ଗଞ୍ଜାମରେ ମରୁଡ଼ିର ପଦଧ୍ୱନୀ!, ଶ୍ରାବଣରେ ବର୍ଷା ନିଖୋଜ

ଜୁନରେ ୩୦ପ୍ରତିଶତ ଅଧିକ, ଜୁଲାଇରେ ୨୦ ପ୍ରତିଶତ କମ ବର୍ଷା

ବ୍ରହ୍ମପୁର : ଶ୍ରାବଣ ମାସ ସରିବାକୁ ଆଉ ୩ଦିନ ବାକି ।  ବର୍ଷାର ଦେଖା ନ ଥିବା ବେଳେ ବୈଶାଖ ମାସ ଭଳି ଖରା ଅନୁଭୂତ ହେଉଛି। ଚଳିତ ମାସରେ ବର୍ଷା ନିରୁଦ୍ଦିଷ୍ଟ ହୋଇଯାଇଛି । ଗଞ୍ଜାମ ଜିଲ୍ଲାର ଚାଷୀ ଗତ କିଛି ବର୍ଷ ହେଲା ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଗତି କରୁଥିବା  ଚଳିତ ବର୍ଷ କରୋନା ଓ ଅନାବୃଷ୍ଟି ଚାଷୀ ପାଇଁ କାଳ ସାଜିଛି । ଅଧିକାଂଶ ସ୍ଥାନରେ ତଳି ପୋଡ଼ିଗଲାଣି । ଧାନରୁଆ ଓ ବୁଣା ହୋଇଥିବା ଜମି ବର୍ଷା ନ ଥିବା ଯୋଗୁଁ ଫାଟି ଆଁ କରି ରହିଛି । ଜିଲ୍ଲାରେ ଅନାବୃଷ୍ଟି ଯୋଗୁଁ ମରୁଡ଼ି ପଦଧ୍ୱନୀ ଶୁଣିବାକୁ ମିଳିଲାଣି । ଆଗାମୀ ୭ଦିନ ଏଭଳି ପରିସ୍ଥିତି ଲାଗି ରହିଲେ ଗଞ୍ଜାମରେ ମରୁଡ଼ି ସୁନିଶ୍ଚିତ ବୋଲି କୁହାଯାଉଛି । ତେବେ କିଛି ସ୍ଥାନରେ ଚାଷୀ ତଳିକୁ ଜଳସେଚିତ କରି ବଂଚାଇ ରଖିଥିବା ଦେଖିବାକୁ ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ, ଚଳିତ ବର୍ଷ ମେ ମାସରେ ଜିଲ୍ଲାରେ ହାରାହାରି ୫୧.୯ମିମି ବର୍ଷା ହୋଇଥିଲା । ଜୁନରେ ୨୨୯.୪୯ ମିମି ବର୍ଷା ରେକର୍ଡ କରାଯାଇଥିଲା, ଯାହାକି ଜିଲ୍ଲାପାଇଁ ଆବଶ୍ୟକ ବୃଷିପାତ ଠାରୁ ୩୦ ପ୍ରତିଶତ ଅଧିକ ଥିଲା । ଭଲ ବର୍ଷା ଯୋଗୁଁ ଚାଷୀ ଚାଷ କାମ ଆରମ୍ଭ କରିଥିଲା । ଏଥିସହ ତଳି ବି ପକାଇ ଦେଇଥିଲା । କରୋନା ମହାମାରୀର ପାର୍ଦୁଭାବ ଯୋଗୁ ସବୁ କିଛି ପ୍ରଭାବିତ ହୋଇଥିଲେ ହେଁ ବର୍ଷା ଭଲ ରହିଥିବାରୁ ଚଳିତ ବର୍ଷ ଚାଷ କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହେବ ବୋଲି ଚାଷୀ ଆଶା ରଖିଥିଲା।  କିନ୍ତୁ ଜୁଲାଇ ମାସରେ ବର୍ଷା ଏକରକମ ନିରୁଦ୍ଧିଷ୍ଟ ହେବା ଚାଷୀର ଚିନ୍ତା ବଢାଇ ଦେଇଛି । ଜିଲ୍ଲାରେ ଜୁଲାଇ ମାସରେ  ଜିଲ୍ଲା ପାଇଁ ୨୨୦ ମିମି ବର୍ଷା ଦରକାର ଥିବା ବେଳେ ୧୮୯.୩୭ ମିମି ବର୍ଷା ହୋଇଛି ଯାହାକି ଆବଶ୍ୟକ ଠାରୁ ପ୍ରାୟ ୨୦ ପ୍ରତିଶତ କମ ବୋଲି କୁହାଯାଉଛି । ଜିଲ୍ଲା ରଙ୍ଗେଇଲୁଣ୍ଡା, ଛତ୍ରପୁର, ପୁରୁଷୋତ୍ତମପୁର, କୋଦଳା, ଖଲ୍ଲିକୋଟ, ବେଲୁଗଣ୍ଠା ଓ ଜଗନ୍ନାଥ ପ୍ରସାଦ, ଚିକିଟି ଅଂଚଳରେ କମ ବର୍ଷା ହୋଇଛ ।

କିନ୍ତୁ ଗତ ଦୁଇବର୍ଷ ଜିଲ୍ଲାର ସ୍ଥିତି ଭିନ୍ନ ଥିଲା ।  ମେ ଓ ଜୁନରେ କମ୍ ବର୍ଷା ହୋଇ ଜୁଲାଇରେ ଭଲ ବର୍ଷା ହୋଇଥିବାରୁ ଚାଷ କାମ ସୁରୁଖୁରରେ ହୋଇଥିଲା । ୨୦୧୮ ମସିହାରେ ମେ ମାସରେ ୬୧.୧୬ ପ୍ରତିଶତ ଓ ଜୁନରେ ୧୦୧.୩୬ ମିମି ବର୍ଷା ହୋଇଥିଲା। କିନ୍ତୁ ଜୁଲାଇରେ ସର୍ବାଧିକ ୩୬୩.୦୮ମିମି ବର୍ଷା ହୋଇଥିଲା । ଗତ ବର୍ଷ(୨୦୧୯)ରେ ୧୩୭.୯୩, ଜୁନରେ ୧୧୨.୩୫ମିମି ଓ ଜୁଲାଇ୨୨୫.୦୯ ମିମି ବର୍ଷା ହୋଇଥିଲା ।

ଚଳିତ ବର୍ଷ ଖରିଫରେ ୪ଲକ୍ଷ ୮ହଜାର୮୧୫ ହେକ୍ଟର ଜମିରେ ଚାଷ ଲାଗି କୃଷି ବିଭାଗ ପକ୍ଷରୁ ଲକ୍ଷଧାର୍ଯ୍ୟ ହୋଇଛି । ସେଥିମଧ୍ୟରୁ ୨ଲକ୍ଷ ୧୫ହଜାର  ହେକ୍ଟର ଜମିରେ ଧାନ ଫସଲ ଲାଗି ସ୍ଥିର ହୋଇଛି । ଚଳିତ ବର୍ଷ ମୌସୁମୀ ବର୍ଷା ପୂର୍ବରୁ ଜିଲ୍ଲାରେ ଭଲ ବର୍ଷା ହୋଇଥିଲା । ଚାଷୀ ଖରାଟି ଚାଷ କରି ଜମିକୁ ପ୍ରସ୍ତୁତ କରି ରଖିଥିଲା । ଏଥିସହ ପାଗ ଅନୁକୂଳ ରହିଥିବାରୁ ଜିଲ୍ଲାରେ ତଳି ପକା ଓ ବୁଣା ପ୍ରାୟତଃ ଶେଷ ହୋଇଛି । ଜୁନ ଶେଷ ଓ ଜୁଲାଇ ପ୍ରଥମ ସପ୍ତାହ ସୁଦ୍ଧା ତଳିପକା ଓ ବୁଣା କାର୍ଯ୍ୟ ସରିଛି । କିନ୍ତୁ ଜୁଲାଇ ଆରମ୍ଭରୁ ଜିଲ୍ଲାର ଭଲ ବର୍ଷା ନାହିଁ । ଜିଲ୍ଲାର କିଛି ଅଂଚଳରେ  ବର୍ଷା ନିରୁଦ୍ଧିଷ୍ଟ ହୋଇଯାଇଛି । ଜିଲ୍ଲାର ଅଧିକାଂଶ ସ୍ଥାନରେ  ତଳି ପୋଡ଼ିଗଲାଣି ।  କିଛି ସ୍ଥାନରେ ତଳି ଜଳସେଚନ କରି ଚାଷୀ ବଂଚାଇ ରଖିଥିଲେ ହେଁ ପାଣି ନ ଥିବାରୁ ରୁଆ ଯାଇପାରୁନାହିଁ । ଜିଲ୍ଲାରେ ବର୍ତମାନ ସୁଦ୍ଧା ମାତ୍ର ୧୮ରୁ ୨୦ହଜାର ହେକ୍ଟର ଜମି ରୁଆ ସରିଥିବା ଜିଲ୍ଲା କୃଷି ବିଭାଗ ପକ୍ଷରୁ ସୂଚନା ମିଳିଛି । ରୁଆ ସରିଥିବା ଜମିରେ ବି ପାଣି ନ ଥିବାରୁ ଜମି ଆଁ କରି ରହିଛି । ଧାନ ଗଛ ମରିଗଲାଣି ।

ରଙ୍ଗେଇଲୁଣ୍ଡା ବ୍ଲକ ମନ୍ତ୍ରିଡ଼ି ପଂଚାୟତ ବୟାଳି ଗାଁର ଚାଷୀ ଦିଲ୍ଲୀପ ନାୟକ କହିଛନ୍ତି ଯେ, ମୋର ୧୦ଏକର ଚାଷ ଜମି ରହିଛି । ଏକ ନାଳରୁ ପାଣି ଆଣି କିଛି ଜମି ଧାନ ରୁଆ ହୋଇଥିଲା । ପାଣି ନ ଥିବାରୁ ଧାନଗଛ ଗୁଡ଼ିକ ମରିଗଲାଣି । ୮୦ ପ୍ରତିଶତ ଜମି ରୁଆ ହୋଇନି । ତଳି ସବୁ ପୋଡ଼ିଯାଇଛି । ପାଖରେ ବି ଆଉ ବି ନାହିଁ ।  ସେହିପରି ହରଗଡ଼ ଗାଁର ଚାଷୀ ପି.ନିଳାଦ୍ରୀ କହିଛନ୍ତି ୩ଏକର ଜମି ପାଇଁ ତଳି ପଡ଼ିଛି । ଗାଁ କେନାଲରେ ପାଣି ଆସୁନି । ଘଡ଼କା ନାଳରେ ପାଣି ନାହିଁ । ତଳି ସବୁ ପୋଡ଼ିଗଲାଣି । ଏବର୍ଷର ଚାଷ ଆଉ କିଛି ହେବନି ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରୁ ଗଞ୍ଜାମ ଜିଲ୍ଲା ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ବିଜୟ ମିଶ୍ର କହିଛନ୍ତି ଯେ, ଋଷିକୂଲ୍ୟା କେନାଲ ଦ୍ୱାର ୬୨ହଜାର ହେକ୍ଟର ଜମିକୁ ଜଳସେଚିତ ହୋଇପାରିବ । ଗତ ୧୪ତାରିଖରୁ ଋଷିକୂଲ୍ୟା କେନାଲରେ ପାଣି ଛଡ଼ଗଲାଣି ।  ବାଘୁଆ, ବାଘଲଟି, ଘୋଡ଼ାହାଡ, ଧନେଇ ଓ ଘୋଡହାଡ ଏହି ମଧ୍ୟମଧରଣ ଜଳସେଚନ ପ୍ରକଳ୍ପ କେନାଲ ଗୁଡ଼ିକରେ ଗତ ୨୦ତାରିଖରୁ ପାଣି ଛଡ଼ାଯାଇଛି । ଜଳସଚେନ ବିଭାଗର ବୃହତ ଓ ମଧ୍ୟଧରଣ ଏହି ଜଳସେଚନ ପ୍ରକଳ୍ପ ଦ୍ୱାରା ୧ଲକ୍ଷ ୨୭ହଜାର ହେକ୍ଟର ଜମି ଜଳସେଚିତ ହୋଇପାରୁଛି ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର