ନକଲି ଖାଦ୍ୟ ଉତ୍ପାଦନ କଂପାନି ଉପରେ ଚଢ଼ଉ; ଟମାଟୋ-ଚିଲି ସସ୍‌ ଓ ଅଚାର ସମେତ ଥଣ୍ଡାପାନୀୟ ଜବତ

ଧର୍ମଶାଳା: ଯାଜପୁର ଜିଲ୍ଲାରେ ନକଲି ଏବଂ ନିମ୍ନମାନର ଖାଦ୍ୟ ସାମଗ୍ରୀ ବିକ୍ରି ହେଉଥିବା ଅଭିଯୋଗ ହୋଇଆସୁଛି। ଆଜି ଧର୍ମଶାଳା ପୁଲିସ ସୁନ୍ଦରିଆ ପଞ୍ଚାୟତର ଷଣ୍ଢପୁର ଗ୍ରାମରେ ଥିବା ଡିପି ଫୁଡ୍‌ସ ନାମକ ଏକ ସଂସ୍ଥାରେ ଚଢ଼ଉ କରି ଟମାଟୋ ସସ୍, ଚିଲି ସସ୍, ବିଭିନ୍ନ ଆଚାରା ଓ ଲିଚି ଥଣ୍ଡାପାନୀୟ ପ୍ରଭୃତି ଜବତ କରିଛି। ସଂପୃକ୍ତ ସଂସ୍ଥାର କାଗଜପତ୍ର ଓ ତିଆରି ହେଉଥିବା ସାମଗ୍ରୀର ମାନ ପରୀକ୍ଷା କରାଯାଉଛି। ଏହି ଘଟଣାରେ ଡିପି ଫୁଡ୍‌ସର ମାଲିକ ଦିଲ୍ଲୀପ କୁମାର ଜେନାଙ୍କୁ ପୁଲିସ ପଚରା ଉଚରା ଚଳାଇଛି। ରାତି ପର୍ଯ୍ୟନ୍ତ ତଦନ୍ତ ଜାରି ରହିଛି।

ପ୍ରକାଶ ଥାଉକି ପାଣିକୋଇଲି ଓ ଛତିଆରେ ନକଲି ଜରଦା କାରଖାନା ଉପରେ ଲଗାତର ଚଢଉ ହେଉଥିବା ବେଳେ ଜାତୀୟ ରାଜପଥରେ ଭେଜାଲ ତେଲ କାରବାର ପର୍ଦ୍ଦାଫାସ ହୋଇଥିଲା। ଗତ ୮ତାରିଖରେ ବଡ଼ଚଣା ଥାନାର କୁନ୍ଦଳ ଅଞ୍ଚଳରେ ନକଲି ଟମାଟୋ ସସ୍ ତିଆରି ଘର ଉପରେ ଚଢଉ କରାଯାଇ ଟମାଟୋ ସସ୍ ଜବତ କରାଯାଇଥିଲା। ଏସଡିପିଓ ଚିନ୍ମୟ ନାୟକଙ୍କ ନେତୃତ୍ବରେ ଏହି ଚଢଉ ହୋଇଥିଲା। ଜବତ ଟମାଟୋ ସସ୍‌ର ମାନ ପରୀକ୍ଷା ପାଇଁ ପଠାଯାଇଛି।

ସେହିପରି ଆଜି ଏସଡିପିଓ ଶ୍ରୀ ନାୟକ ଧର୍ମଶାଳା ପୁଲିସ ସହାୟତାରେ ଷଣ୍ଢପୁର ଗ୍ରାମର ଏକ ଭଡ଼ାଘରେ ଟମାଟୋ, ଚିଲି ସସ୍, ଆଚାର, ଲିଚି ଥଣ୍ଡା ପାନୀୟ ତିଆରି କରୁଥିବା ଦିଲ୍ଲୀପ କୁମାର ଜେନାଙ୍କ ଡିପି ଫୁଡସ୍ ସଂସ୍ଥା ଉପରେ ଚଢଉ ଜାରି ରଖିଛନ୍ତି। ସସ୍, ଆଚାର ଓ ଥଣ୍ଡାପାନୀୟ ପାଇଁ ବ୍ୟବହୃତ କାଞ୍ଚାମାଲର ମାନ ପରୀକ୍ଷା କରାଯାଉଛି। ଅସ୍ବାସ୍ଥ୍ୟକର ପରିବେଶରେ ଏହି ଖାଦ୍ୟ ସାମଗ୍ରୀ କରାଯାଉଥିବା ଦେଖିବାକୁ ମିଳିଛି। ଆଜିର ଚଢ଼ଉରେ ଧର୍ମଶାଳା ଅତିରିକ୍ତ ତହସିଲଦାର ଦେବୀ ପ୍ରସନ୍ନ ମହାନ୍ତି ଓ ଥାନା ଅଧିକାରୀ ସରୋଜ ସାହୁ ପ୍ରମୁଖ ସାମିଲ ହୋଇଛନ୍ତି।

ସମ୍ବନ୍ଧିତ ଖବର