ବାରିପଦା : ଅଗଷ୍ଟ ମାସରେ ମୟୂରଭଞ୍ଜରୁ ଉଭାନ୍ ହୋଇଯାଇଛି ବର୍ଷା। ଜିଲ୍ଲାର ୨୬ ବ୍ଲକ୍ରୁ ଅଧିକାଂଶ ବ୍ଲକ୍ରେ ଦେଖାଗଲାଣି ବର୍ଷା ଅଭାବଜନିତ ଜଳ ସଙ୍କଟ। ଏପରିକି ଉଚ୍ଚସ୍ଥାନରେ ଥିବା ଚାଷ ଜମି ପ୍ରଭାବିତ ହେଲାଣି। ଉଲ୍ଲେଖନୀୟ ବିଷୟ ଏହାଯେ ଶିମିଳିପାଳାକୁ ଲାଗିଥିବା ଶ୍ୟାମାଖୁଣ୍ଟା ବ୍ଲକ୍ର କଳାପଥର ପଞ୍ଚାୟତରେ ଚଳିତ ମାସରେ ଆଦୌ ବର୍ଷା ହୋଇନାହିଁ। ଯାହାକି ଚାଷୀ ଭାଇଙ୍କ ପାଇଁ ଚିନ୍ତାର କାରଣ ସାଜିଛି। କାରଣ ବର୍ଷା ସୃଷ୍ଟିର ଉତ୍ସ ଶିମିଳିପାଳକୁ ଲାଗିଥିବା ପଞ୍ଚାୟତରେ ଆଦୌ ବର୍ଷା ନହେବା ନିହାତି ଚିନ୍ତାଜନକ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଚଳିତ ମାସର ୨୧ ତାରିଖ ପର୍ୟ୍ୟନ୍ତ ଦୈନିକ ୨୪୩.୮୦ ମିମି ବର୍ଷା ରେକର୍ଡ କରାଯାଇଛି। ମାତ୍ର ଏହି ସମୟ ମଧ୍ୟରେ ଜିଲ୍ଲାରେ ହାରାହାରି ୨୮୨.୮୯ ମିମି ବର୍ଷା ହେବା କଥା। ଏହି ମାପଦଣ୍ଡକୁ ବିଚାରକୁ ନେଲେ ଜିଲ୍ଲାର ବଡ଼ସାହି, ମୋରଡ଼ା, କୁଳିଅଣା, ରାସଗୋବିନ୍ଦପୁର, ଖୁଣ୍ଟା, ଜିବି ନଗର, କପ୍ତିପଦା, ବିଜାତଳା, ରାଇରଙ୍ଗପୁର, ରରୁଁଆ, ଶୁକୃଳି, ଠାକୁରମୁଣ୍ଡା, ତିରିଂ, ଯଶୀପୁର, ବହଳଦା, ଜାମଦା ଭଳି ୧୬ଟି ଜିଲ୍ଲାରେ ସ୍ବାଭାବିକଠାରୁ କମ୍ ବର୍ଷା ରେକର୍ଡ କରାଯାଇଛି। ଯାହାକି ଚାଷୀ ଭାଇଙ୍କ ଚିନ୍ତା ବଢ଼ାଇଛି। ଆଜି ଏନେଇ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ପରେ ଜିଲ୍ଲାରେ ଆରମ୍ଭ ହୋଇଛି ପ୍ରଶାସନିକ ତନାଘନା। ମିଳିଥିବା ସୂଚନା ଅନୁସାରେ ଅଗଷ୍ଟ ମାସରେ ଜିଲ୍ଲାରେ ସ୍ବାଭାବିକ ଠାରୁ ବେଶ୍ କମ ବର୍ଷା ରେକର୍ଡ କରାଯାଇଛି। ଜୁନ୍ ମାସରେ ମଧ୍ୟ ଜିଲ୍ଲାରେ ସ୍ବାଭାବିକ ଠାରୁ କମ୍ ବର୍ଷା ହୋଇଥିଲା। ମାତ୍ର ଜୁଲାଇ ମାସରେ କିଛିଟା ସୁଧାର ଆସିଥିଲା। ଫଳରେ ଚାଷ କାମ ସ୍ବାଭାବିକ ହୋଇପାରିଥିଲା। କିନ୍ତୁ ଅଗଷ୍ଟ ଆରମ୍ଭରୁ ଜିଲ୍ଲାରୁ ବର୍ଷା ଏକରକମ ଉଭାନ୍ ହୋଇଯାଇଥିବା ଜଣାପଡ଼ିଛି। ଚଳିତ ମାସର ୨୧ ତାରିଖ ପର୍ୟ୍ୟନ୍ତ ଜିଲ୍ଲାର ପ୍ରାୟ ୭ଟି ବ୍ଲକ୍ରେ ଚଳିତ ମାସର ହାରାହାରିଠାରୁ ମଧ୍ୟ କମ୍ ବର୍ଷା ହୋଇଛି। ସେହିପରି ଜିଲ୍ଲାରେ ହୋଇଥିବା ବର୍ଷା ସୁଷମ ଢଙ୍ଗରେ ହୋଇନାହିଁ। ଶ୍ୟାମାଖୁଣ୍ଟା ବ୍ଲକ୍କୁ ଉଦାହରଣ ଭାବେ ନିଆଗଲେ ଏହା ସ୍ପଷ୍ଟ ହେବ। ଏହି ବ୍ଲକ୍ରେ ଚଳିତ ମାସର ୨୧ ଦିନ ମଧ୍ୟରେ ୩୧୮ ମିମି ବର୍ଷା ରେକର୍ଡ ହୋଇଛି। ମାତ୍ର ଏହି ବ୍ଲକ୍ରେ ୮ ଦିନ ଆଦୌ ବର୍ଷା ହୋଇନାହିଁ। ସେହିପରି ଆଉ ୭ ଦିନ ବର୍ଷାର ପରିମାଣ ଅତ୍ୟନ୍ତ ନଗଣ୍ର୍ୟ ରହିଛି। ଜିଲ୍ଲାର ବାକି ସବୁ ବ୍ଲକ୍ରେ ମଧ୍ୟ ସ୍ଥିତି ପ୍ରାୟତଃ ସମାନ ରହିଛି। ଯାହାକି ମରୁଡ଼ି ଆଶଙ୍କା ସୃଷ୍ଟି କରିଛି। ଆସନ୍ତାକାଲିଠାରୁ ଜିଲ୍ଲାରେ ଏନେଇ ଆକଳନ କରାଯିବ ବୋଲି ଜନୈକ ବରିଷ୍ଠ କୃଷି ଅଧିକାରୀ ସୂଚନା ଦେଇଛନ୍ତି। ଜିଲ୍ଲାରେ ଗତବର୍ଷ ଏହି ସମୟ ତୁଳନାରେ ପ୍ରାୟ ୬୨.୭୧ ପ୍ରତିଶତ କମ୍ ବର୍ଷା ରେକର୍ଡ କରାଯାଇଛି। ଉଲ୍ଲେଖଯୋଗ୍ୟଯେ ଜିଲ୍ଲାରେ ମୋଟ ୪ ଲକ୍ଷ ୩୭ ହଜାର ହେକ୍ଟର ଜମିରେ ଚଳିତ ଋତୁରେ ଧାନ ଏବଂ ଅଣଧାନ ଚାଷ ହେବାର ଲକ୍ଷ୍ୟ ଧାର୍ୟ୍ୟ କରାଯାଇଛି। ଆଜି ସୁଦ୍ଧା ଜିଲ୍ଲାରେ ୪ ଲକ୍ଷ ୭ହଜାର ୧୮୫ ହେକ୍ଟର ଜମିରେ ଚାଷ ହୋଇଛି। ଏହା ମଧ୍ୟରୁ କେବଳ ୨ ଲକ୍ଷ ୮୩ହଜାର ହେକ୍ଟର ଜମିରେ ଧାନ ଚାଷ, ୭୦୪୫ ହେକ୍ଟର ଜମିରେ ତୈଳବୀଜ, ୧୫୫୮ ହେକ୍ଟରରେ ପନିପରିବା ଆଦି ଚାଷ କରାଯିବାର ଲକ୍ଷ୍ୟ ରଖାଯାଇଛି। ଧାନ ଚାଷରେ ଜିଲ୍ଲାରେ ପ୍ରାୟ ୯୮.୬୯ ପ୍ରତିଶତ ଲକ୍ଷ୍ୟ ହାସଲ କରାଯାଇଛି। ମାତ୍ର ତୈଳବୀଜ, ଯ’ ଧାନ, ମାଣ୍ଡିଆ, ମକା, ପନିପରିବା, ଫାଇବର ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଲକ୍ଷ୍ୟ ହାସଲ ପ୍ରତିଶତ ୮୩.୦୪ ରହିଛି। ଯ‌ାହାକି ଆହୁରି ଭଲ ହୋଇପାରିଥାଆନ୍ତା ବୋଲି ମତପ୍ରକାଶ ପାଇଛି। ବର୍ଷାର ଅଭାବ ଏହାର ଏକ ପ୍ରମୁଖ କାରଣ ବୋଲି ବିବେଚନା କରାଯାଉଛି।