ଖୋର୍ଦ୍ଧା ଜିଲ୍ଲାରୁ ଉଭେଇଲା ପ୍ରାକ୍ ମୌସୁମୀ ବର୍ଷା, ୫ ବର୍ଷରେ ସର୍ବନିମ୍ନ ବର୍ଷା ରେକର୍ଡ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାକୁ ସାଧାରଣତଃ ଜୁନ୍ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହର ପ୍ରଥମାର୍ଦ୍ଧରେ ମୌସୁମୀ ଆସିଥାଏ। ତେବେ ଗତ ୫ ବର୍ଷର ବର୍ଷା ରେକର୍ଡ ଅନୁଧ୍ୟାନ କଲେ ଚଳିତବର୍ଷ ଜିଲ୍ଲାରୁ ପ୍ରାକ୍ ମୌସୁମୀ ବର୍ଷା ପ୍ରାୟ ଉଭେଇ ଯାଇଛି। ଅକ୍ଷୟତୃତୀୟା ବ୍ୟତୀତ ହୋଇ ଏହା ମଧ୍ୟରେ ଦେଢ଼ମାସରୁ ଅଧିକ ସମୟ ହୋଇଗଲାଣି କିନ୍ତୁ ଜିଲ୍ଲାର ଗ୍ରାମାଞ୍ଚଳ‌ର ଅଧିକାଂଶ ଚାଷ ଜମି ପଡ଼ିଆ ପଡ଼ିଛି। ପାଣିପାଗ ବିଭାଗର ସୂଚନାନୁସାରେ, ମଇ ମାସରେ ସାଧାରଣତଃ ୪-୫ ଦିନ ଲଘୁଚାପ ଜନିତ ବର୍ଷା ହୋଇଥାଏ। ଚଳିତବର୍ଷ ମଇମାସରେ ଲଘୁଚାପ ବର୍ଷା ହୋଇଥିବା ବେଳେ ଜୁନ୍ ମାସରେ ପ୍ରାୟତଃ ଶୁଖିଲା ରହିଛି। ୨୦୧୮ ମଇ ମାସରେ ହାରାହାରି ୧୩୬.୩୭ ମିମି, ୨୦୧୯ ମଇ ମାସରେ ୧୮୫.୫୯ ମିମି, ୨୦୨୦ ମଇରେ ୧୦୧.୬୮ ମିମି, ୨୦୨୧ ମଇରେ ୪୧.୫୦ ମିମି ଓ ଚଳିତ ବର୍ଷ (୨୦୨୨) ମଇ ମାସରେ ହାରାହାରି ୧୩୧.୯୭ ମିମି ବର୍ଷା ରେକର୍ଡ କରାଯାଇଥିଲା। ଜୁନ୍ ମାସର ପ୍ରଥମ ସପ୍ତାହରେ ସାଧାରଣତଃ ପ୍ରାକ୍ ମୌସୁମୀ ବର୍ଷା ଖୋର୍ଦ୍ଧା ଜିଲ୍ଲାରେ ଅନୁଭୂତ ହୋଇଥାଏ।

ଏହି ମାସରେ ହାରାହାରି ୧୦ରୁ ୧୨ ଦିନ ବର୍ଷା ସହ ୧୯୨ ମିମି ବର୍ଷା ସାଧାରଣତଃ ହୋଇଥାଏ। କିନ୍ତୁ ଗତ ୫ ବର୍ଷ ମଧ୍ୟରେ ଏହି ମାସରେ ବର୍ଷାର ପରିମାଣ ଧୀରେ ଧୀରେ ହ୍ରାସ ପାଇଥିବା ବେଳେ ଚଳିତବର୍ଷ ବର୍ଷା ପରିମାଣ ପ୍ରାୟତଃ ନଗଣ୍ୟ ରହିଛି। ଚଳିତବର୍ଷ ଜୁନ୍ ମାସରେ ଆଜି ସୁଦ୍ଧା ୩ ଦିନ ବର୍ଷାରେ ହାରାହାରି ୩.୦୨ ମିମି ବର୍ଷା ରେକର୍ଡ କରାଯାଇଛି। ଯାହା ଗତ ୫ ବର୍ଷର ସର୍ବନିମ୍ନ ବର୍ଷା ଅଟେ। ୨୦୧୮ ଜୁନ୍ ମାସରେ ହାରାହାରି ୧୬୨.୨୩ ମିିମି ରେକର୍ଡ କରାଯାଇଥିବା ବେଳେ ୧ତାରିଖ ଠାରୁ ୧୩ ତାରିଖ ମଧ୍ୟରେ ହାରାହାରି ୫୪.୨୫ ମିମି ବର୍ଷା ହୋଇଥିଲା। ୨୦୧୯, ଜୁନରେ ହାରାହାରି ୧୪୦.୪୮ ମିମି ବର୍ଷା ହୋଇଥିବା ବେଳେ ପ୍ରଥମ ୧୩ ଦିନରେ ୩୭.୯୨ ମିମି ବର୍ଷା, ୨୦୨୦ ଜୁନ୍‌ରେ ହାରାହାରି ୧୫୩.୪୦ ମିମି ବର୍ଷା ହୋଇଥିବା ବେଳେ ପ୍ରଥମ ୧୩ ଦିନରେ ୭୪.୫୦ ମିମି ବର୍ଷା ରେକର୍ଡ କରାଯାଇଥିଲା। ୨୦୨୧ ଜୁନ୍ରେ ୧୭୪.୧୦ ମିମି ବର୍ଷା ହୋଇଥିବା ବେଳେ ପ୍ରଥମ ୧୩ ଦିନରେ ୫୯.୯୦ ମିମି ବର୍ଷା ହୋଇଥିଲା।

ସମ୍ବନ୍ଧିତ ଖବର