ରାଇରଙ୍ଗପୁର: ଆଷାଢ ସରିଲାଣି କିନ୍ତୁ ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡରେ ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷୀକୁଳ ଚିନ୍ତାରେ ଅଛନ୍ତି । ଜୁଲାଇ ମାସର ଅଧା ହେଲାଣି କିନ୍ତୁ ବର୍ତ୍ତମାନ ସୁଦ୍ଧା ଉପଖଣ୍ଡରେ ୨୦ ପ୍ରତିଶତ ବି ବର୍ଷା ହୋଇନଥିବା ସୂଚନା ମିଳିଛି । ଏପରିକି ଅକ୍ଷୟ ତୃତୀୟା ସମୟରେ ଧାନ ବୁଣା ଆରମ୍ଭ ହୋଇଥାଏ । କିନ୍ତୁ ଅକ୍ଷୟ ତୃତୀୟାର ଦେଢ ମାସରୁ ଅଧିକ ହେଲାଣି କିନ୍ତୁ ବର୍ଷା ସ୍ୱଳ୍ପ ପରିମାଣରେ ହୋଇଥିବା ଯୋଗୁଁ ଚାଷ କାର୍ଯ୍ୟ ୧୦ ପ୍ରତିଶତ ବି ଆଗେଇ ପାରିନି । ଗ୍ରୀଷ୍ମ ସମୟରେ ମୟୁରଭଞ୍ଜ ଜିଲ୍ଲା ସବୁଠାରୁ ଅଧିକ ଉତ୍ତାପ ଥିବା ବେଳେ ବର୍ଷା ଋତୁରେ ସବୁଠାରୁ କମ୍ ବର୍ଷା ହୋଇଛି । ଖରିଫ ଋତୁରେ ବାମନଘାଟୀ ଉପଖଣ୍ଡରେ ୧ ଲକ୍ଷ ୫୫ ହଜାର ହେକ୍ଟର ଜମିରୁ ୮୦ ହଜାର ହେକ୍ଟର ଜମିରେ ଧାନ ଚାଷ ଓ ୩୫ ହଜାର ହେକ୍ଟର ଜମିରେ ଅଣଧାନ ଚାଷ ହୋଇଥାଏ । ତେବେ ବର୍ତମାନ ଖରିଫ୍ ଋତୁ ପାଇଁ ୨୬୦ ମିଲିଲିଟର ବର୍ଷା ଦରକାର୍ ଥିବା ବେଳେ ମାତ୍ର ୭୦ ମିଲିଲିଟର ବର୍ଷା ହୋଇଥିବା ସୂଚନା ମିଳିଛି । ବର୍ଷାଭାବ ଯୋଗୁଁ ୮୦ ପ୍ରତିଶତ ଧାନ ତଳି ପଡିପାରିନଥିବା ବେଳେ ୩୦ ପ୍ରତିଶତ ପାଖାପାଖି ଚାଷ ଜମିରେ ଧାନ ବୁଣା ହୋଇଥିବା ବେଳେ ବର୍ଷାଭାବ ଯୋଗୁଁ ଧାନରୁ ଗଜା ମଧ୍ୟ ବାହାରିପାରୁନି । ଅଧିକାଂଶ ବୁଣା ଧାନ ଓ ତଳି ପକାଇଥିବା ଧାନକୁ ବିଭିନ୍ନ ପକ୍ଷୀଙ୍କ ଆହାର ପାଲଟିଛି ।
ପ୍ରତିବର୍ଷ ଅଚଳ ଉଠା ଜଳସେଚନ ପଏଣ୍ଟଗୁଡିକ ଲକ୍ଷଲକ୍ଷ ଟଙ୍କା ବ୍ୟୟ କରାଯାଇ ସଚଳ କରାଯାଉଥିବା ବେଳେ ଘରୋଇ ଚାଷୀମାନଙ୍କୁ କୋଟିକୋଟି ଟଙ୍କାର ସବସିଡି ଦିଆଯାଇ ବୋରୱେଲ୍ ସହିତ ମୋଟର ଲଗାଯାଇ ଜଳସେଚନ ସୁବିଧା ଯୋଗାଇ ଦିଆଯାଇଥିଲେ ସୁଦ୍ଧା ସେ ଗୁଡିକର ଚିହ୍ନବର୍ଣ୍ଣ ନଥିବା ଦେଖିବାକୁ ମିଳୁଛି ।ଏହା ବ୍ୟତିତ ବାମନଘାଟୀ ଉପଖଣ୍ଡରେ ଖଡଖାଇ ବନ୍ଧ,ବାଙ୍କବଳ ଓ ନେସା ବନ୍ଧ ପରି ୩ଟି ବିଶାଳ ବନ୍ଧ ଥିଲେ ମଧ୍ୟ ଚାଷୀମାନେ ପାଣି ପାଇବାରୁ ବଂଚିତ ହେଉଛନ୍ତି । ତେବେ ବନ୍ଧ ପାର୍ଶ୍ଵବର୍ତ୍ତୀ ଗ୍ରାମରେ ଥିବା ଚାଷୀଙ୍କ ଠାରୁ ଜଳକର ଆଦାୟ ହେଉଥିଲେ ମଧ୍ୟ ଚାଷ ପାଇଁ ପର୍ଯ୍ୟାପ୍ତ ପରିମାଣରେ ଜଳ ମିଳୁନଥିବା ଅଭିଯୋଗ ହେଉଛି । ବର୍ତ୍ତମାନ ବର୍ଷା ଋତୁରେ ବନ୍ଧର କେନାଲ୍ ଗୁଡିକ ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ ଚାଲିଥିବା ଯୋଗୁଁ କେନାଲରେ ପାଣି ଛଡା ଯାଉନଥିବା ଚାଷୀମାନେ କହିଛନ୍ତି । ଯଦି ଏଭଳି ନିଅଣ୍ଟିଆ ବର୍ଷା ହୁଏ ତାହେଲେ ଚଳିତ ବର୍ଷ ମରୁଡି ହେବାର ଆଶଙ୍କା ରହିଛି ।