ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ମୟୂରଭଞ୍ଜବାସୀ, ଜିଲ୍ଳାକୁ ୟେଲୋ ୱାର୍ଣ୍ଣିଂ

କର୍ମଚାରୀଙ୍କ ଛୁଟି ବାତିଲ, ବିପଦ ସଙ୍କେତ ତଳେ ବୁଢ଼ାବଳଙ୍ଗ

ବାରିପଦା: ଜିଲ୍ଲାରେ ଲାଗି ରହିଛି ତୁହାକୁ ତୁହା ଲଗାଣ ବର୍ଷା। ଯାହାକି ଚିନ୍ତା ବଢ଼େଇଛି। ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏନେଇ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଜିଲ୍ଲା ମୁଖ୍ୟାଳୟରେ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ତେବେ ବୁଢ଼ାବଳଙ୍ଗ ସମେତ ସୁବର୍ଣ୍ଣରେଖା, ସୁନୋ, ଗଙ୍ଗାହାର ଆଦି ନଦୀର ଜଳସ୍ତର ବିପଦ ସଙ୍କେତ ତଳେ ପ୍ରବାହିତ ହେଉଥିବାରୁ ବିପଦର ସେପରି କୌଣସି ଆଶଙ୍କା ନଥିବା ପ୍ରକାଶ କରିଛନ୍ତି ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସୁଜୟ କୁମାର ପତି। ଜିଲ୍ଲାରେ ଲାଗିରହିଥିବା ବର୍ଷାରେ ସେପରି କୌଣସି କ୍ଷୟକ୍ଷତିର ଖବର ନାହିଁ। କେବଳ ଯାହାକିଛି ଅଳ୍ପ ଗଛ ଭାଙ୍ଗିଥିବା ଶ୍ରୀ ପତି ସୂଚନା ଦେଇଛନ୍ତି। ସମ୍ଭାବ୍ୟ ବର୍ଷା ଜନିତ କ୍ଷୟକ୍ଷତିକୁ ମୁକାବିଲା କରିବା ନିମନ୍ତେ ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟ ସଜାଗ ରହିଛି।  ସମସ୍ତ ପ୍ରଶାସନିକ ଅଧିକାରୀଙ୍କୁ ଏନେଇ ସଜାଗ ରହିବାକୁ ପରାମର୍ଶ ଦିଆଯାଇଥିବା ଶ୍ରୀ ପ୍ରତି କହିଛନ୍ତି।

ଜିଲ୍ଲାରେ ଗତ ୨୪ ଘଣ୍ଟା ମଧ୍ୟରେ ଯାମ୍ଦା ବ୍ଲକରେ ସର୍ବାଧିକ୧୪୬ ମିମି ବର୍ଷା ରେକର୍ଡ କରାଯାଇଛି। ସେହିପରି ଶ୍ୟାମାଖୁଣ୍ଟାରେ ୨୦ ମିମି, ବଡ଼ସାହିରେ ୨୩, ବେତନଟୀରେ ୧୪,ମୋରଡ଼ାରେ ୧୩, ରାସଗୋବିନ୍ଦପୁରରେ ୯.୬, କୁଳିଅଣାରେ ୯, ବାରିପଦାରେ ୧୮, ସାରସକଣାରେ ୫୬, ଶୁଳିଆପଦାରେ ୧୯, ବାଙ୍ଗିରିପୋଷିରେ ୨୮.୨, ଖୁଣ୍ଟାରେ ଓ ଜିବି ନଗରରେ ୨୭, ଉଦଳାରେ ୩୫.୨, କପ୍ତିପଦାରେ ୩୨, ବିଶୋଇରେ ୪୮, ବିଜାତଳାରେ ୨୬, ରାଇରଙ୍ଗପୁରରେ ୯୩, କୁସୁମିରେ ୫୫, ବହଳଦାରେ ୫୫.୬, ତିରିଂରେ ୨୨.୨, ଯଶୀପୁରରେ ୪୧.୮, କରଞ୍ଜିଆରେ ୨୪, ଠାକୁରମୁଣ୍ଡାରେ ୧୩, ଶୁକୃଳିରେ ୨୪.୪ ଏବଂ ରରୁଁଆରେ ୫୩ ମିମି ବର୍ଷା ରେକର୍ଡ କରାଯାଇଛି। ସେହିପରି ବୁଢ଼ାବଳଙ୍ଗ ନଦୀ ଅସ୍ତିଆ ନିକଟରେ ବିପଦସଙ୍କେତ ୩୦.୯୨ ମିଟର ଠାରୁ ଆଜି ଅପରାହ୍ନ ୩ଟା ସୁଦ୍ଧା ୨୪.୫ ମିଟରରେ ପ୍ରବାହିତ ହେଉଛି। ଗୋବିନ୍ଦପୁର ନିକଟରେ ବୁଢ଼ାବଳଙ୍ଗ ବିପଦସଙ୍କେତ ୮.୧୨ ମିଟର ତୁଳନାରେ ୪.୮୪ ମିଟରରେ, ରାଜଘାଟ ନିକଟରେ ସୁବର୍ଣ୍ଣରେଖା ବିପଦସଙ୍କେତ ୯.୪୬ ମିଟର ତୁଳନାରେ ୫.୬୬, ଜୟପୁର ନିକଟରେ ସୋନ ୨୦.୫୦ ଏବଂ ବାଲିମୁଣ୍ଡୁଳି ନିକଟରେ ଗଙ୍ଗାହାର ବିପଦସଙ୍କେତ ୪୦ ମିଟର ତୁଳନାରେ ୩୭.୬୦ ମିଟରରେ ପ୍ରବାହିତ ହେଉଛି।

ସେହିପରି କାଳ ଜଳଭଣ୍ଡାରରେ ଧାର୍ଯ୍ୟ ଜଳସ୍ତର ୭୭.୭୦ମିଟର ତୁଳନାରେ ୭୭.୪୫ ମିଟର ରହିଛି। ଏହି ଜଳଭଣ୍ଡାରରେ ଆଜିକା ଦିନରେ ଏହାର ଜଳଧାରଣ କ୍ଷମତା ୨୪୨୪ ହେକ୍ଟୋମିଟର ତୁଳନାରେ ୨୨୪୪ ହେକ୍ଟୋମିଟର ଜଳ ଗଚ୍ଛିତ ରହିଛି। ସୁନେଇ ଜଳଭଣ୍ଡାରରେ ୫୩୫୩.୮୦ ହେକ୍ଟୋ ମିଟର, ଖଡ଼ାଖାଇରେ ୩୦୦୫.୯୧, ନେଶ‌ଠାରେ ୨୨୫.୩୮ ଏବଂ ବାଙ୍କବଳ ଜଳଭଣ୍ଡାରରେ ୧୩୨୩.୦୭ ହେକ୍ଟୋମିଟର ଜଳ ଗଚ୍ଛିତ ଅଛି। ଧାର୍ଯ୍ୟ ଜଳଧାରଣ କ୍ଷମତାରୁ ସବୁ ଜଳ ଭଣ୍ଡାରରେ କମ ଜଳ ଗଚ୍ଛିତ ଥିବା ଜଣାପଡ଼ିଛି।

 

 

 

 

 

 

ସମ୍ବନ୍ଧିତ ଖବର