ଖୋର୍ଦ୍ଧା: ଆଉ ୪ ଦିନ ଗଲେ ଆଷାଢ଼ ମାସ ଶେଷ ହେବ, କିନ୍ତୁ ବର୍ଷା ଅଭାବରେ ଖୋର୍ଦ୍ଧା ଜିଲ୍ଲାରେ ଚାଷ କାମ ପ୍ରାୟତଃ ଠପ୍ ହୋଇଯାଇଛି । ଯେଉଁ ନଦୀକୂଳିଆ ଜମିରେ ଚାଷ କାମ ହୋଇଛି ସେଠାରେ ମଧ୍ୟ ରୁଆ କାମ ଆରମ୍ଭ ହୋଇପାରିନାହିଁ।

Advertisment

ଜୁନ୍ ମାସର ୩୦ ଦିନରେ କେବଳ ୬ ଦିନ ଆଖିଦୃଶିଆ ବର୍ଷା ହୋଇଥିବା ବେଳେ ଯେତିକି ପରିମାଣ ବର୍ଷା ହୋଇଛି ସେତିକି ଚାଷ କାମ ପାଇଁ ସମୁଦ୍ରକୁ ଶଙ୍ଖେପାଣି ଅଟେ । ପାଣିପାଗ ବିଭାଗର ସୂଚନାନୁସାରେ ଜୁନ୍ ମାସରେ ୧୧, ୧୯, ୨୩, ୨୪, ୨୫ ଓ ୨୭ ତାରିଖରେ ବର୍ଷା ହୋଇଥିଲା । ଜୁନ୍ମାସରେ ସ୍ୱାଭାବିକ ଭାବେ ୧୯୬.୨ ମିମି ବର୍ଷା ହୋଇଥାଏ, କିନ୍ତୁ ଚଳିତ ମାସରେ ୧୨୬.୫୬ ମିମି ବର୍ଷା ହୋଇଛି । ବାଲିଅନ୍ତାରେ ୨୦୩ ମିମି, ବାଲିପାଟଣାରେ ୧୫୬ ମିମି, ଭୁବନେଶ୍ୱରରେ ୧୮୬ ମିମି, ଜଟଣୀରେ ୬୦ ମିମି, ବାଣପୁରରେ ୨୦୯ ମିମି, ବେଗୁନିଆରେ ସର୍ବନିମ୍ନ ୫୨ ମିମି, ବୋଲଗଡ଼ରେ ୭୬ ମିମି, ଚିଲିକାରେ ୧୧୬ ମିମି, ଖୋର୍ଦ୍ଧାରେ ୭୧ ମିମି ଓ ଟାଙ୍ଗୀରେ ୧୩୬ ମିମି ବର୍ଷା ହୋଇଛି ।

ନିଅଂଟିଆ ବର୍ଷା ଯୋଗୁଁ ଜିଲ୍ଲାର ୧ଲକ୍ଷ ୫ହଜାର ହେକ୍ଟର ଚାଷ ଜମିରୁ ବାଲିଅନ୍ତା, ବାଲିପାଟଣା ବ୍ଲକର ନଦୀ କୂଳିଆ ସ୍ଥାନରେ କେବଳ ୧୫ ହଜାର ହେକ୍ଟର ଜମିରେ ଚାଷ କାମ ଆରମ୍ଭ ହୋଇପାରିଥିବା ବେଳେ କୌଣସି ଜମିରେ ରୁଆ କାମ ଆରମ୍ଭ ହୋଇପାରିନାହିଁ । ପୂର୍ବ ବର୍ଷ ଜୁନ୍ ମାସରେ ମଧ୍ୟ ଅନୁରୂପ ସ୍ଥିତି ଜିଲ୍ଲାରେ ରହିଥିଲା । ସେହି ମାସରେ ହାରାହାରି ୭୮ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଚାଷ କାମ ଜୁଲାଇ ଶେଷ ଆଡ଼କୁ ଆରମ୍ଭ ହୋଇଥିଲା । ଚଳିତ ବର୍ଷ ମଧ୍ୟ ଅନୁରୂପ ସ୍ଥିତି ଦେଖିବାକୁ ମିଳିବ ବୋଲି ଚାଷୀ ମହଲରେ ମତ ପ୍ରକାଶ ପାଇଛି ।

ଏନେଇ କୃଷି ବିଭାଗ ଡେପୁଟି ନିଦେ୍ର୍ଦଶକ ପ୍ରଫୁଲ୍ଲ କୁମାର ମହାରଣା କହିଛନ୍ତି ଯେ, ଜିଲ୍ଲାରେ ଜୁନ୍ ମାସରେ ପ୍ରାୟ ୭୦ ମିମି ନିଅଂଟିଆ ବର୍ଷା ହୋଇଛି । ଜୁନ୍ ଶେଷ ଆଡ଼କୁ କିଛି ବର୍ଷା ହୋଇଥିବା ବେଳେ ନଦୀ କୂଳିଆ ଜମିରେ ଧାନ ବୁଣା ହୋଇଛି । ୮୫ ପ୍ରତିଶତ ଅଂଚଳରେ ଚାଷକାମ ଆରମ୍ଭ ହୋଇପାରିନାହିଁ । ଜିଲ୍ଲା ପାଇଁ ଆବଶ୍ୟକ ସାର ମଧ୍ୟରୁ ୬୦ ପ୍ରତିଶତ ସାର ଅର୍ଥାତ୍ ୨୩୩୦ ମେଟ୍ରିକ୍ ଟନ୍ ସାର ଗଚ୍ଛିତ ରହିଛି । ଜିଲ୍ଲାକୁ ଆବଶ୍ୟକ ହେଉଥିବା ୮୮୩୦ ମେଟ୍ରିକ୍ ଟନ୍ ବିହନରୁ ୪୫୮୬ ମେଟ୍ରିକ୍ ଟନ୍ ବିହନ ମଧ୍ୟ ବଂଟନ ପାଇଁ ମହଜୁଦ ରହିଛି । ସାର ଓ ବିହନର ଆବଂଟନ ଯେଭଳି ସ୍ୱଚ୍ଛ ହେବ ସେନେଇ ଜିଲ୍ଲା ଓ ବ୍ଲକସ୍ତରୀୟ ସ୍କ୍ୱାଡ୍ ଗଠନ କରାଯାଇଛି । ଏହା ମଧ୍ୟରେ ୬ଜଣ ଡିଲରଙ୍କ ଲାଇସେନ୍ସ ମଧ୍ୟ ରଦ୍ଦ କରାଯାଇଛି । ଆଶା କରାଯାଉଛି ପରବର୍ତୀ ମାସରେ ବର୍ଷା ହେବ ଓ ଚାଷ କାମ ଆରମ୍ଭ ହେବ ।