ଜୟପୁର: ପୁଣି ଆଶା ଓ ଆଶଙ୍କା ମଧ୍ୟକୁ ଟାଣି ହୋଇଯାଇଛି କୋରାପୁଟ, ମାଲଗାନଗିରି ଓ ନବରଙ୍ଗପୁର ଜିଲ୍ଲାକୁ ଯୋଡୁଥିବା ଦୁଇ ରେଳ ପକ୍ରଳ୍ପ। ସ୍ଥାୟୀ ବରିଷ୍ଠ ଜମିଅଧିଗ୍ରହଣ ଅଧିକାରୀ ନ ଥିବାରୁ ଅଗ୍ରସର ହୋଇପାରୁନି ଜୟପୁର ନବରଙ୍ଗପୁର ଓ ଜୟପୁର ମାଲକାନଗିରି ରେଳ ପ୍ରକଳ୍ପର ଜମି ଅଧିଗ୍ରହଣ କାର୍ଯ୍ୟ। ଘୋଷଣାକୁ ୪ବର୍ଷ ବିତିଥିବାବେଳେ ୩ଜଣ ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି। ୪ଏ (ଜମି ଚିହ୍ନଟ) କାର୍ଯ୍ୟ ଶେଷ ସାରିଥିବାବେଳେ ୫ଏ (ଜମି ଅଧିଗ୍ରହଣ) ବିଜ୍ଞାପ୍ତି ପ୍ରକାଶ ହୋଇପାରିନାହିଁ। କେବେ ଏହା ପ୍ରକାଶ ହେବ ତାହା ମଧ୍ୟ ଜଣାନାହିଁ। ତେବେ ଜମି ଅଧିଗ୍ରହଣ କାର୍ଯ୍ୟ ପୂର୍ବରୁ ଜନଶୁଣାଣି ହେବାର ନିୟମ ରହିଛି। କୋଭିଡ୍-୧୯ ପାଇଁ ଏହି ଜନଶୁଣାଣି ହୋଇପାରୁ ନ ଥିବାବେଳେ ସ୍ଥାୟୀ ବରିଷ୍ଠ ଅଧିକାରୀଙ୍କ ନିଯୁକ୍ତି ଏଥିରେ ଅନ୍ତରାୟ ସୃଷ୍ଟି କରିଛି। ଜୟପୁର ନବରଙ୍ଗପୁର ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ପାଇଁ ସର୍ଭେ କାର୍ଯ୍ୟ ହୋଇଥିବାବେଳେ ଜୟପୁର-ମାଲକାନଗିରି ରେଳ ପ୍ରକଳ୍ପ ପାଇଁ ବୈପାରିଗୁଡା ଯାଏ ସର୍ଭେ କାର୍ଯ୍ୟ ଶେଷ ହୋଇଛି।

Advertisment

୨୦୧୭ ମସିହାରେ କେନ୍ଦ୍ର ସରକାର ଏହି ଦୁଇ ପ୍ରକଳ୍ପ ଘୋଷଣା କରିଥିଲେ। ଏହି ସମୟରେ ଅର୍ଥ ମଧ୍ୟ ମଞ୍ଜୁର ମଧ୍ୟ ହୋଇଥିଲା। ଏଥିପାଇଁ ଇରିଗେସନ କଲୋନୀରେ ଏହି ଦୁଇ ପ୍ରକଳ୍ପ ପାଇଁ ଏକ କାର୍ଯ୍ୟଳୟ ଖୋଲାଯାଇଥିଲା। ପ୍ରଥମେଳ ଅବସରପ୍ରାପ୍ତ ଓଏସଏସ ଭୀମମାନ ସେଠ୍ଙ୍କୁ ମୁଖ୍ୟ ଦାୟିତ୍ବ ଭାବେ ଭବାନୀପାଟଣା ରେଳ ପ୍ରକଳ୍ପ ଦାୟିତ୍ବ ଦିଆଯାଇଥିଲା। ଏହାସହ ଏହି କାର୍ଯ୍ୟାଳୟ ଓ ଦୁଇ ରେଳ ପ୍ରକଳ୍ପ ପାଇଁ ତାଙ୍କୁ ଅତିରିକ୍ତ ଭାର ପ୍ରଦାନ କରାଯାଇଥିଲା। ସେ ଏକ ବର୍ଷ ପାଇଁ ଦାୟିତ୍ବ ତୁଲାଇବା ପରେ ଅନ୍ୟ ଚାକିରି ପାଇ ଏହାକୁ ଛାଡି ଗଲେ। ପରେ ସରକାର ଓଏଏସ ନିରୋଦ କୁମାର ବେହେରାଙ୍କୁ ଏହି ଦାୟିତ୍ବ ଦେଇଥିଲେ। ପ୍ରାୟ ଦୁଇବର୍ଷ କାଳ ସେ କାର୍ଯ୍ୟ କରିଥିଲେ। ହେଲେ ତାଙ୍କୁ ସରକାର ବାହାର କରିଦେଇ ତାଙ୍କ ସ୍ଥାନରେ ଜୟପୁର ଉପଜିଲ୍ଲାପାଳଙ୍କୁ ନିଯୁକ୍ତି ଦେଇଥିଲେ।

ତତକାଳୀନ ଉପଜିଲ୍ଲାପାଳ ଲୋକନାଥ ଦଳବେହେରା ଏହି ଦାୟିତ୍ବରେ ରହିବା ପରେ ତାଙ୍କୁ ସରକାର ଜୟପୁରରୁ କୋଭିଡ ପରିଚାଳନା ପାଇଁ ଗଞ୍ଜାମକୁ ନିଆଯାଇଥିଲା। ଏବେ ଆଇଏଏସ ହେମକାନ୍ତ ସଏ ଦାୟିତ୍ବ ରହିବାକୁ ରାଜସ୍ବ ବିଭାଗକୁ ଦିଆଯାଇଥିବାବେଳେ କିନ୍ତୁ ବିଭାଗ ପକ୍ଷରୁ କୌଣସି ବିଜ୍ଞାପ୍ତି ପ୍ରକାଶ ପାଇ ନ ଥିବା ଜଣାପଡିଛି। ତେବେ ଏକା ସମୟରେ ଜୟପୁର-ନବରଙ୍ଗପୁର, ଜୟପୁର ମାଲକାନଗିରି ସହ ତାଳଚେର ଟିଟିଲାଗଡ, ତାଳଚେର ସମ୍ବଲପୁର, ସୁନ୍ଦରଗଡ, ଦେବଗଡ, ତାଳଚେର-ବାଉଁସପାଣି ଓ କଟକ ପାରାଦୀପ ସହ ପ୍ରାୟ ୧୨ରୁ ଅଧିକ ପ୍ରକଳ୍ପ ପାଇଁ ସରକାରଙ୍କ ପକ୍ଷରୁ ୧୨ଜଣ ଅବସରପ୍ରାପ୍ତ ଓଏସଏସଙ୍କୁ ନିଯୁକ୍ତି ଦେଇଥିଲେ। ୨୦୧୯ ଶେଷବେଳକୁ ଏହି ପ୍ରକଳ୍ପଗୁଡିକ ପାଇଁ ଜଣେ ଲେଖାଏଁ ସ୍ଥାୟୀ ଅଧିକାରୀ ନିଯୁକ୍ତି ଦେଇଥିଲେ।

ରାଜ୍ୟରେ ଚାଲିଥିବା ଏହି ପ୍ରଳକ୍ପ ଗୁଡିକ ପାଇଁ ସବୁ ସ୍ଥାୟୀ ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତି ଦେଇଥିବାବେଳେ ଦୁଇ ମହତ୍ବାକାକ୍ଷୀ ପ୍ରକଳ୍ପ ପାଇଁ ଜୟପୁର ଉପଜିଲ୍ଲାପାଳଙ୍କୁ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ତେବେ ଏବେ ଜୟପୁର ଉପଜିଲ୍ଲାପାଳ ଉପଖଣ୍ଡ ସହ ଜୟପୁର ପୌରପାଳିକା ଦାୟିତ୍ବରେ ରହିଛନ୍ତି। ତେବେ କିପରି ଜୟପୁର-ନବରଙ୍ଗପୁର ଓ ଜୟପୁର-ମାଲକାନଗିରି ପରି ପ୍ରକଳ୍ପ କିପରି ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ଶେଷ ହେବ ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି।

ରାଜ୍ୟ ଚାଲିଥିବା ସବୁ ପ୍ରକଳ୍ପ ପାଇଁ ସ୍ଥାୟୀ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଥିବାବେଳେ କାହିଁକି ଜୟପୁରର ଏହି ଦୁଇ ପ୍ରଳକ୍ପ ପାଇଁ ସ୍ଥାୟୀ ନିଯୁକ୍ତି ଦିଆଯାଉନି ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି। ଅନ୍ୟପକ୍ଷରେ ଆଉ ଦିନ କେଇଟା ପରେ ରାୟଗଡା ପରି ଜୟପୁର ରେଳ ଷ୍ଟେହସନ ହେବ ଜୟପୁର ଜଙ୍କସନ। ଏହିଠାରୁ ନବରଙ୍ଗପୁର ଓ ମାଲକାନଗିରିକୁ ରେଳ ଲାଇନ ଆରମ୍ଭ ହେବ। ଅନ୍ୟପକ୍ଷରେ ବହୁ ପ୍ରତିକ୍ଷିତ ୩୮ କିଲୋମିଟର ବିଶିଷ୍ଟ ଜୟପୁର-ନବରଙ୍ଗପୁର ରେଳ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ଡିପିଆର ପ୍ରସ୍ତୁତ କରି ୭୪୮କୋଟି ଟଙ୍କା ମଞ୍ଜୁର କରିଥିବାବେଳେ ଆସନ୍ତା ୩ ବର୍ଷ ମଧୢରେ ଶେଷ କରିବାକୁ ନିର୍ଦ୍ଦେଶ ରହିଛି। ଏବେ ଏହି ଲଇନରେ ଅଧାରୁ ଅଧିକ ଜମି ଚିହ୍ନଟ ହୋଇ ଅଧିଗ୍ରହଣ କାର୍ଯ୍ୟ ଜାରି ରହିଥିବାବେଳେ ଭୁବନେଶ୍ବରସ୍ଥିତ ନବକୃଷ୍ଣ ଚୌଧୁରୀ ସେଣ୍ଟର ଫର ଡେଭଲପମେଣ୍ଟ ଷ୍ଟଡିଜ୍ (ଏନସିଡିଏସ) ପକ୍ଷରୁ ଏହାକୁ କରାଯାଉଛି। ଏହି ପ୍ରକଳ୍ପ ପାଇଁ ଜନଶୁଣାଣି ହୋଇପାରୁ ନ ଥିବାବେଳେ ସ୍ଥାୟୀ ବରିଷ୍ଠ ଅଧିକାରୀ ନ ଥିବାରୁ କାର୍ଯ୍ୟ ଆଗଇେ ପାରୁନି।

ସେହିପରି ଦକ୍ଷିଣ ଓଡ଼ିଶାର ଏହି ମାଲକାନଗିରିରେ ଆଦିବାସୀ ଓ ଅପହଞ୍ଚ ଅଞ୍ଚଳ ଭାବେ ପରିଚିତ। ଏହି ଜିଲ୍ଲାକୁ ରେଳପଥ ନିର୍ମାଣ କରାଯିବାକୁ ଦୀର୍ଘଦିନ ହେବ ଦାବି ଉଠୁଥିଲା। ଏହାକୁ ହୃଦୟଙ୍ଗମ କରି ୨୦୧୬ ଅକ୍ଟୋବର ୧୦ ତାରିଖରେ ଉଭୟ କେନ୍ଦ୍ର-ରାଜ୍ୟ ସରକାରଙ୍କ ମଧୢରେ ଏକ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ଜୟପୁର-ନବରଙ୍ଗପୁର ୩୮ କିଲୋମିଟରର ରେଳପଥ(୫୦ ପ୍ରତିଶତ ଅର୍ଥ ରାଜ୍ୟ ସରକାର ବହନ କରିବେ) ଓ ଜୟପୁର-ମାଲକାନଗିରି ୧୩୦ କିଲୋମିଟର ରେଳପଥ(୨୫ ପ୍ରତିଶତ ଅର୍ଥ କେନ୍ଦ୍ର ସରକାର ବହନ କରିବେ) ପାଇଁ ୨୦୧୬-୧୭ ବଜେଟରେ ଘୋଷଣା କରିଥିଲେ କେନ୍ଦ୍ର ସରକାର।

ଏନେଇ ପୂର୍ବତନ ଜମିଅଧିଗ୍ରହଣ ଅଧିକାରୀ ନୀରୋଦ କୁମାର ବେହେରା କହିଛନ୍ତି ଯେ ୨୦୧୯ ଶେଷ ବେଳକୁ ରାଜ୍ୟରେ ଚାଲିଥିବା ଏକାଧିକ ପ୍ରକଳ୍ପରେ ନିୟୋଜିତ ଥିବା କର୍ମଚାରୀଙ୍କୁ ସରକାର ବାହାର କରି ସେହି ସ୍ଥାନରେ ସ୍ଥାୟୀ ନିଯୁକ୍ତି ଦେଲେ। ଭବାନୀପାଟଣା ଦାୟିତ୍ବ ସହ ଜୟପୁରରୁ ଦୁଇ ପ୍ରଳକ୍ପ ପାଇଁ ମୋତେ ସରକାର ନିୟୋଜିତ କରିଥିଲେ। ପରେ ଆମକୁ ବାହାର କରି ଉପଜିଲ୍ଲାପାଳଙ୍କୁ ଦାୟିତ୍ବ ଦେଇଛନ୍ତି ବୋଲି ସେ କହିଛନ୍ତି।

ଏନେଇ ପୂର୍ବତନ ସାଂସଦ ବଳଭଦ୍ର ମାଝି କହିଛନ୍ତି ଯେ ରାଜ୍ୟ ସରକାର କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାର ଲୋକଙ୍କ ସହ ଖେଳୁଛନ୍ତି। ସ୍ଥାୟୀ ନିଯୁକ୍ତି ନ ଦେଇ ନିଦାବିଷ୍ଣୁ ପାଲଟିଛନ୍ତି। ଫଳରେ କେନ୍ଦ୍ର ସରକାର ଓ ରେଳବାଇ ଲୋକଙ୍କ ନିକଟରେ ନିନ୍ଦିତ ହେଉଛନ୍ତି ବୋଲି ସେ କହିଛନ୍ତି।