆଜି ଖୋର୍ଦ୍ଧା ସହର ଓ ଉପକଣ୍ଠରେ ଥିବା ବିଭିନ୍ନ ହୋଟେଲ୍ ଓ ଢାବା ଉପରେ ଖାଦ୍ୟ ସୁରକ୍ଷା ବିଭାଗର ଏକ ଟିମ୍ ଚଢ଼ଉ କରିଛନ୍ତି। ଚଢ଼ଉରେ ଖୋର୍ଦ୍ଧା ଉପକଣ୍ଠରେ ଥିବା ୪ଟି ବଡ଼ ହୋଟେଲ୍ ଓ ଢାବା ଉପରେ ଚଢ଼ଉ କରାଯାଇ ୩୦ କିଲୋଗ୍ରାମ ଦୂଷିତ ରନ୍ଧା ଖାଦ୍ୟପଦାର୍ଥ ନଷ୍ଟ କରାଯିବା ସହ ୩ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି ।
କଟକ, ବାଲେଶ୍ୱର, ବ୍ରହ୍ମପୁରରେ ଅନେକ ସ୍ଥାନରେ କ୍ରମାଗତ ଭାବେ ଅପମିଶ୍ରିିତ ଖାଦ୍ୟ ପଦାର୍ଥ ଧରାପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ସହରରେ ପୌର ପ୍ରଶାସନ ଓ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ମିଳିତ ଭାବେ ଆଜି ଦ୍ୱିତୀୟ ଥର ପାଇଁ ଖାଦ୍ୟ ସାମଗ୍ରୀ ବିକ୍ରି କରୁଥିବା ବିଭିନ୍ନ ହୋଟେଲ୍ ଓ ଢାବା ଗୁଡ଼ିକ ଉପରେ ଚଢ଼ଉ କରାଯାଇଛି। ଗତ ୨୩ ତାରିଖରେ ହୋଇଥିବା ଚଢ଼ଉରେ ପ୍ରାୟ ୧ କ୍ୱିଂଟାଲ୍ ଅପମିଶ୍ରିତ ଖାଦ୍ୟ ନଷ୍ଟ କରାଯାଇଥିଲା ଓ ଦୋକାନୀଙ୍କ ଭବିଷ୍ୟତରେ ଏଭଳି ଦୂଷିତ ଖାଦ୍ୟ ବିକ୍ରି ନକରିବାକୁ ତାଗିଦ୍ କରାଯାଇଥିଲା। ଆଜି ଦ୍ୱିତୀୟ ଥର ଚଢ଼ଉ ବେଳେ ଆଶ୍ଚର୍ଯ୍ୟଜନକ ଭାବେ ଖୋର୍ଦ୍ଧା ସହରର ଅନେକ ଫାଷ୍ଟଫୁଡ୍ ଦୋକାନ, ହୋଟେଲ୍ ଆଦି ବନ୍ଦ ରହିଥିଲା। ଫଳରେ ଖାଦ୍ୟ ସୁରକ୍ଷା ଅଧିକାରୀ ଖୋର୍ଦ୍ଧା ଉପକଣ୍ଠରେ ଥିବା ହୋଟେଲ୍ ଓ ଢାବାର ଖାଦ୍ୟ ଯାଂଚ କରିବାକୁ ପହଂଚିଥିଲେ।
ଏନେଇ ଭୁବନେଶ୍ୱର ଖାଦ୍ୟ ସୁରକ୍ଷା ଅଧିକାରୀ ସତ୍ୟଜିତ ପଟେଲ୍ କହିଛନ୍ତି ଯେ ପ୍ରଶାସନର ନିର୍ଦ୍ଦେଶକ୍ରମେ ସପ୍ତାହ ପୂର୍ବେ ବିଭିନ୍ନ ଖାଦ୍ୟ ବିକ୍ରି କରୁଥିବା ଦୋକାନ, ହୋଟେଲ୍, ଫାଷ୍ଟଫୁଡ୍ ସେଂଟର ଆଦି ବୁଲି ଦେଖିଥିଲୁ। ଆଜି ଜାତୀୟ ରାଜପଥ କଡ଼ରେ ଥିବା ୭ଟି ହୋଟେଲ୍ ଓ ଢାବାର ଖାଦ୍ୟର ମାନ ଯାଂଚ କରାଯାଇଥିଲା। ଯାଂଚ ବେଳେ କେତେକ ହୋଟେଲ୍ରେ ବାସି ଓ ଅପମିଶ୍ରିତ ଖାଦ୍ୟ ରହିଥିବାରୁ ଖାଦ୍ୟଗୁଡ଼ିକ ନଷ୍ଟ କରାଯିବା ସହ ସେମାନଙ୍କ ଉପରେ ଜୋରିମାନା ଆଦାୟ କରାଯାଇଥିଲା। ଏହା ସହିତ ଶ୍ରୀ ପଟେଲ୍ କହିଛନ୍ତି ଯେ ଆଗାମୀ ଦିନରେ ଲୋକଙ୍କୁ ସୁସ୍ଥ ଓ ସୁରକ୍ଷିତ ଖାଦ୍ୟ ଯୋଗାଣକୁ ନିଶ୍ଚିତ କରିବାକୁ ଚଢ଼ଉ ଜାରି ରହିବ।
ଆଜି ଚଢ଼ଉରେ ପୌରାଂଚଳରେ ଥିବା ଅନେକ ହୋଟେଲ୍ ଓ ଢାବା, ଫାଷ୍ଟଫୁଡ୍ ସେଂଟର ବନ୍ଦ ରହିଥିବାରୁ ଯାଂଚକାରୀ ଦଳ ସମ୍ପର୍କରେ ହେଟେଲ୍ ମାଲିକମାନେ ଆଗୁଆ ସୂଚନା ପାଇଥିବା ସନ୍ଦେହ ଦୃଢ଼ୀଭୂତ ହୋଇଛି। ଫଳରେ ଦୀର୍ଘ ୫ ବର୍ଷ ପରେ ଖୋର୍ଦ୍ଧା ସହରରେ ହେଉଥିବା ଏଭଳି ଯାଂଚର ପ୍ରଭାବ ହୋଟେଲ୍ରେ ବିକ୍ରି ହେଉଥିବା ଅପମିଶ୍ରିତ ଖାଦ୍ୟ ଉପରେ ନିୟନ୍ତ୍ରଣ ହୋଇପାରିବା ଉପରେ ସନ୍ଦେହ ସୃଷ୍ଟି ହୋଇଛି।