ଜନସାଧାରଣଙ୍କ ଆଶୀର୍ବାଦ ପାଇଁ ମୁଁ କୋରାପୁଟ ମାଟିକୁ ଆସିଛି: ଅଶ୍ୱିନୀ ବୈଷ୍ଣବ

ଲକ୍ଷ୍ମୀପୁର ଗସ୍ତରେ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ବିପୁଳ ସମ୍ବର୍ଦ୍ଧନା ଦେଲେ କର୍ମୀ ଓ ଅଂଚଳବାସୀ, ରଖିଲେ ଏକାଧିକ ଦାବି

କୋରାପୁଟ/ଲକ୍ଷ୍ମୀପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରେଳ ବିଭାଗ ସହିତ ୭ଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ପ୍ରଦାନ କରିଛନ୍ତି। ଲୋକଙ୍କ ଦୈନନ୍ଦିନ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆସୁ। ପ୍ରଧାନମନ୍ତ୍ରୀ ସେଥିପାଇଁ ପୂର୍ବ ଭାରତକୁ ଅଧିକ ଗୁରୁତ୍ୱ ଦେଇଛନ୍ତି। ଆଶୀର୍ବାଦର ଗଣତି ନାହିଁ। ତେଣୁ ଜନସାଧାରଣଙ୍କ ଆଶୀର୍ବାଦ ପାଇଁ ମୁଁ କୋରାପୁଟ ମାଟିକୁ ଆସିଛି। ଏ ଅଂଚଳର ଅସୁବିଧାକୁ ଦୂର କରିବା ମୋର ପ୍ରଥମ ଲକ୍ଷ୍ୟ। ଆଗାମୀ ଦିନର ରେଳ ବିଭାଗର ନୂତନ ପ୍ରକଳ୍ପ ଆସିଲେ ରୋଜଗାର ଅଧିକ ସୃଷ୍ଠି ହେବ ବୋଲି ରେଳମନ୍ତ୍ରୀ ପ୍ରକାଶ କରିଥିଲେ।

କୋଭିଡ ଯୋଗୁଁ ଲକ୍ଷ୍ମୀପୁର ଷ୍ଟେସନରେ ରେଳ ରହଣି ବନ୍ଦ କରାଯାଇଛି କିନ୍ତୁ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ତୁରନ୍ତ ଏଠାରେ ରେଳ ରହଣିର ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେବା ସହ ସ୍ଥାନୀୟ ମହିଳା ମାନଙ୍କ ସହ ବିଭିନ୍ନ ସମସ୍ୟା ବିଷୟରେ କେନ୍ଦ୍ରମନ୍ତ୍ରୀ ଆଲୋଚନା କରିଥିଲେ। ଅଂଚଳର ପାରମ୍ପରିକ ଶସ୍ୟ ମହିଳା ମାନେ ମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ।

କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କୋରାପୁଟ ଗସ୍ତ ଅବସରରେ ଆସି ପ୍ରଥମେ ଲକ୍ଷ୍ମୀପୁର ବ୍ଲକରେ ପ୍ରାୟ ଘଣ୍ଟାଏ ରହିଥିଲେ। ସେ ଏଠାରେ ପହଚିଂବା ପରେ ସ୍ଥାନୀୟ ଅଂଚଳବାସିଙ୍କ ଦ୍ଵାରା ସ୍ୱାଗତ କରାଯିବା ସହ ବିପୁଳ ସମ୍ବର୍ଧନା ଦିଆଯାଇଥିଲା। କେନ୍ଦ୍ରମନ୍ତ୍ରୀ ରାୟଗଡ଼ାରୁ ସଡ଼କପଥରେ ଲକ୍ଷ୍ମୀପୁର ପହଂଚି ଥିଲେ। ପ୍ରଥମେ ଲକ୍ଷ୍ମୀପୁର ବସଷ୍ଟାଣ୍ଡରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଲକ୍ଷ୍ମୀପୁର ଅଂଚଳବାସୀ କେନ୍ଦ୍ର ମନ୍ତ୍ରୀଙ୍କୁ ରେଳ ଷ୍ଟେସନରେ ରହିଥିବା ବିଭିନ୍ନ ସମସ୍ୟା ନେଇ ଅବଗତ କରିଥିଲେ। ବିଶେଷ କରି ଲକ୍ଷ୍ମୀପୁର ଭଳି ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେସନରେ ସମସ୍ତ ଯାତ୍ରୀବାହୀ ଟ୍ରେନ ରହଣି ବ୍ୟବସ୍ଥା କରିବା, ଟିକଟ ସଂରକ୍ଷଣ ବ୍ୟବସ୍ଥା କରିବା, ଟ୍ରେନ ଷ୍ଟେସନ୍‌ରେ ମାଲ୍‌ ପାର୍ସଲ କାଉଣ୍ଟର ଖୋଲିବା ଓ ଲକ୍ଷ୍ମୀପୁର ବ୍ଲକ ସଦର ମହକୁମାରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯିବା ସକାଶେ ଦାବି କରିଥିଲେ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ସେଠାରୁ ସାଧାରଣ ଲୋକଙ୍କ ଅଭିଯୋଗ ଗ୍ରହଣ କରିବା ପରେ ଏକ ସ୍ୱତନ୍ତ୍ର ଗାଡିରେ ନୁଆ ବସଷ୍ଟାଣ୍ଡରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ କର୍ମୀ ମାନଙ୍କ ସହ ଏକ ଶୋଭା ଯାତ୍ରାରେ ବାହାରିଥିଲେ। ଜଗନ୍ନାଥ ପରିଷଦ ତରଫରୁ ସେଠାରେ ସ୍ୱାଗତ କରାଯିବା ପରେ ମନ୍ଦିରରେ ପୂଜାର୍ଚ୍ଚନା କରି ସାମ୍ବାଦିକ ମାନଙ୍କ ସହ କିଛି ସମୟ ପାଇଁ ଆଲୋଚନା କରି ସେ ତାଙ୍କର ମନ୍ତବ୍ୟ ରଖିଥିଲେ।

ରେଳମନ୍ତ୍ରୀଙ୍କ ଗସ୍ତକୁ ଦେଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ିି କରାଯାଇଥିଲା। ଲକ୍ଷ୍ମୀପୁର ଓବିସି ମୋର୍ଚା ସଭାପତି ମନୋଜ କୁମାର ସାହୁ ମନ୍ତ୍ରୀଙ୍କ ଗସ୍ତର ସମସ୍ତ ବ୍ୟବସ୍ଥା କରିଥିବା ବେଳେ ରେଳ ମନ୍ତ୍ରୀଙ୍କ ସହ ଭୃଗୁ ବକ୍ସି ପାତ୍ର, ଜୟରାମ ପାଙ୍ଗି, ବଳଭଦ୍ର ମାଝୀ, ସୁମନ୍ତ ପ୍ରଧାନ କୁମୁଦ ସାୁଉଁନ୍ତା, ନକୁଳ ବିଷୋଇଙ୍କ ସମେତ ଜିଲ୍ଲା ସ୍ତରୀୟ ବିଜେପି ନେତା ଉପସ୍ଥିତ ରହିଥିଲେ।

ସମ୍ବନ୍ଧିତ ଖବର