କଳାବାଡ଼ିଆ: ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ୍‌ ବଡ଼ଚାଟରାଠାରେ ୨୦୧୩ ମସିହାରେରେ ସୁବର୍ଣ୍ଣରେଖା କେନାଲ ପ୍ରକଳ୍ପ ଲୋକାର୍ପିତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଝାଡ଼ଖଣ୍ଡର ଗାଲୁଡ଼ିହି ବ୍ୟାରେଜରୁ ବାଙ୍ଗିରିପୋଷି ବ୍ଲକ୍‌ର ଜଗନ୍ନାଥଖୁଣ୍ଟା ଯାଏ ୫୬ କିମି କେନାଲରେ ଅନବରତ ପାଣି ଆସିବ ଓ କେନାଲର ଉଭୟ ପାର୍ଶ୍ବରେ ୧୫ ହଜାର ହଜାର ହେକ୍ଟର ଜମି ଜଳସେଚିତ ହେବ ବୋଲି ସେତେବେଳେ କୁହାଯାଇଥିଲା। ହେଲେ ଆଜିଯାଏ ଏହି କେନାଲ ଚାଷୀଙ୍କ ସମସ୍ୟାର ସମାଧାନ କରିପାରୁନି।
କେନାଲରେ ପାଣି ଅଭାବରୁ ବାଙ୍ଗିରିପୋଷି ବ୍ଲକ୍‌ର କୁମ୍ଭାରମୁଣ୍ଢାକଟା, ପଥୁରୀ ଓ କଳାବାଡ଼ିଆ ପଞ୍ଚାୟତର ୨ ହଜାରରୁ ଊର୍ଦ୍ଧ୍ବ ଚାଷୀ ଚାଷକାର୍ଯ୍ୟ କରିପାରି ନାହାନ୍ତି। ବାରମ୍ବାର ଦାବି ପରେ ମୁଖ୍ୟ କେନାଲରେ ପାଣି ଆସୁଛି ହେଲେ ଶାଖା କେନାଲରେ ଯାଉନାହିଁ। ଶାଖା କେନାଲ ଶୁଖିଲା ପଡ଼ିଥିବାରୁ କଳାବାଡ଼ିଆ (ଏ) ସେକ୍ସନର ଶହଶହ ଚାଷୀଙ୍କ ଏକର ଏକର ଜମି ପଡ଼ିଆ ପଡ଼ିଛି। ଦିନେ ୨ ଦିନ ମଧ୍ୟରେ ଶାଖା କେନାଲରେ ପାଣି ନଆସିଲେ ନିଶ୍ଚିତ ମରୁଡ଼ିର ସମ୍ମୁଖୀନ ହେବେ ବୋଲି ଚାଷୀ ତପନ ଷଡ଼ଙ୍ଗୀ, ଶାନ୍ତନୁ ହୋତା, କାଳିପଦ କଲିଆ, ନିରଞ୍ଜନ ଜେନା, ମାମା ମିଶ୍ର, ହାଡ଼ିବନ୍ଧୁ ମିଶ୍ର, ଶ୍ରୀପଦ ପାଣି, ମନୋଜ ମିଶ୍ର, ନବୀନ ପାଣି, କାଳିପଦ ସିଂ ପ୍ରମୁଖ କହିଛନ୍ତି। ସୂଚନାଯୋଗ୍ୟ; ଏବେ ଝାଡ଼ଖଣ୍ଡର ଗାଲୁଡ଼ିହି ବ୍ୟାରେଜରୁ ସୁବର୍ଣ୍ଣରେଖା ମୁଖ୍ୟ କେନାଲରେ ୩୦ କ୍ୟୁବିକ୍‌ ମିଟର ପାଣି ଛଡ଼ାଯାଉଛି। ଏବେ ସୁଦ୍ଧା ବାଙ୍ଗିରିପୋଷି ବ୍ଲକ୍‌ରେ ୧୭ କ୍ୟୁବିକ୍‌ ମିଟର ପାଣି ଆସିଛି। ସମ୍ପୂର୍ଣ୍ଣ ପାଣି ପହଞ୍ଚିବା ପାଇଁ ଆହୁରି ୨ ଦିନ ଲାଗିପାରେ ବୋଲି ବିଭାଗୀୟ ଏସ୍‌ଡିଓ ଚନ୍ଦ୍ର ଶେଖର ରାଉତ କହିଛନ୍ତି।