ବର୍ଷା ଅଭାବ: ଆଗେଇ ପାରୁନାହିଁ ଚାଷ କାର୍ଯ୍ୟ

ଭବାନୀପାଟଣା:: କଳାହାଣ୍ଡି ଜିଲ୍ଲାରେ ଗତ ତିନି ବର୍ଷ ମଧ୍ୟରେ ଚଳିତ ଜୁଲାଇ ମାସରେ ସବୁ ଠାରୁ ସର୍ବ ନିମ୍ନ ବର୍ଷା ହେବା ଯୋଗୁଁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ବର୍ଷା ଅଭାବ ଯୋଗୁଁ ଚାଷ କାର୍ଯ୍ୟ ରେ ବିଳମ୍ବ ନେଇ ଚାଷୀ ମାନଙ୍କ ମଧ୍ୟରେ ନୈରାଶ୍ୟ ଭାବ ସୃଷ୍ଟି ହୋଇଛି । ଜିଲ୍ଲାରେ ଗତ ୨୦୧୮ ମସିହା ଜୁନ ମାସରେ ହାରାହାରି ବର୍ଷା ୧୦୬.୪୪ ମିଲିମିଟର ବର୍ଷା ହୋଇଥିବା ବେଳେ ଜୁଲାଇ ମାସରେ ୬୫୨.୨୫ ମିଲିମିଟର ବର୍ଷା ହୋଇଥିଲା । ୨୦୧୯ ମସିହା ଜୁନ ମାସରେ ୧୫୭ ମିଲିମିଟ ଓ ଜୁଲାଇ ମାସରେ ୪୫୪.୦୭ ମିଲିମିଟର ବର୍ଷା ହୋଇଥିଲା ।
ଚଳିତ ୨୦୨୦ ମସିହା ଜୁନ ମାସରେ ୩୦୬. ୮୯ ମିଲିମିଟର ବର୍ଷା ହୋଇଥିବା ବେଳେ ଚଳିତ ଜୁଲାଇ ମାସରେ ୨୭୧.୬୯ ମିଲିମିଟର ବର୍ଷା ହୋଇଥିବା ସରକାରୀ ଭାବେ ରେକର୍ଡ କରାଯାଇଛି । ଗତ ତିନିବର୍ଷ ମଧ୍ୟରେ ଜୁଲାଇ ମାସର ବର୍ଷାହାର ସର୍ବନିମ୍ନ ଅଟେ । ଚଳିତ ଜୁଲାଇ ମାସରେ ଭବାନୀପାଟଣା ବ୍ଲକ ରେ ୨୮୦. ୪ ମିମି , କେସିଙ୍ଗା ବ୍ଲକ ରେ ୩୭୬.୬ ମିମି, କର୍ଲାମୁଣ୍ଡା ବ୍ଲକରେ ୧୭୮.୨ ମିମି, ମଦନପୁର ରାମପୁର ବ୍ଲକରେ ୨୯୪ ମିମି, ନର୍ଲା ବ୍ଲକ ରେ ୨୦୭ ମିମି, ଲାଞ୍ଜିଗଡ଼ ବ୍ଲକ ରେ ୨୭୪ ମିମି, ଥୁଆମୂଳ ରାମପୁର ବ୍ଲକ ରେ ୩୬୮ ମିମି , ଧର୍ମଗଡ଼ ବ୍ଲକ ରେ ୧୮୫ ମିମି, ଜୁନାଗଡ଼ ବ୍ଲକ ରେ ୨୨୧ମିମି , କଲମପୁର ବ୍ଲକ ରେ ୨୮୦.୫ ମିମି , ଜୟପାଟଣା ବ୍ଲକ ରେ ୩୦୨ ମିମି, କୋକସରା ବ୍ଲକରେ ୩୧୪.୪ ମିମି ଓ ଗୋଲାମୁଣ୍ଡା ବ୍ଲକ ରେ ୨୫୦.୯ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି।
ଜିଲ୍ଲାରେ କର୍ଲାମୁଣ୍ଡା ବ୍ଲକ ରେ ଚଳିତ ମାସର ର ସର୍ବନିମ୍ନ ବର୍ଷା ହୋଇଛି । କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା, ଧର୍ମଗଡ଼, ଜୁନାଗଡ଼, ନର୍ଲା , ଭବାନୀପାଟଣା ପ୍ରଭୂତି ବ୍ଲକରେ ନିଆଣ୍ଟିଆ ବର୍ଷା ଚାଷୀଙ୍କୁ ଦୋହଲାଇ ଦେଇଛି । ବର୍ଷା ଅଭାବ ଯୋଗୁଁ ଚାଷ କାର୍ଯ୍ୟ ରେ ବିଳମ୍ବ ଦେଖା ଦେଇଛି । ଧାନ ବେଉଷଣ ପରେ ଚାଷୀମାନେ ବର୍ଷା ଅପେକ୍ଷା ରେ ରହିଛନ୍ତି । କଳାହାଣ୍ଡି ଜିଲ୍ଲାରେ ଜିଲ୍ଲାରେ ଚାଷୀମାନେ ରବି ଧାନ ବିକ୍ରି ବେଳେ ମଣ୍ଡିରେ ଦହଗଞ୍ଜ ହୋଇଥିଲେ । ଚାଷୀଙ୍କ ସବୁ ଧାନ ଉଠାଣ ହେବା ପୂର୍ବରୁ ଚକ୍ରାନ୍ତ କରି ମଣ୍ଡି କୁ ବନ୍ଦ କରି ଦିଆଯାଇଥିଲା । ମଣ୍ଡି ପରେ ଖରିଫ ଚାଷ ପାଇଁ କରୋନା ପ୍ରତିବନ୍ଧକ ସାଜିଥିଲା ।
ପର୍ଯ୍ୟାପ୍ତ ଧାନ ବିହନର ଅଭାବ ଓ ଚାଷୀ ଙ୍କ ମନମୁତାବକ ବିହନ ନ ମିଳିବା ଯୋଗୁଁ ଚାଷୀ ଅକଳରେ ପଡିଥିଲା । ରାଜ୍ୟରେ ମୌସୁମୀ ବର୍ଷା ଉଭାନ ହେବା ଯୋଗୁଁ ନିଆଣ୍ଟିଆ ବର୍ଷା ଚାଷୀ ଙ୍କୁ କଲବଳ କରିଛି । ବର୍ଷା ନ ହେବା ଯୋଗୁଁ ପାଗ ଶୁଖିଲା ରହିବା ସହିତ ଶ୍ରାବଣ ମାସର ଟାଣ ଖରା ଚାଷୀଙ୍କ ଉପଯୋଗ ରେ ଆସିପାରୁନାହିଁ । ଚଳିତବର୍ଷ ଜୁନାଗଡ଼ ଜିଲ୍ଲା କୃଷି ବିଭାଗ ପକ୍ଷରୁ ୨୯ ହଜାର ୮୦୦ ହେକ୍ଟର ଚାଷ ଜମି ରେ ଧାନ ଚାଷ କରିବା ପାଇଁ ଧାର୍ଯ୍ୟ କରାଯାଇଛି ।
ବର୍ତ୍ତମାନ ସ୍ୱାଭାବିକ ବର୍ଷା ନ ହେବାରୁ କିଛି ଚାଷୀ ହଲ ମଧ୍ୟ କରିନାହାନ୍ତି । ଅନକେ ଚାଷୀ ତଳି ପକାଇଥିଲେ ଶୁଦ୍ଧା ପାଣି ଅଭାବରୁ ତଳି ରୁହା ପକାଇନାହାନ୍ତି । ଡାହାଣ ମୁଖ୍ୟ କେନାଲରେ ପାଣି ଯାଉଥିବା ବେଳେ ଜାରିଙ୍ଗ ଠାରେ ଗେଟ ଖୋଲା ଯାଇଥିବାରୁ ତଳ ଅଞ୍ଚଳରେ ଥିବା ଚାଷୀ ମାନଂକୁ ପାଣି ଆସୁନାହିଁ । ଅନ୍ୟ ପକ୍ଷରେ ମୁଖ୍ୟମନ୍ତ୍ରୀ ନିଜେ ଆସି କେନାଲ ମରାମତି ପାଇଁ ଉଦଘାଟନ କରିଥିଲେ । ଆଜକୁ ୫ ବର୍ଷ ବିତିଯାଇଥିଲେ ସୁଦ୍ଧା ନା ଟେଣ୍ଡର ହେଉଛି ନା ଟେଣ୍ଡର ମରାମତି ହେଉଛି । ଏ ଅଞ୍ଚଲର ମନ୍ତ୍ରୀ, ବିଧାୟକ ଠାରୁ ଆରମ୍ଭ କରି ଅନେକ ଜନ ପ୍ରତିନିଧି ମୁଖ୍ୟମନ୍ତ୍ରୀଙ୍କ ଠାରେ ପାଟି ଫିଟାଇ ପାରୁନଥିବା ଯୋଗୁଁ ଆଜି ବି ଚାଷୀ ମାନେ ଅବହେଳିତ ଅବସ୍ଥାରେ ରହୁଛନ୍ତି ।
ବର୍ତ୍ତମାନ ବର୍ଷ ବର୍ଷ ବିତିଯାଇଥିଲେ ସୁଦ୍ଧା କେନାଲ ମରାମତି ହେଉନାହିଁ । ଯାହାବି ଅଛି ତାହା ପୁଣି ଭାଙ୍ଗି ଗଲାଣି ।ଫଳରେ ଚାଷୀ ଙ୍କ ଜମିକୁ କେନାଲ ମାଧ୍ୟମରେ ଠିକ ଭାବେ ପାଣି ଯାଇ ପାରୁନାହିଁ । ସରକାର ଚାଷୀ ଙ୍କ ବିକାଶ ପାଇଁ ଡିଣ୍ଡିମ ପିଟୁଥିବା ବେଳେ ଅସଲରେ ତାହା କେବଳ ଦେଖାଣିଆ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ଜୁନାଗଡ଼ ବ୍ଲକ ରେ ଚାଷୀଙ୍କୁ ଗୋଟିଏ ପଟେ ଇନ୍ଦ୍ର ଓ ଅନ୍ୟପଟେ ଇନ୍ଦ୍ରାବତୀ ବଇରି ସାଜୁଥିବା ଯୋଗୁଁ ମରୁଡ଼ିର ପଦଧ୍ୱନୀ ଦେବା ଆରମ୍ଭ ହେଲାଣି । ଯଦି ଅଳ୍ପ କିଛିଦିନ ମଧ୍ୟରେ ବର୍ଷା ନ ହୁଏ କିମ୍ବା ଇନ୍ଦ୍ରାବତୀ ପକ୍ଷରୁ ଠିକ ଭାବେ ପାଣି ଦିଆ ନ ଯାଏ ତାହେଲେ ଚାଷୀମାନେ ହାହାକାର ହେବେ । ଶ୍ରାବଣ ମାସର ଖରା ଚାଷୀ ଙ୍କୁ ଦାଉ ସାଧିବାରେ ଲାଗିଛି । ଆଗକୁ ବର୍ଷା ନ ହେଲେ ଧାର କରଜ କରି ଚାଷ କରିଥିବା ଚାଷୀଙ୍କ ଫସଲ ଉଜୁଡିଯିବାର ସମ୍ଭାବନା ରହିଛି ।
ସମ୍ବନ୍ଧିତ ଖବର