ସମ୍ବଲପୁର: ପୂର୍ବତଟ ରେଳବାଇ ମହାପ୍ରବନ୍ଧକ ମନୋଜ ଶର୍ମା ଆଜି ରାୟଗଡ଼ା-ଟିଟିଲାଗଡ଼-ସମ୍ବଲପୁର-ଜରପଡ଼ା ସେକ୍ସନ ନିରୀକ୍ଷଣ କରିଛନ୍ତି। ଏଥି ସହିତ ଟ୍ରେନ୍ ଯାତାୟାତ ସୁବିଧା ବି ସମୀକ୍ଷା କରିଛନ୍ତି। ନିରୀକ୍ଷଣ ସମୟରେ ସମ୍ବଲପୁର ଡିଆର୍ଏମ୍ ବିନୀତ ସିଂ, ପୂର୍ବତଟ ରେଳପଥର ବିଭାଗୀୟ ପ୍ରମୁଖମାନଙ୍କ ସହିତ ସମ୍ବଲପୁର ମଣ୍ଡଳର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଶ୍ରୀ ଶର୍ମା ରାୟଗଡ଼ା ଓ ଜରପଡ଼ା ମଧ୍ୟରେ ମୁନିଗୁଡ଼ା, ଆମ୍ବୋଦଳା, ଟିଟିଲାଗଡ଼, ବଲାଂଗୀର, ବରଗଡ଼ ରୋଡ଼, ସମ୍ବଲପୁର ସିଟି ଷ୍ଟେସନ ନିରୀକ୍ଷଣ କରିଥିଲେ। ଗୁରୁତ୍ବପୂର୍ଣ୍ଣ ଷ୍ଟେସନଗୁଡ଼ିକ ବ୍ୟତୀତ ଭିତ୍ତିଭୂମି ସମ୍ବନ୍ଧୀୟ ଏବଂ ଯାତ୍ରୀ ସୁବିଧା ସମ୍ବନ୍ଧୀୟ କାର୍ଯ୍ୟର ସମୀକ୍ଷା କରିଥିଲେ। ସେ ଅଧିକାରୀ ଓ କର୍ମଚାରୀମାନଙ୍କୁ ଟ୍ରେନ୍ର ସୁପରିଚାଳନା ଓ ଯାତ୍ରୀ ସୁବିଧା ସୁନିଶ୍ଚିତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ।