ସମ୍ବଲପୁର:ସମ୍ବଲପୁର ଜିଲ୍ଲାରେ ବର୍ଷା ବିତ୍ପାତ ଯୋଗୁ ଜନଜୀବନ ପ୍ରଭାବିତ ହୋଇଛି। ଗତକାଲି ଏସ୍‌ଆର୍‌ସିଙ୍କ ପକ୍ଷରୁ ସମ୍ବଲପୁର ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି ହେବା ପରେ ପୂର୍ବାହ୍ନ ୧୦ଟା ପରେ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରାଯାଇଥିଲା। ଅପରପକ୍ଷରେ ବର୍ଷା ଯୋଗୁ ଜିଲ୍ଲାରେ ଅନେକ ଜାଗାରେ ସେତୁ ଧୋଇ ହୋଇଯାଇଥିବା ବେଳେ ବହୁଲୋକଙ୍କ ଘରଦ୍ବାର ଭାଂଗିଯାଇ ନାହିଁ ନଥିବା କ୍ଷୟକ୍ଷତି ଘଟିଛି। ସମ୍ବଲପୁର ଜିଲ୍ଲାରେ ପବନ ବୋହିବା ସାଂଗକୁ ପ୍ରବଳ ବର୍ଷା ହୋଇଥିଲା। ଜିଲ୍ଲାର ଯୁଯୁମୁରାରେ ସର୍ବାଧିକ ୩୬୧.୮ ମିମି ବର୍ଷା ରେକର୍ଡ କରାଯାଇଛି। ସେହିପରି ରେଢ଼ାଖୋଲରେ ୩୪୮.୦ ମିମି, ଧନକଉଡ଼ାରେ ୫୧.୦ ମିମି, ରେଂଗାଲିରେ ୨୨.୪ ମିମି, ମାନେଶ୍ବରରେ ୬୪.୮ ମିମି, କୁଚିଣ୍ଡାରେ ୫୫.୨ ମିମି, ଜମନକିରାରେ ୧୧୨.୬ ମିମି, ବାମରାରେ ୩୧.୦ ମିମି ଏବଂ ନାକଟିଦେଉଳରେ ୧୪୦.୦ ମିମି ବର୍ଷା ହୋଇଛି। ମାଳତୀଯୋରରେ ବନ୍ୟା ଆସିବା ଯୋଗୁ ସମ୍ବଲପୁର-ସୋନପୁର ରାସ୍ତାର ମାଳତୀଗୁଣ୍ଡେରପୁର ସେତୁ ଉପରେ ପାଣି ପ୍ରଭାବିତ ହୋଇଥିଲା।

Advertisment

publive-image

ଯାହାଫଳରେ ସମ୍ବଲପୁର-ସୋନପୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ମାନେଶ୍ବର ମାନ୍‌ଧାତା ବାବାଙ୍କ ମନ୍ଦିରକୁ ମାଳତୀଯୋର ବନ୍ୟାପାଣି ପଶିବାରୁ ପୂଜାର୍ଚ୍ଚନା ବାଧାପ୍ରାପ୍ତ ହୋଇଥିଲା। ମନ୍ଦିର ପରିସରରେ ପାଖାପାଖି ୩ ଫୁଟ୍‌ ପାଣି ରହିଥିଲା। ଯୁଯୁମୁରା ବ୍ଲକ୍ ଅନ୍ତର୍ଗତ କଂସର ଆର୍‌ଡି ରାସ୍ତାରୁ କାଣ୍ଡପଡ଼ାକୁ ସଂଯୋଗ କରୁଥିବା ନବନିର୍ମିତ କଲଭର୍ଟର ଆପ୍ରୋଚ ରୋଡ ଧୋଇ ଯାଇଛି। ସେହିପରି ମାସେ ତଳେ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିବା ଲିପିଣ୍ଡା ଖଲିଆଦର ସେତୁ, ନବନିର୍ମିତ ବାହାମ-କୁଶନପୁରୀ ରାସ୍ତାର କଲଭର୍ଟକୁ ବର୍ଷା ଧୋଇ ନେଇଛି। ଏହି ବ୍ଲକ୍‌ ଅଂଚଳର ୨୬ ଜଣଙ୍କ ଘର ଆଂଶିକ ଭାଂଗିଥିବା ବେଳେ ଯୁଯମୁରା ହାଇସ୍କୁଲ ପାଚେରି ବି ଭାଂଗିଯାଇଛି। ନାକଟିଦେଉଳର ଚମ୍ପାଳି ନଦୀର ବନ୍ୟା ପାଣି ସେତୁ ଉପରେ ପ୍ରବାହିତ ହେଉଛି। ରେଢ଼ାଖୋଲ ବ୍ଲକ୍‌ର ଚାରମାଳ-ବଂଶାଜାଲ ସେତୁ ଧୋଇଯାଇଛି। ସେହିପରି ପୁରୁଣାଗଡ଼, ଥାନାମୁଣ୍ଡା ସେତୁ ଉପରେ ବି ପାଣି ପ୍ରବାହିତ ହୋଇଥିଲା। ପଣ୍ଡକିମାଲ ହାଇସ୍କୁଲରେ ବିଦ୍ୟୁତ ଖୁଣ୍ଟ ପଡ଼ିଛି। ସମ୍ବଲପୁର ମହାନଗର ଅଂଚଳର କଚେରି, ହସ୍ପିଟାଲ ରୋଡ, ପାଟଣେଶ୍ବରୀ ମନ୍ଦିର ପରିସରରେ ଥିବା ବଡ଼ ବଡ଼ ଗଛ ଭାଂଗି ଯାଇଛି।