ଟିଟିଲାଗଡ଼: ଟିଟିଲାଗଡ଼ ରେଳ ଷ୍ଟେସନରେ ଆର୍ପିଏଫ କଟକଣାକୁ ବିରୋଧ କରି ଶୁକ୍ରବାର ରେଳବାଇ ହକର ସଂଘ ପକ୍ଷରୁ ଷ୍ଟେସନ ସାମନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ନେତୃତ୍ୱରେ ସଂଘର କର୍ମକର୍ତ୍ତା ତଥା ସଦସ୍ୟ ସ୍ଥାନୀୟ ହିନ୍ଦୀ ହାଇସ୍କୁଲ ଛକରୁ ଶୋଭାଯାତ୍ରାରେ ବାହାରି ଷ୍ଟେସନ ସାମନାରେ ପହଞ୍ଚିଥିଲେ। ପ୍ରତିବାଦ ସଭାରେ ଅଭିଯୋଗ କରିଥିଲେ ଯେ ଟିଟିଲାଗଡ଼ ଷ୍ଟେସନରେ ତିନି ଶହରୁ ଅଧିକ ହକର ରେଳ ଗାଡ଼ିରେ ବିଭିନ୍ନ ସାମଗ୍ରୀ ବିକ୍ରି କରି ସେମାନଙ୍କ ପରିବାର ପ୍ରତିପୋଷଣ କରି ଆସୁଛନ୍ତି। ବର୍ତ୍ତମାନ ଟିଟିଲାଗଡ଼ ଆର୍ପିଏଫ୍ର ଓଆଇସି ଭାବେ ସୁଶୀଳ ପାଠକ ଦାୟିତ୍ୱ ନେବା ପରଠାରୁ ସେମାନଙ୍କ ଉପରେ କଟକଣା କରାଯାଇଛି। ଫଳରେ ସେମାନଙ୍କ ରୋଜଗାର ବନ୍ଦ ହୋଇଯାଇଛି। ବିକ୍ଷୋଭ ସମୟରେ ରେଳବାଇ ପୁଲିସ ଡିଏସ୍ପି ଦିଲୀପ ବାଗ ପହଞ୍ଚି ବିକ୍ଷୋଭକାରୀଙ୍କୁ ବୁଝାଶୁଝା କରିଥିଲେ।
ହକରମାନଙ୍କୁ ଟ୍ରେନରେ ବ୍ୟବସାୟ କରିବାକୁ ଅନୁମତି ଦେବା ସହ ଶ୍ରୀ ପାଠକଙ୍କ ବଦଳି ପ୍ରକ୍ରିୟା ଉପରେ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରିବାକୁ ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଏହି ଆନ୍ଦୋଳନରେ ଅନ୍ୟମାନଙ୍କ ମଧ୍ୟରେ ଟିଟିଲାଗଡ଼ ପୌରାଧ୍ୟକ୍ଷ ଗୋବର୍ଦ୍ଧନ ନାଗ, ଯୁବ କଂଗ୍ରେସର ରାଜ୍ୟ ସଂପାଦକ ବୀରେନ୍ଦ୍ର ବାଗ, କୁମୁଡ଼ା ପାହାଡ଼ ସୁରକ୍ଷା ସମିତି ସଂପାଦକ ଉପେନ୍ଦ୍ର ବାଗ, ଶିବ ମାଝୀ, ପ୍ରହଲ୍ଲାଦ ଯୋଷୀ, ପ୍ରଦୀପ ନନ୍ଦ, ମାୟାଧର ମହାନନ୍ଦ, ଶଙ୍କର ରାଓ, ପିଭିଆର ରେଡ୍ଡି, ମେଘନାଦ ବାରିକ, ଲୋକନାଥ ଭୋଇ, ରଞ୍ଜନ ଦୀପ, ସୁଶାନ୍ତ ବାରିକ, କଶ୍ୟପ ସେଠ, ଶିବ ମଲ୍ଲିକ, ଧ୍ରୁବଚରଣ କଠାର, ଧର୍ଯ୍ୟ ନାୟକ, କିଶୋର ମିଶ୍ର, ପର୍ଶୁ ସାଏ, ବବଲୁ ଭଗତ, ଅମର ସାହୁ, ଶଙ୍କର ସାହୁ, ସୁରେନ୍ଦ୍ର ନାଏକ, ଲକ୍ଷ୍ମୀକାନ୍ତ ବେହେରା, ସନ୍ତୋଷ ସାହୁ, ଶରତ ନାଏକ, ଉମେଶ ବାଗ, ଚିଣ୍ଟୁ ତାଣ୍ଡି ପ୍ରମୁଖଙ୍କ ସହ ସଂଗଠନର ଶତାଧିକ କର୍ମକର୍ତ୍ତା ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/blgr.jpg)