ରେଳମନ୍ତ୍ରୀଙ୍କ ଦୃଷ୍ଟି ମାଲକାନଗିରି ଜିଲ୍ଲା ଉପରେ ପଡୁ; ୧୦ କିଲୋମିଟର ଜମି ଅଧିଗ୍ରହଣ ବାକି ରହିଛି

ଜିଲ୍ଲାବାସୀଙ୍କ ସ୍ବପ୍ନ ଉଦ୍ଜିବିତ

ମାଲକାନଗିରି: ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାକୁ ରେଳପଥ ଛୁଇଁବ ବୋଲି ଗତ ୨୦୧୭ ମସିହାରେ କେନ୍ଦ୍ର ସରକାର ଦେଖାଇଥିବା ସ୍ବପ୍ନ ପୂରଣ ହେବାକୁ ଆହୁରି କେତେ ବର୍ଷ ଲାଗିବ ସେନେଇ ଜିଲ୍ଲାବାସୀ ଅନେଇ ବସିଛନ୍ତି। କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ଭିତରେ ସେହି ବର୍ଷ ହିଁ ଜୟପୁର ଠାରୁ ମାଲକାନଗିରି ୧୩୦ କିଲୋମିଟର ରେଳପଥ ପାଇଁ ଏମଓୟୁ ଦସ୍ତଖତ ହୋଇଥିଲା। ଇତି ମଧ୍ୟରେ ଚାରି ବର୍ଷ ପୁରି ଯାଇଥିଲେ ମଧ୍ୟ ଜମି ଅଧିଗ୍ରହଣ ଶେଷ ହେବାର ନାମ ନେଉ ନାହିଁ। ଜିଲ୍ଲାବାସୀଙ୍କ ସ୍ବପ୍ନ ସାକାର ହେବାକୁ ଆହୁରି କେତେ ଯେ ବର୍ଷ ଲାଗିବ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। କିନ୍ତୁ ଓଡିଶାରୁ ଅଶ୍ବୀନ ବୈଷ୍ଣବ ରେଳ ମନ୍ତ୍ରୀ ହେବା ପରେ ହୁଏତ ଏହି ସ୍ବପ୍ନ ଏବେ ପୂରଣ ହେବ ବୋଲି ଅନୁମାନ କରାଯାଏ।

ମାଲକାନଗିରି ପ୍ରତି ତାଂକର ଦୃଷ୍ଟି ପଡିଲେ ଆଗାମୀ କିଛି ବର୍ଷ ମଧ୍ୟରେ ଏହା ସଂପୂର୍ଣ୍ଣ ହୋଇଯିବା ବୋଲି କୁହାଯାଇଛି। ଏଠାରେ ସୂଚନା ଯୋଗ୍ୟ ଯେ ଜୟପୁର ଠାରୁ ମାଲକାନଗିରି ପର୍ଯ୍ୟନ୍ତ ୧୩୦ କିଲୋମିଟର ରେଳପଥ ପାଇଁ ସରକାର ୨୩୪୩.୬୪ କୋଟି ଟଂକା ଖର୍ଚ୍ଚ ନେଇ ବ୍ୟୟବରାଦ କରାଯାଇଛି। ଏଥିରେ ରାଜ୍ୟ ସରକାରଙ୍କର ଭାଗ ୫୮୫.୯୧ କୋଟି ଟଂକା ହୋଇଥିବା ବେଳେ କେନ୍ଦ୍ର ସରକାରଙ୍କର ଭାଗ ୧୭୫୭.୭୩ କୋଟି ଟଂକା ବୋଲି ଜଣାପଡିଛି।

ରାଜ୍ୟ ସରକାର ସମସ୍ତ ଖର୍ଚ୍ଚର ୨୫ ପ୍ରତିଶତ ଖର୍ଚ୍ଚ କରିବେ। ତେବେ ଗତ ୨୦୨୦-୨୧ ବର୍ଷରେ କେନ୍ଦ୍ର ବଜେଟରେ ମୋଟ ୨୮ କୋଟି ଟଂକା ଦିଆଯାଇଥିବା ବେଳେ ୨୦୨୧-୨୧ ବର୍ଷରେ କେନ୍ଦ୍ର ବଜେଟରେ ୩୮ କୋଟି ଟଂକା ପ୍ରଦାନ କରାଯାଇଛି। ତେବେ ଚଳିତ ବର୍ଷ ମାର୍ଚ୍ଚ ମାସ ସୁଦ୍ଧା ୬ କୋଟି ଟଂକା ଖର୍ଚ୍ଚ ହୋଇଥିବା ଜଣାପଡିଛି। ତେବେ ଏହି ଖର୍ଚ୍ଚ ଜମି ଅଧିଗ୍ରହଣ ଏବଂ କର୍ମଚାରୀଙ୍କ ବେତନ ବାବଦକୁ ଖର୍ଚ୍ଚ କରାଯାଇଛି। ୨୦୧୮ ମସିହାରେ ଜମି ଅଧିଗ୍ରହଣର ସଂପୂର୍ଣ୍ଣ ତାଲିକା ସରକାରଙ୍କ ପ୍ରଦାନ କରାଯାଇଛି। ସେଥିରେ ବ୍ୟକ୍ତିଗତ ଜମି ୪୬୩ ଏକର ରହିଥିବା ବେଳେ ୧୧୩ ଏକର ସରକାରୀ ଜମି ଅଧିଗ୍ରହଣ ରହିଛି। ସେହିପରି ୨୦୨୦ ମସିହାରେ ୩୫୬ ଏକର ବ୍ୟକ୍ତିଗତ ଜମି ଅଧିଗ୍ରହଣ ହୋଇଥିବା ବେଳେ ୭୪୩ ଏକର ସରକାରୀ ଜମି ଅଧିଗ୍ରହଣ ହୋଇଥିବା କୁହାଯାଇଛି। ମୋଟ ୧୨୦ କିଲୋମିଟର ଜମି ଅଧିଗ୍ରହଣ ସରିଥିବା ଜଣାପଡିଛି।

ଆଉ ମାତ୍ର ୧୦ କିଲୋମିଟର ହିଁ ଅଧିଗ୍ରହଣ ହେଲେ ରେଳପଥ କାର୍ଯ୍ୟ ଆରମ୍ଭ ହେବ ବୋଲି କୁହାଯାଇଛି। ୨୦୨୬ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଏହି ରେଳପଥ କାର୍ଯ୍ୟ ସମାପ୍ତ ପାଇଁ ଟାର୍ଗେଟ ରହିଛି। ଯଦି ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ଯଦି ରାଜ୍ୟ ସରକାର ରେଳ ବିଭାଗକୁ ଜମି ଅଧିଗ୍ରହଣ ସମାପ୍ତ କରି ଦିଅନ୍ତି ତେବେ ଟାର୍ଗେଟ ପୂରଣ ହୋଇପାରିବ ବୋଲି କୁହାଯାଇଛି। ଓଡିଶାରୁ ଅଶ୍ବୀନି ବୈଷ୍ଣବଙ୍କ ଦୃଷ୍ଟି ଯଦି ମାଲକାନଗିରି ଭଳି ଉପାନ୍ତ ଅଂଚଳରେ ପଡେ ତେବେ ନିଶ୍ଚିତ ଭାବେ ଏହା ତୁରନ୍ତ କାର୍ଯ୍ୟକାରୀ ହେବ ବୋଲି କୁହାଯାଇଛି। ଓଡିଶାରେ ରେଳପଥର ଉନ୍ନତିକରଣ ହେବ ବୋଲି ଲୋକେ ଆଶା ପ୍ରକଟ କରି ରହିଛନ୍ତି।

ସେହିପରି ମାଲକାନଗିରି ଜିଲ୍ଲାବାସୀ ମଧ୍ୟ ମନ୍ତ୍ରୀଙ୍କ ଦୃଷ୍ଟିଗୋଚର କରିବା ପାଇଁ ଆଗାମୀ ଦିନରେ ରେଳପଥ ପାଇଁ ନିବେଦନ କରିବେ ବୋଲି ଜଣାପଡିଛି। ଏଥିରେ ସମସ୍ତେ ସାମିଲ ହେବେ ବୋଲି ଜଣାପଡିଛି। ମାଲକାନଗିରି ଏୟାରଷ୍ଟ୍ରିପ ପର୍ଯ୍ୟନ୍ତ ଆଉ ଦଶ କିଲୋମିଟର ବାକି ଥିବା ବେଳେ ଏହା ଖୁବଶୀଘ୍ର ସମାପ୍ତ ହେବ ବୋଲି କୁହାଯାଇଛି। ଗତକାଲି ମାଲକାନଗିରି ତହସିଲଦାର ଏବଂ ବିଶାଖାପାଟଣମ୍‌ ସ୍ଥିତ ଇଷ୍ଟକୋଷ୍ଟ ରେଲୱେର ସିନିୟର ସେକ୍ସନ ଇଂଜିନିୟର ସୂର୍ଯ୍ୟ ନାରାୟଣ, ହାଇଦ୍ରାବାଦର ମାଥି ଟ୍ରଷ୍ଟ ଆଣ୍ଡ ଇନଫା ସର୍ଭେ କମ୍ପାନିର ଭେଙ୍କେଟେଶ ଏବଂ ରାଜସ୍ବ ବିଭାଗର କର୍ମଚାରୀ ମାନେ ମାନଚିତ୍ର ନେଇ ରେଳପଥ ପାଇଁ ନିର୍ଦ୍ଧାରିତ ହୋଇଥିବା ସ୍ଥାନ ଗୁଡିକର ପୁନଃ ଯାଞ୍ଚ କରିଥିଲେ। ମାଲକାନଗିରି ତହସିଲ ଅଧିନରେ ସିନ୍ଧ୍ରିମାଳ ଓ ମାଲକାନଗିରି ରାଜସ୍ବ ନିରୀକ୍ଷକ ସର୍କଲ ଅଧିନରେ ଥିବା ୧୩ଟି ଗ୍ରାମ ଦେଇ ଏହି ରେଳ ପଥ ଯାଉଥିବାରୁ ଜମି ଅଧିଗ୍ରହଣ ପାଇଁ କରାଯାଇଥିବା ସର୍ଭେ ଠିକ ଅଛି କି ନାହିଁ ଯାଞ୍ଚ ହୋଇଥିଲା। ତେବେ ସରକାରଙ୍କ ତରଫରୁ ରେଳପଥ ପାଇଁ ଜୋରଦାର କାର୍ଯ୍ୟ ଚାଲୁଥିବାରୁ ହୁଏତ ଆସନ୍ତା ୨୦୨୨ ମାର୍ଚ୍ଚ ସୁଦ୍ଧା ଜମି ଅଧିଗ୍ରହଣ ଶେଷ ହେବ ଏବଂ ହସ୍ତାନ୍ତର ହୋଇଯିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର