ବ୍ରାହ୍ମଣୀରେ ବନ୍ୟା: ୫୩ ନମ୍ବର ଜାତୀୟ ରାଜପଥ ଡମଶାଳ ପୋଲ ଉପରେ ୩ ଫୁଟ ପାଣି

ଭୁବନ-କାମାକ୍ଷା ନଗର ଯୋଗାଯୋଗ ବିଚ୍ଛିନ୍ନ, ବାବା ବୁଦ୍ଧେଶ୍ୱର ପାଣି ଘେରରେ

ଭୁବନ: ଗତ ଦୁଇ ଦିନ ହେଲା ଲଘୁଚାପ ଜନିତ ଲଗାଣ ବର୍ଷା ସାଙ୍ଗକୁ ରେଙ୍ଗାଳି ଡ୍ୟାମ ପାଣି ଛାଡିବା କାରଣରୁ ବ୍ରାହ୍ମଣୀ ଓ ଶାଖା ନଦୀ ରାମିଆଳ, ଡମଶାଳ ନଦୀରେ ଚଳିତ ବର୍ଷର ପ୍ରଥମ ବନ୍ୟା ଆସି ଭୁବନ ବ୍ଲକର ବହୁ ଅଂଚଳ ଜଳମଗ୍ନ ହୋଇପଡିଛି ଓ କେତେକ ଅଂଚଳ ପାଣି ଘେରରେ ରହିଛିା ୫୩ ନମ୍ବର ଜାତୀୟ ରାଜପଥର ଦୟଣାବିଲି ନିକଟସ୍ଥ ଡମଶାଳ ନାଳରେ ବନ୍ୟାଜଳ ପ୍ରବାହିତ ହୋଇ ପୋଲ ଉପରେ ୩ ଫୁଟ ଉଚ୍ଚାରେ ପାଣି ଚାଲିଥିବାରୁ ଭୁବନ-କାମାକ୍ଷାନଗର ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି ।

ଭୁବନ ବ୍ଲକ ଅନ୍ତର୍ଗତ ମାର୍ଥାପୁର ପଂଚାୟତର ମାଳପୁରା, ଓଢଣା , ଯମୁନାକୋଟ ପଂଚାୟତର ନୃସିଂହପୁର, କୃଷ୍ଣପୁର, ସୁରପ୍ରତାପପୁର ପଂଚାୟତର ପାଟପୁର, ସିଆରଦୋଳ, ଭୂଷଳ ପଂଚାୟତର ଜୟପୁର, ବାଲିବୋ ପଂଚାୟତର ଅରିଲୋ, ଦଧିସିଙ୍ଗା,ଏକତାଳି ପଂଚାୟତର ରୋଡଙ୍ଗ, ପ୍ରହରାଜପୁର, ମଣିପୁର (ଦଳିିତ ବସ୍ତି) ଗ୍ରାମ ସଂପୂର୍ଣ୍ଣ ପାଣି ଘେରରେ ରହିଥିବା ବେଳେ ଯମୁନାକୋଟରୁ ମାର୍ଥାପୁର, ନୀଳକଣ୍ଠପୁର-ମହୁଲପାଳ ରାସ୍ତାରେ ଘାଇ ସୃଷ୍ଟି ହୋଇଥିବାରୁ ଯୋଗାଯୋଗ ବିଛିନ୍ନ ହୋଇପଡିଛି ।

ବ୍ରାହ୍ମଣୀ ନଦୀରେ ବନ୍ୟା ଆସିବାରୁ ଭୁବନର ପ୍ରସିଦ୍ଧ ଶୈବପୀଠ ବାବା ବୁଦ୍ଧେଶ୍ୱର ମନ୍ଦିର ପାଣି ଘେରରେ ରହିଛି । ଭୁବନ-ଢେଙ୍କାନାଳ ପୂର୍ତ ବିଭାଗ ରାସ୍ତାର ରଗଡି ଓ ରଙ୍ଗମାଟିଆ ପୋଲ ପାଖାପାଖି ପାଣି ପ୍ରବାହିତ ହେଉଥିବା ବେଳେ ହଜାର ହଜାର ହେକ୍ଟର ଚାଷଜମିରେ ଧାନତଳି ନଷ୍ଟ ହୋଇଯାଇଥିବା ବେଳେ ପନିପରିବା ମଧ୍ୟ ନଷ୍ଟ ହୋଇଯାଇଥିବାରୁ ଚାଷୀମଣ୍ଡରେ ଚଡକ ପଡିଛି । କରୋନା ଜନିତ ଲକଡାଉନ ସଟଡାଉନରେ ପ୍ରକୃତି ମଧ୍ୟ ଦାଉ ସାଧିଲା ବୋଲି ଚାଷୀମାନେ କହୁଛନ୍ତି । ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ, ବିଡିଓ ଆଶୀର୍ବାଦ ପରିଡା, ଅତିରିକ୍ତ ତହସିଲଦାର ମନୋଜ କୁମାର ମାଝି, ଆଇଆଇସି ଜିତେନ୍ଦ୍ର କୁମାର ସାହୁ ମାର୍ଥାପୁର, ଯମୁନାକୋଟ, ସୁରପ୍ରତାପପୁର, ଭୂଷଳ ପଂଚାୟତର ପାଣି ଘେରରେ ଥିବା ବିଭିନ୍ନ ଗ୍ରାମ ପରିଦର୍ଶନ କରି ଲୋକଙ୍କ ସମସ୍ୟା ପଚାରି ବୁଝିଥିଲେ ।

ସମ୍ବନ୍ଧିତ ଖବର