ଅଦିନିଆ ବର୍ଷା କୃଷି ଋଣ ଛାଡ଼ ସହ ଚାଷୀଙ୍କୁ ସହାୟତା ରାଶି ପ୍ରଦାନ ନିମନ୍ତେ ମୟୂରଭଞ୍ଜ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଦାବି

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଅଦିନିଆ ବର୍ଷା ଚାଷୀମାନଙ୍କର ବର୍ଷକର ପରିଶ୍ରମ ଖରିଫ ଧାନ ଚାଷକୁ ଛଡ଼ାଇ ନେଇଛି । ବର୍ଷା ଫଳରେ କଟାଯାଇଥିବା ଧାନ ବିଲରେ ଜମିଥିବା ପାଣିରେ ଭାସୁଛି । ଧାନ ଗଜା ହେବା ଅବସ୍ଥାକୁ ଆସି ଯାଇଛି। ବର୍ଷାପାଣି ପାଇବା ଦ୍ୱାରା ଧାନର ରଙ୍ଗ ସହ ମାନରେ ହ୍ରାସ ପାଇବା ସୁନିଶ୍ଚିତ ହୋଇପଡ଼ିଛି ।

ପ୍ରଥମେ କରୋନା ମାଡ଼ ଜନସାଧାରଣଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଥିବା ବେଳେ ଅଦିନିଆ ବର୍ଷା ବୋଝ ଉପରେ ନଳିତା ବିଡ଼ା ସଦୃଶ୍ୟ ହୋଇଛି । ଏଣୁ ଚାଷୀମାନଙ୍କ ସ୍ୱାର୍ଥକୁ ମୟୂରଭଞ୍ଜ ମୁକ୍ତି ମୋର୍ଚ୍ଚା ଗୁରୁତର ସହ ବିଚାରକୁ ନେଇ କୃଷକମାନଙ୍କର କୃଷି ଋଣ ଛାଡ଼ କରାଯିବା ସହ ଅଦିନିଆ ବର୍ଷାରେ ପ୍ରକୃତ କ୍ଷୟକ୍ଷତି ଆକଳନ କରାଯାଇ ଚାଷୀମାନଙ୍କୁ ଉପଯୁକ୍ତ ସହାୟତା ଏବଂ ଫସଲ ବୀମା ପ୍ରଦାନ କରାଯିବା ନିମନ୍ତେ ସରକାରଙ୍କ ନିକଟରେ ଦାବି କରିଛନ୍ତି ।

ଏଥି ନିମନ୍ତେ ସଂଗଠନର ସଭାପତି ଧରମରାଜ ହାଁସଦାଃଙ୍କ ନେତୃତ୍ୱରେ ବିଶ୍ୱଜିତ ମୁର୍ମୁ, ବିରାମ ମୁର୍ମୁ, ବୈଦ୍ୟ ହେମ୍ବ୍ରମ ପ୍ରମୁଖଙ୍କୁ ନେଇ ଏକ ପ୍ରତିନିଧି ଦଳ ମୁଖ୍ୟ କୃଷି ବିଭାଗ ଅଧିକାରୀଙ୍କୁ ଭେଟି ଏହି ସମସ୍ତ ଦାବିଗୁଡ଼ିକ ସମ୍ପର୍କରେ ଆଲୋଚନା କରିବା ସହ ଏକ ଦାବିପତ୍ର ପ୍ରଦାନ କରିଛନ୍ତି

ସମ୍ବନ୍ଧିତ ଖବର