ଭଦ୍ରକ: ଲଘୁଚାପ ବର୍ଷାରେ ବୁଡିଲା ଶହଶହ ଏକର ଚାଷ ଜମି, ଚାଷୀ ନିରାଶ

ଭଦ୍ରକ: ଲଘୁଚାପ ଜନିତ ଲଗାଣ ବର୍ଷାରେ ଭଦ୍ରକ ଜିଲ୍ଲାର ଶହଶହ ଏକର ଚାଷ ଜମି ପାଣିରେ ବୁଡିଛି। ଅନେକ ଚାଷ ଜମିରେ ବର୍ଷା ପାଣି ରୁଆ ଧାନକୁ ବୁଡାଇ ରଖିଛି। କିଛି କିଛି ସ୍ଥାନରେ ମଧ୍ୟ ରୁଆ ଧାନ ଗଛ ସବୁ ପଚି ଯାଇଛି। ବର୍ଷା ନଥିବା ବେଳେ ଲୋକେ ବିକଳ ହେଉଥିଲେ।

ଜିଲ୍ଲାରେ ବର୍ଷା ଅଭାବରୁ ଗଜା ମରୁଡି ପରିସ୍ଥିତି ସୃଷ୍ଟି ହୋଇଥିଲା। ଲୋକଙ୍କର ତଳି ଧାନ ମଧ୍ୟ ନଷ୍ଟ ହୋଇଥିଲା। ଅନେକ ଚାଷୀ ଦ୍ଵିତୀୟ ବାର ତଳିଧାନ ପକାଇ ତଳି ଉଠାଇ ଏବେ ରୁଆ ପୋତା କରିଥିଲେ। ରୁଆ ବିଲରେ ସାର ପକାଇ କିଛି ଚାଷୀ ତାର କାମ ଶେଷ କରିବାକୁ ବସିଥିବା ବେଳେ ଲଘୁଚାପ ବର୍ଷା ଯୋଗୁଁ ଚାଷୀର ରୁଆ ବିଲ ବୁଡିଯାଇଛି। ଜିଲ୍ଲାର ବିଶେଷକରି ତିହିଡି, ଧାମନଗର, ଭଣ୍ଡାରିପୋଖରୀ, ବନ୍ତ, ଭଦ୍ରକ, ଚାନ୍ଦବାଲି, ବାସୁଦେବପୁରରେ ଲୋକଙ୍କର ଶହ ଶହ ଏକର ଚାଷ ଜମି ସବୁ ପାଣିରେ ବୁଡିଛି।

କରୋନା ମହାମାରୀ ସମୟରେ ବହୁ କଷ୍ଟରେ ଲୋକେ ଚାଷ କାମ କରିଥିଲେ। ରୁଆ ପୋତା ଶେଷ କରି ଚାଷୀ ଆଶ୍ୱସ୍ତ ହେବା ବେଳକୁ ପୁଣି ତା ଉପରେ ଲଘୁ ଚାପ ବର୍ଷା ଦାଉ ସାଜିଛି। ଅନେକ ବୁଣା ବିଲରେ ବିହୁଡା ଓ ଯାଆଁଳ କାମ ଶେଷ ହୋଇ ବାଟିଆ ପକା କାମ ଆରମ୍ଭ ହୋଇଥିଲା। ଯେଉଁସବୁ ବୁଣା ବିଲରେ ଯାଆଁଳ ଦିଆଯାଇ ବାଟିଆ ପକା କାମ ଶେଷ ହୋଇଥିଲା। ସେଇ ସବୁ ବିଲରେ ମଧ୍ୟ ବର୍ଷା ଜଳ ବୁଡାଇ ରଖିଥିବା ବେଳେ ଅନେକ ବିଲରେ ପଡିଥିବା ବାଟିଆ ଧାନ ଗଛ ସବୁ ସ୍ରୋତରେ ଭାସି ଯାଇଛି। ଆଉ କେତେକ ଧାନ ବିଲରେ ବର୍ଷା ପାଣିର ସୂଅ ଛୁଟୁଛି।

ଭଦ୍ରକ ଜିଲ୍ଲାର ଚାଷୀ ଚଳିତ ବର୍ଷ ସବର୍ବାଧିକ କ୍ଷତି ସହିଥିବା ବେଳେ ତାଙ୍କୁ ତୁରନ୍ତି ସରକାର ସହାୟତା କରିବା ପାଇଁ କୃଷକ ନେତା ତଥା ସିପିଆଇଏମର ଜିଲ୍ଲା ସଂପାଦକ ଚନ୍ଦ୍ରଶେଖର ନାୟକ, ଶ୍ରମିକ ନେତା ଦିବ୍ୟସିଂହ ନାୟକ, ଶ୍ରମିକ ନେତା ରାଧା ଦାସ, ସିପିଆଇଏମଲର ଜିଲ୍ଲା ସଭାପତି ସମର ବଳ, ନବ ନିର୍ମାଣ କୃଷକ ସଂଗଠନର ଜିଲ୍ଲା ଉପଦେଷ୍ଟା ହୃଦାନନ୍ଦ ରାଉତ, ଜିଲ୍ଲା ସଂଯୋଜକ ତ୍ରିଲୋଚନ ପଣ୍ଡା, ସୀତାକାନ୍ତ ସାହୁ ପ୍ରମୁଖ ଦାବି କରିଛନ୍ତି।

ସେହିପରି ଏଭଳି ସମୟରେ ଚାଷୀକୁ ସାର ଯୋଗାଣରେ ଟାଳ ଟୁଳ ନୀତି କରାଯାଉଥିବା ବେଳେ ଅନେକ ଚାଷୀ ମଧ୍ୟ କଳା ବଜାରରେ ସାର କିଣୁଥିବାର ଅଭିଯୋଗ ଆସିଛି। ଏ ଦିଗରେ କୃଷି ବିଭାଗ ଦୃଷ୍ଟି ଦେବାକୁ ଜିଲ୍ଲାର କୃଷକ ନେତାମାନେ ଦାବି ଉପସ୍ଥାପନ କରିଛନ୍ତି।

ସମ୍ବନ୍ଧିତ ଖବର