ବିଲରେ ଭିଜୁଛି, ଖଳାରେ ଭିଜୁଛି, ମଣ୍ଡିରେ ବି ଭିଜୁଛି ଧାନ

ଭଦ୍ରକ: ଗତ ତିନି ଦିନ ହେଲା ଭଦ୍ରକରେ ବର୍ଷା ବିତ୍ପାତ ଯୋଗୁଁ ଚାଷୀ କାନ୍ଦୁଛି। ବୁଲ୍‌ବୁଲ୍‌ ପରେ ସରକାରଙ୍କର ଧାନ କିଣା ନିୟମ ସାଙ୍ଗକୁ ଏବେ ଚାଷୀଙ୍କୁ ଅଧିକ କନ୍ଦାଉଛି ଅଦିନିଆ ବର୍ଷା। କୋହଲା ପାଗ ସାଙ୍ଗକୁ ବର୍ଷା ମାଡ଼ରେ ଚାଷୀ କିଲିବିଲିଆ ହୋଇଛି। ଧାନ ସବୁ କ୍ଷେତରୁ ଅମଳ ହୋଇ ନାହିଁ। ୭୦ ପ୍ରତିଶତ ଧାନ କଟା ହୋଇଥିବା ବେଳେ ଆହୁରି ୩୦ ପ୍ରତିଶତ ଧାନ କଟା ନହୋଇ କ୍ଷେତରେ ରହିଛି। କଟା ହୋଇଥିବା ଧାନରୁ ପୁଣି ୪୦ ପ୍ରତିଶତ ଧାନ ଅମଳ କରାଯାଇ ନାହିଁ। ଏହା କଟା ହୋଇ କ୍ଷେତରେ ପଡିଛି। କଳେଇ ବନ୍ଧା ହୋଇ ନାହିଁ। କଚଡ଼ା ଉଠି ନାହିଁ। ତା ଉପରେ ପୁଣି ଅଦିନିଆ ବର୍ଷା ପଡିବାରୁ ଏହି ସବୁ କଟା ଧାନ ଗଜା ମରୁଡ଼ି ହୋଇଯିବାରୁ ସମ୍ଭାବନା ଅଧିକ ରହିଥିବାରୁ ଏହି ଚିନ୍ତା ଚାଷୀଙ୍କୁ ଅଧିକ ଘାରିଛି।

ଅମଳ କରାଯାଇଥିବା ଧାନରୁ ଏବେ ମଧ୍ୟ ଅଧା ଧାନ ଖଳାକୁ ଉଠିଥିବା ବେଳେ ଆହୁରି ଅଧା ଧାନ ରହିଛି କ୍ଷେତରେ। ପଲିଥିନ ଟାଣି ଚାଷୀ ଖଳାରେ ଓ କ୍ଷେତରେ ଧାନ ରଖିଥିବା ବେଳେ ବର୍ଷା ସେମାନଙ୍କ ଧାନକୁ ସବୁ ଭିଜେଇ ଦେଇଛି। ବର୍ଷାରେ ଧାନ ଭିଜିଯାଇଥିବାରୁ ଏହାକୁ ବିକଳରେ ଚାଷୀ ବସ୍ତାରେ ଭର୍ତ୍ତି କରି ନିଜ ଘରକୁ ଆଣୁଛି। ବର୍ଷାରେ ଭିଜି ତିନି ଦିନ ହେଲା ଚାଷୀ ବେହାଲ ହୋଇଥିବା ବେଳେ ସମ୍ବାଦ ପକ୍ଷରୁ ଭଦ୍ରକ, ବନ୍ତ, ଧାମନଗର, ତିହିଡି, ଚାନ୍ଦବାଲି, ବାସୁଦେବପୁର ଓ ଭଣ୍ଡାରିପୋଖରୀ ବ୍ଲକର ଅନେକ ଚାଷୀଙ୍କ କ୍ଷେତକୁ ଯାଇ ଗ୍ରାଉଣ୍ଡ ଜିରୋ ରିପୋର୍ଟ ସଂଗ୍ରହ କରାଯାଇଥିଲା।

ଭଦ୍ରକ ବ୍ଲକ ଅନ୍ତର୍ଗତ ଗେଲପୁର ପଞ୍ଚାୟତର ଗୋପବନ୍ଧୁ ନଗର ଗ୍ରାମର ଚାଷୀ ଜୟ ଜଗନ୍ନାଥ ମଲ୍ଲିକ ଚଳିତ ବର୍ଷ ୧୦ ଏକର ଜମିରେ ଧାନ ଚାଷ କରିଥିଲେ। ଏବେ ସୁଦ୍ଧା ସେ ୫ ଏକର ଜମିରେ ଧାନ କାଟିଥିବା ବେଳେ କ୍ଷେତରେ ଆହୁରି ୫ ଏକର ଜମି ଅକଟା ହୋଇ ରହିଛି। ଯେଉଁ ଧାନ କଟାଯାଇଛି, ସେଥିରୁ ଅଧାରୁ ଅଧିକ ଧାନ କ୍ଷେତରେ ପଡିଛି। ଦୁଇ ତିନି ଦିନ ହେଲା ବର୍ଷା ଯୋଗୁଁ ଅମଳ ଧାନକୁ ତରବରିଆ ଭାବେ କ୍ଷେତରୁ ଉଠାଇ ନେଇ ନିଜର ଖଳା ବାଡିରେ ପଲିଥିନ ପକାଇ ରଖୁଥିବା ବେଳେ ଆଉ କିଛଇ ଧାନକୁ ବସ୍ତାରେ ପୂରାଇ ରଖିଛନ୍ତି। ସମବାୟ ସମିତି ଧାନ କିଣା ଆରମ୍ଭ କରି ନଥିବାର ବେଳେ ସେମାନେ ଧାନ ବିକ୍ରି କରିବାର ସୁଯୋଗ ପାଇପାରି ନାହାନ୍ତି। ବର୍ଷାରେ ତାଙ୍କର ଅମଳ ଧାନ ଭିଜି ଯାଇଥିବାରୁ, ସେ ଏଇ ଧାନ କିଭଳି ତୁରନ୍ତ ବିକ୍ରି କରିବାକୁ ଚାହୁଁଥିଲେ ମଧ୍ୟ ସରକାରଙ୍କର ଧାନ ବିକ୍ରି କରିବାର କଟକଣା ଓ ମେସେଜ୍‌ ସିଷ୍ଟମ ତାଙ୍କୁ ବେଶ୍‌ ଅଡୁଆରେ ପକାଇଛି।

କେବଳ ଗୋପବନ୍ଧୁ ନଗରର ଚାଷୀର ଏଇ ଦୁଃଖ କଥା ନୁହେଁ, କଲେଇ, ବିଭୁତିପୁର, ନଳାଙ୍ଗ, ଲାଙ୍ଗୁଡି, ବଳଭଦ୍ରପୁର, କଳାହାଣ୍ଡି କୁଣ୍ଡଳା, ଚୂନିଦା, ବଳାଜିତପଡା, ଜୁଣିଆପାଳ, ତିହିଡି, ଖାଣ୍ଟଗଢିଆ, କଣ୍ଟାପଡା, କୋଠାର, ସାତଭଉଣୀ, ହରିପୁର, ଅନନ୍ତପୁର, ମଙ୍ଗଳାପଦା, କାଉପୁର, ଚଢିଆ, ବନ୍ଧଗାଁ, ଏରେଇ, ସାବରଙ୍ଗ, ଇଚ୍ଛାପୁର, ରାନ୍ଦିଆ, ବରପଦା, ଗଣିଜାଙ୍ଗ, ତୋଡଙ୍ଗା, ରାମକୃଷ୍ଣପୁର, ସରମରା, ଟିଲୋ, ପଳସା, ସେଣ୍ଢତୀରା, କେନ୍ଦୁଆପଦା, ମଂଜୁରୀରୋଡ, ମଂଜୁରୀ, ନପଙ୍ଗ, ନେରଡା, ବିଲାବାଡି, କୋରକରା, କରେଇପୁର, ବସନ୍ତିଆ, ପୁରଷଣ୍ଢ, ଜାମିତିରା, ଅଣିଜୋ, ପାଟପୁର, ବିରିଡି, ରମ୍ଭିଳା, ଅଣ୍‌ତରାଇ, ବିଷ୍ଣୁପୁର ଅଣ୍ଡରାଇ ଆଦି ଗ୍ରାମର ବହୁ ଚାଷ ଜମି ନଷ୍ଟ ହୋଇଥିବା ବେଳେ ସେମାନଙ୍କର ଧାନ ସବୁ ଗଜା ମରୁଡି ହେବାର ସମ୍ଭାବନା ରହିଥିବା ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ସେହିପରି ସରକାରୀ ମଣ୍ଡିରେ ଧାନ ବିକ୍ରି ଠିକ୍‌ ଭାବେ କରାଯାଉ ନ ଥିବାରୁ ଏହାକୁ ନେଇ ଜିଲ୍ଲାର ଚାଷୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସରକାର ଧାନ କିଣୁ ନ ଥିବାରୁ ଚାଷୀ ବାଧ୍ୟ ହୋଇ ଓଦା ଧାନ ସବୁ ଦଲାଲ ହାତକୁ କମ୍‌ ମୂଲ୍ୟରେ ଟେକି ଦେଉଛି। ଚାଷୀର ଏଇ ଦୁର୍ଦ୍ଦିନ ସମୟରେ ସରକାର ସହାୟତାର ହାତ ବଢାଉ ନ ଥିବାରୁ ଚାଷୀ ନିରୁପାୟ ହୋଇ ବାହାର ଦଲାଲଙ୍କ ହାତକୁ ୧୧୫୦ ଟଙ୍କାରେ କୁଇଣ୍ଟାଲ ପିଛା ଧାନ ବିକ୍ରି କରି ଦେଉଛନ୍ତି। ଏଥିରେ ଚାଷୀ ଶୋଷଣରେ ଶିକାର ହେଉଛି।

ଚାଷୀ ଏବେ ଜିଲ୍ଲାରେ ହତାଶ ହୋଇପଡିଥିବା ବେଳେ ଯୋଗାଣ ବିଭାଗର ହାତ ଟେକି ଦେଇଛି। ସରକାରୀ ବ୍ୟବସ୍ଥା ଯାହା ଆମେ କିଛି କରି ପାରିବୁ ନାହିଁ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ପ୍ରକାଶ କରିଥିବା ବେଳେ ଜିଲ୍ଲାରେ ଗତ ୧୫ ଦିନ ଭିତରେ ସରକାରୀ ଭାବେ ମାତ୍ର ୯୩ ହଜାର କୁଇଣ୍ଟାଲ ଧାନ କିଣାଯାଇଥିବା ପ୍ରକାଶ କରିଛନ୍ତି। ଜିଲ୍ଲାରେ ୯୯ଟି ସେବା ସମବାୟ ସମିତି ମଧ୍ୟରୁ ଏବେ ୭୬ଟି ସେବା ସମବାୟ ସମିତିକୁ ଧାନ କିଣା ପାଇଁ ଅନୁମତି ମିଳିଥିବା ବେଳେ ୧୮ଟି ମହିଳା ସ୍ୱୟଂ ସହାୟିକା ସମିତିକୁ ଧାନ କ୍ରୟ କରିବାକୁ ଅନୁମତି ଦିଆଯାଇଛି। ଜିଲ୍ଲାରେ ମୋଟ ୧୧୨ ଟି କେନ୍ଦ୍ରରେ ସରକାରୀ ଭାବେ ଧାନ କ୍ରୟ କରିବାକୁ ନିର୍ଦ୍ଦେଶ ଥିବା ବେଳେ ଏବେ ସୁଦ୍ଧା ମାତ୍ର ୯୪ଟି କେନ୍ଦ୍ରରେ ଧାନ କ୍ରୟ କରିବା ପାଇଁ ଅନୁମତି ମିଳିଛି। ଏହା ଭିତରେ ୫୭ ହଜାର ଚାଷୀ ପଞ୍ଜୀକରଣ କରିଥିବା ବେଳେ ମାତ୍ର ୮ ହଜାର ଚାଷୀଙ୍କୁ ଧାନ କ୍ରୟ କରିବା ପାଇଁ ମେସେଜ୍‌ ଆସିଛି।

ସମ୍ବନ୍ଧିତ ଖବର