ରାଇରଙ୍ଗପୁର/ଗୋରୁମହିଷାଣୀ: ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ବଡମୌଦା ଗ୍ରାମ ନିକଟରେ ଥିବା ରେଳଫାଟକ ପାର୍ଶ୍ବରେ ଥିବା ଗୋଳାପୋଲଟି ଅତି ନିମ୍ନମାନର ଓ ଅଣଓସାରିଆ ହୋଇଥିବାରୁ ବର୍ଷା ହେଲେ ସେଥିରେ ୫ ଫୁଟର ପାଣି ଜମି ରହୁଥିଲା। ଫଳରେ ଗ୍ରାମବାସୀମାନଙ୍କ ଯିବା ଆଉସିବା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା। ଏପରିକି ଜରୁରୀକାଳୀନ ସମୟରେ ମଧ୍ୟ ଯାନବାହାନ ଚଳାଚଳ ହୋଇ ପାରୁନଥିଲା।
ତେବେ ୫ ଫୁଟର ପାଣି ଜମି ରହୁଥିବାରୁ ଦୀର୍ଘସମୟ ଧରି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ଯାଇଥାନ୍ତି। ତେବେ ଗ୍ରାମବାସୀ ବାରମ୍ବାର ଗୋରୁମହିଷାଣୀ ଷ୍ଟେସନ ମାଷ୍ଟର, ଗୋଳାପୋଲ କାର୍ଯ୍ୟ କରୁଥିବା ଠିକାଦାରଙ୍କ ସମେତ ଚକ୍ରଧରପୁର ରେଳ ଡିଭିଜନର ଡିଆରଏମଙ୍କ ନିକଟରେ ମଧ୍ୟ ଦାବି କରିଥିଲେ। ଏହା ବ୍ୟତୀତ ଗୋଳାପୋଲ ନିର୍ମାଣ ଶେଷ ନ ହେବା ପର୍ଯ୍ୟନ୍ତ ରେଳଫାଟକକୁ ଜନସାଧାରଣଙ୍କ ନିମନ୍ତେ ଖୋଲାଯାଉ ବୋଲି ମଧ୍ୟ ଦାବି କରିଥିଲେ।
ତେବେ ବାରମ୍ବାର ଦାବି ପରେ ମଧ୍ୟ କେହି କର୍ଣ୍ଣପାତ ନ କରିବାରୁ ୧୬ ଜୁଲାଇରେ ଗ୍ରାମବାସୀ ବାଧ୍ୟ ହୋଇ ଟାଟା-ବାଦାମପାହାଡ ମେମୁ ଟ୍ରେନକୁ ଗୋରୁମହିଷାଣୀ ଷ୍ଟେସନ ପହଂଚିବାର ୩ କି.ମି ପୂର୍ବରୁ ବଡମୌଦା ଗ୍ରାମ ନିକଟରେ ସମସ୍ୟାର ସମାଧାନ ପାଇଁ ଶତାଧିକ ଗ୍ରାମବାସୀ ରେଳକୁ ୭ ଘଣ୍ଟା ପର୍ଯ୍ୟନ୍ତ ରେଳ ରୋକ କରିଥିଲେ। ଦାବି ପରେ ମଧ୍ୟ ରେଳ ଫାଟକ ଖୋଲା ଯାଇନଥିବାରୁ ସମସ୍ୟାର ସମାଧାନ ହୋଇନଥିଲା। ପୁଣି ୬ ଫୁଟର ପାଣି ଜମି ରହିଥିଲା। ଫଳରେ ରାତି ୧୦ ଘଟିକା ପର୍ଯ୍ୟନ୍ତ ଶତାଧିକ ଲୋକେ ହଇରାଣ ହୋଇଥିଲେ। ସମସ୍ୟା ଜଟିଳ ହେବାରୁ ରେଳ ବିଭାଗ ବାଧ୍ୟ ହୋଇ ରେଳ ଫାଟକକୁ ଖୋଲିଲା। ତେବେ ବର୍ତ୍ତମାନ ଜନସାଧାରଣଙ୍କ ଯିବା ଆସିବା ସୌଭାବିକ ହେଲା।