୬ବର୍ଷ ପରେ ବି କୋତାୱାଲସା–ଜଗଦଲପୁର ରେଳପଥ ଦୋହରୀକରଣ କାମ ସରୁନି

ଜୟପୁର : ଗତ ୬ବର୍ଷ ହେବ ଆନ୍ଧ୍ରପ୍ରଦେଶର କୋତାୱାଲସା- କିରୋଣ୍ଡଲ ରେଳପଥରେ କୋତାୱାଲସା-ଜଗଦଲପୁର ପର୍ଯ୍ୟନ୍ତ ରେଳପଥ ଦୋହରୀକରଣ କାମ ଆରମ୍ଭ ହୋଇଛି। ‌ତେବେ ଏହି କାମ ୬ବର୍ଷ ପରେ ବି ସରିବା ନାଁ ନେଉନି। ଅପରପକ୍ଷରେ ଆନ୍ଧ୍ର ଓ ଛତିଶଗଡ ଅଂଚଳରେ ଚାଳିଥିବା ଦୋହରୀକରଣ କାମ ସରି ଆସିଥିବା ବେଳେ କୋରାପୁଟ ଜିଲ୍ଲାରେ ମନ୍ତର ଗତିରେ କାମ ଚାଳିଛି। ଖାସ୍ କରି କୋରାପୁଟ-ଜୟପୁର ମଧ୍ୟରେ ଏହି କାମ ଧିମେଇ ଯାଇଛି। ଏହି କାମ ସରିବାକୁ ଆଉ କେତେ ବର୍ଷ ଲାଗିବ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ସଂପ୍ରତି ଛତଡିପୁଟରୁ ଉମୁରୀ ପର୍ଯ୍ୟନ୍ତ କାମ ଚାଳିଛି। କିଛି ସ୍ଥାନରେ ଟ୍ରାକ ପକାଯାଇଥିବା ବେଳେ ଆଉ କିଛି ସ୍ଥାନରେ କେବଳ ମାଟି ଜମା କରି ରଖାଯାଇଛି। ତେବେ ବହୁ କଲଭର୍ଟ ଓ ସେତୁର କାମ ଏବେ ବି ହୋଇ ପାରିନି। କୋତାୱାଲସା କିରୋଣ୍ଡଲ ରାସ୍ତାରେ ମୁଖ୍ୟତଃ  ଲୁହା ପଥର ବିଶାଖାପାଟଣାକୁ ନିଆଯାଉଛି। ଏହା ସାଙ୍ଗକୁ ଏହି ରାସ୍ତାରେ ଏବେ ରେଳମନ୍ତ୍ରଳାୟ ବି ଛତିଶଗଡର ଜଗଦଲପୁର ସହ ଭୁବନେଶ୍ବର, କଲିକତା, ହାୱାଡା, ବାଙ୍ଗାଲୁର, ରାଉରକେଲା ,ବିଶାଖାପାଟଣା ଆଦି ବଡ଼ ବଡ ସହ‌ରକୁ ସଂଯୋଗୀକରଣ କରି ଏକ୍ସପ୍ରେସ ଓ ପାସିଂଜର ଟ୍ରେନ ବି ଚଳାଚଳ କରୁଛି। ରେଳବିଭାଗର ଏହି ରାସ୍ତା ସବୁ ଠାରୁ ଅଧିକା ଲାଭ ଦେଉଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି। ୨୦୧୫ଆର୍ଥିକ ବର୍ଷ ବଜେଟରେ ଏହା ମଂଜୁର ହୋଇଥିଲା। ଆନ୍ଧ୍ରପ୍ରଦେଶର କୋତାୱାଲସାରୁ ଜଗଦଲପୁର ପର୍ଯ୍ୟନ୍ତ ୨୯୯.୪୯କିଲୋ ମିଟର ପାଇଁ ୪୮୧୬.୬୬କୋଟି ଟଙ୍କାର ବ୍ୟୟ ଅଟକଲ କରାଯାଇଥିଲା। ଏଥିରେ କୋତାୱାଲସାରୁ କୋରାପୁଟ ପର୍ଯ୍ୟନ୍ତ ୧୮୯.୨୭୮କି‌ଲୋମିଟରକୁ ୨୯୭୭.୬୪କୋଟି ଓ କୋରାପୁଟରୁ ଜଗଦଲପୁର ମଧ୍ୟରେ ୧୧୦.୨୨କିଲୋମିଟରକୁ ୧୮୩୯.୦୨କୋଟି ଟଙ୍କା ଏଭଳି ୪୮୧.୬୬କୋଟି ଟଙ୍କା ବ୍ୟୟ ବରାଦ ରଖାଯାଇଛି। ସେଭଳି କୋତାୱାଲସାରୁ କୋରାପୁଟ ମଧ୍ୟରେ ଆନ୍ଧ୍ରର ୧୨ ଓ ଓଡିଶାର ୮ଟି ଷ୍ଟେସନ ରହିଛି। ସେଭଳି କୋରାପୁଟରୁ ଜଗଦଲପୁର ମଧ୍ୟରେ ଓଡିଶାର ୯ଟି ଓ ଛତିଶଗଡର ୪ଟି ଏଭଳି ସର୍ବମୋଟ ୩୩ଟି ଷ୍ଟେସନ୍ ରହିଛି। ରେଳପଥ ଦୋହରିକରଣ ହେଲେ ଏହି ୩୩ଟି ଯାକ ଷ୍ଟେସନର ଉନ୍ନତିକରଣ ହୋଇ ପାରିବ। ଏହା ସାଙ୍ଗକୁ ଏହି ରାସ୍ତାରେ ଅଧିକା ଯାତ୍ରୀବାହୀ ଟ୍ରେନ ସହ ଗୁଡ଼ସ୍ ‌(ମାଲବାହୀ) ଟ୍ରେନ ବି ଚଳାଚଳ କରି ପାରିବ। ଏହାରି ମଧ୍ୟରେ ଅତ୍ୟାଧୁନିକ ବ୍ୟବସ୍ଥା ରହିତ ହୀରାଖଣ୍ଡ ଏକ୍ସପ୍ରେସ ବି ଚଳାଚଳ ଆରମ୍ଭ କରିଛି। ନୂଆ ରେଳମନ୍ତ୍ରୀ ତଥା ଓଡିଶାର ରାଜ୍ୟସଭାସାଂସଦ ଅଶ୍ବିନୀ ବୈଷ୍ଣବ ହେବା ପରେ ଓଡିଶାର ରେଳସେବାରେ ଅଧିକା ଉନ୍ନତି ହେବା ଆଶା ଦେଖାଦେଇଛି।   ତେବେ ରେଳପଥ ଦୋହରୀକରଣ କାମ ମନ୍ତର ଗତିରେ ଚାଳିଥିବାରୁ ଏହା ସଂପୁର୍ଣ୍ଣ ହେବାକୁ ଆଉ କେତେ ବର୍ଷ ଲାଗିବ ଏଥିରେ ସ୍ଥାନୀୟ ବିଧାୟକ, ମନ୍ତ୍ରୀ, ସାଂସଦ ଆଦି ଦୃଷ୍ଟି ଦେବା ସହ ରେଳମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ଆବଶ୍ୟକ  ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

 

ସମ୍ବନ୍ଧିତ ଖବର