ବଲାଙ୍ଗୀର: ଜିଲ୍ଲାରେ ଖରିଫ୍ ଧାନ କିଣା ପ୍ରକ୍ରିୟା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। କିନ୍ତୁ ଅଦିନିଆ ବର୍ଷା ଚାଷୀର ନିଦ ହଜାଇ ଦେଇଛି। ଲଗାତାର ବର୍ଷା ଯୋଗୁଁ ମଣ୍ଡି ଏବଂ କ୍ରୟ କେନ୍ଦ୍ରଗୁଡ଼ିକରେ ଧାନ ପାଣିରେ ବୋତରି ଯାଇଛି। ମଣ୍ଡିକୁ ଯିବା ପାଇଁ ପ୍ରସ୍ତୁତ ଶୁଖିଲା ଧାନ ବି ଭିଜି ଯାଇଛି। ବୁଧବାର ଦିନତମାମ ବର୍ଷା ସ୍ଥିତି ଆହୁରି ଦୟନୀୟ କରି ଦେଇଛି। ଖଳା ଏବଂ ରାସ୍ତାରେ ଶୁଖୁଥିବା ଧାନ ଆହୁରି ଓଦା ହୋଇଯାଇଛି। ଜିଲ୍ଲାରେ ଚବିଶ ଘଣ୍ଟାରେ ହାରାହାରି ୫.୫ ମିମି ବର୍ଷା ରେକର୍ଡ ହୋଇଛି। ସବୁ ବ୍ଲକ୍ରେ ବର୍ଷା ହୋଇଥିବା ବେଳେ ପାଟଣାଗଡ଼ରେ ସର୍ବାଧିକ ୧୫ ମିମି ଏବଂ ଡୁଡ଼ୁକାରେ ୧୨ ମିମି ବର୍ଷା ରେକର୍ଡ ହୋଇଛି। ବଲାଙ୍ଗୀରରେ ୧୦.୫ମିମି, ପୁଇନ୍ତଲାରେ ୧୧ ମିମି ବର୍ଷା ରେକର୍ଡ ହୋଇଛି।
କିଛି ଦିନ ହେଲା ପାଗ କୋହଲା ଥିଲେ ହେଁ ଚାଷୀ ଧାନ ମଣ୍ଡିକୁ ନେବକୁ ଯୋଜନା କରୁଥିଲେ। ହେଲେ ବର୍ଷା ସବୁ ବିଗାଡ଼ି ଦେଇଛି। ଗୋଟିଏ ପଟେ ଫସଲ କ୍ଷତିପୂରଣ ଟଙ୍କା ମିଳୁନଥିବାବେଳେ ବାରମ୍ବାର ଅଦିନିଆ ବର୍ଷା ଦାଉ ସାଜିଛି। ପାଣିପାଗର ସ୍ଥିତି ଯାହା, ଖରିଫ୍ ଧାନ ସଂଗ୍ରହ କରିବା ବିରାଟ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଚାଷୀ କଷ୍ଟରେ ଧାନ ଅମଳ କରୁଥିବା ବେଳେ ପାଣିପାଗ ସବୁ ଉଜାଡ଼ି ଦେଉଛି। ଯେଉଁ ଚାଷୀଙ୍କ ପାଖରେ ଧାନ ବିକିବାକୁ ଟୋକନ୍ ରହିଛି, ବର୍ଷା ଯୋଗୁଁ ଧାନ ସଂପୂର୍ଣ୍ଣ ଭିଜି ଯାଇଛି। ବିଲରୁ ବାହାରିଥିବା ଧାନ ଉପରେ କ୍ଷତିପୂରଣ ବ୍ୟବସ୍ଥା ନଥିବାରୁ ଚାଷୀଙ୍କ ଚିନ୍ତା ଦ୍ବିଗୁଣିତ ହୋଇଛି।