୫ ନମ୍ବର ଜାତୀୟ ରାଜପଥ ଗୋବିନ୍ଦପୁର ନିକଟରେ ବିପଦ ସଙ୍କେତ ଉପରେ ବୁଢ଼ାବଳଙ୍ଗ

ବର୍ଷା ପରବର୍ତ୍ତୀ ଥଇଥାନକୁ ନେଇ ଚିନ୍ତାରେ କ୍ଷତିଗ୍ରସ୍ତ, ୨୫୦ରୁ ଊର୍ଧ୍ବ ଘର ଭାଙ୍ଗିଥିବା ପ୍ରଶାସନ ପକ୍ଷରୁ ସୂଚନା

ବାରିପଦା: ଜିଲ୍ଲାରେ କମିଛି ବର୍ଷା। ଫଳରେ କମିଛି ବୁଢ଼ାବଳଙ୍ଗ ନଦୀ ଜଳସ୍ତର। ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଜିଲ୍ଲାପାଇଁ ମୁଣ୍ଡବିନ୍ଧା ବଢ଼ାଇଥିବା ଲଗାଣ ବର୍ଷା ଆଜି କମିଛି। ଟଳିଛି ବିପଦ। ଆଜି ଜିଲ୍ଲାରେ ପାଗ ପ୍ରାୟତଃ ଶୁଖିଲା ରହିଥିଲା। ମାତ୍ର ବର୍ଷା ପରବର୍ତ୍ତୀ ଥଇଥାନକୁ ନେଇ ଚିନ୍ତାରେ ପଡ଼ିଛନ୍ତି କ୍ଷତିଗ୍ରସ୍ତ ପରିବାର। ବୁଢ଼ାବଳଙ୍ଗ ନଦୀର ଜଳସ୍ତର କମିବାରୁ ନଦୀ କୂଳବର୍ତ୍ତୀ ଅଞ୍ଚଳ ଲୋକଙ୍କ ପାଇଁ ଆଶଙ୍କା କମିଛି। ଜିଲ୍ଲାରେ ପ୍ରାୟ ୨୫୦ରୁ ଊର୍ଧ୍ବ ଘର ଭାଙ୍ଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ ମୋଟ ୧୪୫୮ ମିମି ବର୍ଷା ରେକର୍ଡ କରାଯାଇଥିବା ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସୁଜୟ କୁମାର ପତି ସୂଚନା ଦେଇଛନ୍ତି।

ସେହିପରି ଅସ୍ତିଆ ନିକଟରେ ବୁଢ଼ାବଳଙ୍ଗ ନଦୀ ଜଳସ୍ତର ସକାଳଠାରୁ କମି ସନ୍ଧ୍ୟା ୫ସୁଦ୍ଧା ୨୬.୪୦ ମିଟରରେ ସ୍ଥିର ରହିଛି। ଯାହାକି ସତର୍କ ସୂଚନାଠାରୁ ତଳେ। ମାତ୍ର ଜାତୀୟ ରାଜପଥ-୫  ଗୋବିନ୍ଦପୁର ନିକଟରେ ବୁଢ଼ାବଳଙ୍ଗ ସନ୍ଧ୍ୟା ୫ସୁଦ୍ଧା ବିପଦ ସଙ୍କେତ ଉପରେ ପ୍ରଭାହିତ ହେଉଥିବା ପ୍ରଶାସନ ସୂଚନା ଦେଇଛି। ଏଠାରେ ୮.୧୨ ବିପଦ ସଙ୍କେତ ସ୍ତର ଥିବାବେଳେ ଜଳସ୍ତର ୮.୪୦ ମିଟରରେ ପ୍ରଭାହିତ ହେଉଛି। ସେହିପରି ରାଜଘାଟ ନିକଟରେ ସୁବର୍ଣ୍ଣରେଖା ନଦୀ ମଧ୍ୟ ସତର୍କ ସୂଚନା ୯.୪୬ ମିଟରରୁ ଊର୍ଧ୍ବ ୯.୬୦ମିଟରରେ ପ୍ରଭାହିତ ହେଇଛି।

ଜୟପୁର ନିକଟରେ ସୁନୋର ଜଳସ୍ତର ସ୍ବାଭାବିକ ସ୍ତରରେ ପ୍ରଭାହିତ ହେଉଥିବାବେଳେ ଗଙ୍ଗାହାର ମଧ୍ୟ ସ୍ବାଭାବିକ ରହିଥିବା ଜଣାପଡ଼ିଛି। ଗତକାଲି ଜିଲ୍ଲାରେ ବର୍ଷା ପରିମାଣ ଯଥେଷ୍ଟ ହ୍ରାସ ପାଇଛି। କେବଳ ବଡ଼ସାହିରେ ୧୩୦ ମିମି ବର୍ଷା ରେକର୍ଡ କରାଯାଇଥିବାବେଳେ ଶ୍ୟାମାଖୁଣ୍ଟାରେ ୨୪, ବେତନଟୀରେ ୮୯, ମୋରଡ଼ାରେ ୫୨, ରାସଗୋବିନ୍ଦପୁରରେ ୮୬, କୁଳିଅଣାରେ ୧୭, ସାରସକଣାରେ ୬୨, ଶୁଳିଆପଦାରେ ୨୩, ବାଙ୍ଗିରିପୋଷିରେ ୪୪, ବାରିପଦାରେ ୩୨, ଖୁଣ୍ଟା ଓ ଜିବି ନଗରରେ ୧୨୭, ରାଇରଙ୍ଗପୁରରେ ୨୭, କୁସୁମିରେ ୮୪, ଯଶୀପୁରରେ ୮୩, ଶୁକୃଳିରେ ୪୬ ମିମି ବର୍ଷା ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର