ବର୍ଷା ଅଭାବ ରୋକିଛି ରୁଆ, ତଳିରେ ମାଡିଲାଣି ମସିହା ରୋଗ

କୀଟନାଶକ ସିଞ୍ଚନ ସହ ୟୁରିୟା ବ୍ୟବହାରକୁ ବାରଣ କରିଛି କୃଷି ବିଭାଗ 

ଭଞ୍ଜନଗର: ଜୁଲାଇ ମାସ ଅଧା ହୋଇଯାଇଥିଲେ ମଧ୍ୟ ବର୍ଷାର ଦେଖା ନାହିଁ। ବର୍ତ୍ତମାନ ତଳି ରୁଆ କାର୍ଯ୍ୟ ଅଧା ହୋଇଯାଉଥିବ ବେଳେ ଚଳିତ ବର୍ଷ ଖରିପ ଋତୁ ପାଇଁ ଧାନ ରୁଆ କାର୍ଯ୍ୟ ଆରମ୍ଭ ହୋଇନାହିଁ। ବର୍ଷା ଉପରେ ନିର୍ଭର କରୁଥିବା ଚାଷୀ ମାନେ  ବର୍ତ୍ତମାନ ପ୍ରମାଦ ଗଣିବା ଆରମ୍ଭ କଲେଣି। ଆଷାଢ ମାସ ଅଧା ସରି ଯାଇଥିବା ବେପଳେ ଗ୍ରୀଷ୍ମ ପ୍ରଭାବ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। ନଦୀ ନାଳ ଗୁଡ଼ିକରେ ମଧ୍ୟ ଆବଶ୍ୟକ ପାଣି ନଥିବାରୁ ଚାଷ କ୍ଷେତ୍ରରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। ଅନେକ କ୍ଷେତରେ ପାଣି ନଥିବା ବେଳେ ମାଟି ଫାଟି ଆଁ କଲାଣି। ପ୍ରତିବର୍ଷ ରୁଆ ବେଉଷଣ ଶେଷ ପର୍ଯ୍ୟାୟରେ ପହଞ୍ଚି ଯାଉଥିବା ବେଳେ ଚଳିତ ବର୍ଷ ଚାଷ କାର୍ଯ୍ୟ ଜମାରୁ ଆଗେଇ ପାରୁନି। ବର୍ଷା ଅଭାବ ଚାଷୀ ମାନଙ୍କ ଚିନ୍ତା ବଢାଇଥିବା ବେଳେ ଆଉ ଏକ ବିପର୍ଯ୍ୟୟ ଚାଷୀ କୂଳର ନିଦ ହଜାଇ ଦେଇଛି। ବୁଣିଥିବା ବିହନ ତଳିରେ ଏବେ ମସିହା ରୋଗ ବ୍ୟପିବାରେ ଲାଗିଛି। ପାଣି ଅଭାେବରୁ ବିଲ ସୁଖିଲା ପଡିଥିବା ବେଳେ ତଳି ମୋଡି ‌ହୋଇଯିବା ସହ ହଳଦିଅ ପଡିବାକୁ ଲାଗିଲାଣି। ଯାହାକି ଜମିରେ ରୋଇବା ପାଇଁ ଅନୁପଯୁକ୍ତ ହୋଇଛି।

ଅକ୍ଷୟ ତୃତୀୟା ଠାରୁ ଚାଷୀ ମାନେ କରୋନା ଭଳି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଘରୁ ପଦାକୁ ଗୋଡ ବାହାର କରି ବର୍ଷ ଯାକର ଆହାର ଯୋଗାଡ କରିବା ପାଇଁ ଲାଗିପଡିଥିଲେ। କିନ୍ତୁ ବର୍ଷା ଅଭାବ ଆଉ ମସିହା ରୋଗ ଗଜା ମରୁଡି ଆଶଙ୍କା ସୃଷ୍ଟି କରିଛି। ଏକର ଏକର ଜମିରେ ପଡିଥିବା ତଳିରେ ବର୍ତ୍ତମାନ ମସିହା ରୋଗ ବ୍ୟପିବାରେ ଲାଗିଛି। ବିହନ ବୁଣିବା ପୂର୍ବରୁ ବିଶୋଧନ କରି ବୁଣିବା ପାଇଁ କୃଷି ବିଭାଗ ପକ୍ଷରୁ କୁହାଯାଇଥିଲେ ମଧ୍ୟ ଚଳିତ ବର୍ଷ ଏହି ରୋଗ ବହୁଳ ମାତ୍ରରେ ବଢିବାରେ ଲାଗିଛି। ଚାଷୀମାନେ ଏସଂପର୍କରେ କୃଷି ଅଧିକାରୀ ମାନଙ୍କୁ ଜଣାଇଥିବା ବେଳେ ଟ୍ରାଇସାଇକ୍ଳୋଜେନ୍‌ କୀଟନାଶକ ତଳିରେ ସିଞ୍ଚନ କରିବା ପାଇଁ ପରାମର୍ଶ ଦିଆଯାଇଛି। ଏହି କୀଟନାଶକ ଜମିରେ ସିଞ୍ଚନ କରାଗଲେ ମଧ୍ୟ ତଳି ନଷ୍ଟ ହୋଇଯାଉଥିବା ଚାଷୀ ମାନେ ପ୍ରକାଶ କରିଛନ୍ତି। ବେଲଗୁଣ୍ଠ ବ୍ଳକ୍ ଜଗନ୍ନାଥପ୍ରସାଦ ବ୍ଳକ୍ ଏବଂ ଭଞ୍ଜନଗର ଅଞ୍ଚଳର କିଛି ଚାଷୀ ଘରୋଇ ଉପଚାରରେ ରସୁଣ,ଗୋବର ଏବଂ କିରୋସିନ ମିଶାଇ ତଳିରେ ସିଞ୍ଚନ କରି ତଳି ବଞ୍ଚାଇବାର ପ୍ରୟାଶ ଜାରି ରଖିଛନ୍ତି।

କଅଁଳିଆ ଧାନ ତଳି ବଡ ହୋଇ ଛନଛନିଆ ଧାନ ଗଛରେ ତଳି ବଢିବା ବଦଳରେ ହଠାତ୍‌ ମସିହା ରୋଗ ଯୋଗୁ ନଷ୍ଟ ହେବାରେ ଲାଗିଛି। ହଳଦିଅ ହୋଇ ପାଳ ଭଳି ତଳି ଆଉ ବଢୁନଥିବା ବେଳେ ତଳି ଘେରା ପୋଡି ଯାଉଥିବା ଚାଷୀ ମାନେ କହିଛନ୍ତି। ଏହି ତଳି ‌ଚାଷ କାର୍ଯ୍ୟରେ ବ୍ୟବହାର ଯୋଗ୍ୟ ହୋଇ ନଥିବାରୁ ଚାଷୀକୂଳର ନିଦ ହଜି ଗଲାଣି। ପୁଣି ବିହନ ପକାଇବା ପାଇଁ ଚା‌ଷୀ ପ୍ରସ୍ତୁତ ହେଉଥିବା ‌ବେଦଳେ ବଜାରରେ ବିହନ ଅଭାିବ‌ ରହିଛି। ଅନେକ ଜାଗାରେ ତଳି ନଷ୍ଟ ହୋଇସାରିଥିବା ବେଳେେ ସେମାନଙ୍କ ଧାନ ବିହନ ଯୋଗାଇ‌ ଦେବାକୁ ଚାଷୀ ମାନେ ଦାବି କରିଛନ୍ତି। ଅଧିକ ଖର୍ଚ୍ଚାନ୍ତ ହୋଇ ପୁଣି ବିହନ ପକାଇ ତଳି ପ୍ରସ୍ତୁତ କରି ଧାନ ରୋଇବାକୁ ଆହୁରି ୨୦ ଦିନ ସମୟ ଲାଗିବ ତେଣୁ ଚଳିତ ବର୍ଷ ଖରିଫ ଚାଷ ବିଳମ୍ବ ହେବାର ସମ୍ଭାବନା ସୃଷ୍ଟି ହୋଇଛି।

ଭଞ୍ଜନଗର କୃଷି ଜିଲ୍ଲା ଅଧିନରେ ବୁଗୁଡା, ଜଗନ୍ନାଥ ପ୍ରସାଦ, ବେଲଗୁଣ୍ଠା ଓ ଭଞ୍ଜନଗର ବ୍ଲକ ରହିଛି। ଏଠାରେ ଚଳିତ ବର୍ଷ ଖରିଫ ଋତୁରେ ମୋଟ ୯୨,୪୩୪ ହେକ୍ଟର ଜମିରେ ଚାଷ କାର୍ଯ୍ୟ କରାଯିବା ନେଇ ଧାର୍ଯ୍ୟ ହୋଇଛି। ସେଥି ମଧ୍ୟରୁ ୩୬.୦୮୩ ହେକ୍ଟର ଜମିରେ ଧାନ ଚାଷ ପାଇଁ ଧାର୍ଯ୍ୟ ହୋଇଛି। ଏଥିରେ କନକ ପ୍ଳସ୍‌,ପୂଜା ଓ ମସୁରୀ କିସମର ବିହନ ଚାଷୀ ମାନେ ବ୍ୟବହାର କରୁଛନ୍ତି। ବଳକା ୫୬.୩୫୧ ହେକ୍ଟର ଜମିରେ ଅଣଧାନ ତଥା ମକା, ତୈଳବୀଜ, ମାଣ୍ଡିଆ, ଡାଲି ଜାତୀୟ, ପନିପରିବା ଓ ଅନ୍ୟାନ୍ୟ ଚାଷ କରାଯାଉଛି ବୋଲି ଜିଲ୍ଲା କୃଷି ଅଧିକାରୀ ପ୍ରଦିପ୍ତ କୁମାର ଦାସ ସୁଚନା ଦେଇଛନ୍ତି।

ବର୍ଷା ଅଭାବ ଚିନ୍ତା ଜନକ ସ୍ଥିତି ସୃଷ୍ଟି କରିଥିବା ବେଲଳେ ଭଞ୍ଜନଗର,ଶୋରିଷମୂଳି ଏବଂ ଆନିକଟରୁ କେନଲ୍‌ରେ ପାଣି ଛଡାଯାଇଛି। ବାୟୁ ମଣ୍ଡଳରେ ଆର୍ଦତା,ଉତ୍ତାପ ଚାଷ ପାଇଁ ଜମାରୁ ଅନୁକୂଳ ରହିନାହିଁ। ତେଣୁ କିଭଳି ତଳିକୁ ବଞ୍ଚାଇ ରଖି ରୁଆ କାର୍ଯ୍ୟ ଆଗେଇବ ତାକୁ ନେଇ ପ୍ରୟାଶ ଜାରି ରହିଛି। ଚାଷୀ ମାନଙ୍କୁ ଧାନ ବୁଣିବା ସମୟରେ କୀଟନାଶକ ଦ୍ବାରା ବିଶୋଧନ କରିବା ପାଇଁ କୁହାଯାଇଥିଲା। ଅନେକ ଚାନଷୀ ଏହା କରିଥିବା ବେଳେ କିଛି ଚାଷୀଙ୍କ ଧାନରେ ମସିହା ରୋଗ ହୋଇଥିବା ଆମ ନଜରକୁ ଆସିଛି। ତୁରନ୍ତ ସେମାନଙ୍କ ତଳିରେ କୀଟନାଶକ ସିଞ୍ଚନ କରିବା ନେଇ ପରାମର୍ଶ ଦିଆଯାଇଛି। ଏଥିସହ ଏଭଳି ସ୍ଥିତିରେ ‌ଜମିରେ ୟୁରିଆ ସାର ଜମାରୁ ବ୍ୟବହାର ନକରିବା ପାଇଁ ଚାହଷୀ ମାନଙ୍କୁ କୁହାଯାଇଥିବା ସେ କହିଛନ୍ତି।

ଚଳିତ ଜୁଲାଇ ୧୭ ସୁଦ୍ଧା ବର୍ଷା

ଭଞ୍ଜନଗର-୧୦୭.୦୦ ମିମି.

ବେଲଗୁଣ୍ଠା-୧୩୩.୭୦ ମିମି.

ଜଗନ୍ନାଥପ୍ରସାଦ-୧୩୨.୦୦ ମିମି.

ବୁଗୁଡା-୯୧.୦୦ ମିମି.

ଆସିକା-୧୪୩.୨୦ ମିମି.

ଧରାକୋଟ-୩୩୫.୫୦ ମିମି.

ଶେରଗଡ-୧୬୩.୧୦ ମିମି.

ସୋରଡ଼ା-୯୮.୦୦ ମିମି

ସମ୍ବନ୍ଧିତ ଖବର