ବର୍ଷା ଭାଙ୍ଗି ଦେଲା ଚାଷୀଙ୍କ ମେରୁଦଣ୍ଡ, ‘ଜୱାଦ୍‌’ରୁ ବର୍ତ୍ତିଥିଲା, ଏବେ ଅଦିନିଆ ବର୍ଷାରେ ଯିବ

କଟକ: ଚିନ୍ତାରେ ଚାଷୀ। ମୁଣ୍ଡରେ ହାତଦେଇ ବସିଛି, କେମିତି ବିଲରୁ ଘରକୁ ନେବ ଫସଲ। କେମିତି ମଣ୍ଡିକୁ ନେବ ଧାନ ବିକ୍ରି ପାଇଁ? ଏପଟେ ଗତରାତିରୁ ବର୍ଷାକୁ ନେଇ ଭାଗ୍ୟକୁ କୋଡୁଛି ଚାଷୀ। ଜଗି ବସିଛି ଫସଲ। କିଏ ପଲିଥିନ ତଳେ ଘୋଡାଇ ରଖୁଛି ତ କିଏ ପରଘରେ ନେଇ ଜମା କରୁଛି। ହେଲେ ଚାଷ ଜମିରେ ଅମଳ ହୋଇ ପଡିଥିବା ଧାନ ସବୁ ଚାଷୀ ଆଣିପାରିନଥିବାରୁ ସେ ସବୁ ପାଣିରେ ଓଦା ହୋଇଯାଇଛି। ‘ଜୱାଦ୍‌’ରେ ଯାହା କିଛି ବଞ୍ଚିଯାଇଥିଲା, ତା ସବୁ ଉଜାଡିଦେଲାଣି ବର୍ତ୍ତମାନର ଅଦିନିଆ ବର୍ଷା। ଏପଟେ ଗଲା ୨/୩ଦିନରେ ମାତ୍ର ୨୨ଜଣ ଚାଷୀ ୧୪୪୦ କ୍ବିଣ୍ଟାଲ ଧାନ ମଣ୍ଡିରେ ବିକିଛନ୍ତି। କେବଳ ଧାନ ନୁହେଁ ପିଆଜ, କୋବି ଓ ଅନ୍ୟ ପନିପରିବାକୁ ନେଇ ମଧ୍ୟ ଚାଷୀଙ୍କ ଚିନ୍ତା ବଢିଛି। କୃଷି ବିଭାଗ କହୁଛି ସବୁ ଧାନ ଅମଳ ହୋଇ ଚାଷୀଙ୍କ ଘରକୁ ଗଲାଣି। କିନ୍ତୁ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ। ଆଜି ବି ଜିଲ୍ଲାର ସବୁ ସ୍ଥାନରେ ବିଲରେ କଟା ହୋଇ ଗଦା ହୋଇଛି ଧାନ। ଯେଉଁମାନଙ୍କ ଘରେ ଧାନ ସବୁ ଅମଳ ପାଇଁ ରଖିଛନ୍ତି ତାକୁ ମଧ୍ୟ ସୁରକ୍ଷିତ ରଖିବା ପାଇଁ ସବୁ ଚାଷୀଙ୍କ ପାଖରେ ବଳ ନାହିଁ କି ବ୍ୟବସ୍ଥା ବି ନାହିଁ। ଧାନ ଅମଳ କରି ଅନେକ ଚାଷୀ ରଖିଥିଲେ ମଧ୍ୟ ତାହା ବର୍ଷାରେ ନଷ୍ଟ ହେବା ଭଳି ପରିସ୍ଥିତି ସୃଷ୍ଟି ହେଲାଣି।

ବାଙ୍କୀ ବ୍ଲକ୍‌ର କିଆପଲ୍ଲା ପଞ୍ଚାତର ନୂଆଗାଁର ଦୃଶ୍ୟ ହିଁ ବଖାଣୁଛି ଯେ, ଚାଷୀ କେମିତି ପଲିଥିନ ଘୋଡାଇ ତାଙ୍କ ଧାନକୁ ସୁରକ୍ଷିତ ରଖିବାରେ ଲାଗିଛନ୍ତି। ମାହାଙ୍ଗାରେ ମଧ୍ୟ ଅନେକ ଧାନ ଜମିରେ କଟା ହୋଇ ପଡିଛି, କିନ୍ତୁ ଘରକୁ ଆସିପାରିନି। ସେସବୁ ବର୍ତ୍ତମାନ ସଂପୂର୍ଣ୍ଣ ନଷ୍ଟ ହେବା ସ୍ଥିତିରେ। କେବଳ ମାହାଙ୍ଗା, ବାଙ୍କୀ ନୁହେଁ ଜିଲ୍ଲାର ୧୪ଟି ଯାକ ବ୍ଲକ୍‌ରେ ଚାଷୀଙ୍କ ସ୍ଥିତି ଦୟନୀୟ। ବାଙ୍କୀରେ ସର୍ବାଧିକ ୩୫ ମିମି ବର୍ଷା ହୋଇଥିବାବେଳେ ଏବେ ପିଆଜ, କୋବି ଓ ଅନ୍ୟାନ୍ୟ ପନିପରିବା ବି ବିପଦରେ। ବାତ୍ୟା ଜୱାଦ୍‌ ପ୍ରଭାବରେ କୃଷି ବିଭାଗ କ୍ଷୟକ୍ଷତି ପରେ ପ୍ରସ୍ତୁତ କରିଥିବା ରିପୋର୍ଟ ଅନୁସାରେ ଜିଲ୍ଲାରେ ୫୩ ହେକ୍ଟର ଧାନ ଚାଷ ପ୍ରଭାବିତ ହୋଇଥିବା ଦର୍ଶାଇଥିଲା। ଖରିଫ୍‌ ଋତୁରେ କଟକ ଜିଲ୍ଲାରେ ୧ ଲକ୍ଷ ୩୩ ହଜାର ୬୪୫ ହେକ୍ଟର୍‌ ଚାଷ ଜମିରେ ଧାନ ଫସଲ କରାଯାଇଥିଲା। ୪୨ହଜାର ହେକ୍ଟର୍ ଧାନ ଚାଷ କ୍ଷୟକ୍ଷତି ହୋଇଥିବା କୃଷି ବିଭାଗ ପକ୍ଷରୁ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା। କିନ୍ତୁ ବାସ୍ତବ ଚିତ୍ର ତାଠାରୁ ଅଧିକ। ଅନ୍ୟପଟେ ଜିଲ୍ଲା‌ରେ ଚଳିତବର୍ଷ ୬୬,୩୯୮ ଚାଷୀ ଧାନ ସଂଗ୍ରହ ପାଇଁ ପଞ୍ଜୀକରଣ କରିଥିବା ବେଳେ ୨୨୬ଟି ମଣ୍ଡି ଖୋଲାଯିବ। କିନ୍ତୁ ଚଳିତମାସ ୭ତାରିଖରୁ କଟକ ଜିଲ୍ଲାରେ ଧାନକିଣା ଆରମ୍ଭ ହୋଇଥିବାବେଳେ ପ୍ରଥମ ଦିନରେ ୩ଜଣ ଚାଷୀ ଓ ଆଜି ୧୯ଜଣ ଚାଷୀ ଧାନ ବିକ୍ରି କରିଛନ୍ତି। ଏପଟେ ବର୍ଷା ପାଇଁ ମଣ୍ଡିକୁ ବି ଧାନ ଆଣିପାରୁନାହାନ୍ତି ଚାଷୀ। ଯୋଗାଣ ବିଭାଗ ପକ୍ଷରୁ ଚାଷୀଙ୍କୁ ଧାନ ସୁରକ୍ଷିତ କରି ରଖିବା ଓ ବର୍ଷା ସମୟରେ ମଣ୍ଡିକୁ ଧାନ ନ ଆଣିବା ପାଇଁ ପରାମର୍ଶ ଦିଆଯାଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର