ବାରିପଦା: ଲଘୁଚାପ ବର୍ଷାରେ କୁତ୍ରିମ ବନ୍ୟା, ଘରେ ଆଣ୍ଠୁଏ ପାଣି

ବାରିପଦା: କେନ୍ଦ୍ର ସରକାରଙ୍କ ଅମୃତ ଯୋଜନାରେ ବାରିପଦା ପୌରପରିଷଦ ସାମିଲ ହୋଇଛି । ଯୋଜନାରେ ସହରରୁ ପରିତ୍ୟକ୍ତ ଓ ଅନାବଶ୍ୟକ ପାଣିର ନିଷ୍କାସନ କ୍ଷେତ୍ରରେ ସ୍ୱରେଜ ବ୍ୟବସ୍ଥାକୁ ଗୁରୁତ୍ୱ ପ୍ରଦାନ କରାଯାଇଛି । ମାତ୍ର ବାରିପଦା ପୌରପରିଷଦରେ ଏହାର ବ୍ୟତିକ୍ରମ ପରିଲକ୍ଷିତ ହୋଇଛି । ଫଳରେ ସାମାନ୍ୟ ବର୍ଷା ହେଲେ ନାଳ ନର୍ଦ୍ଦମାର ପୋକ ସାଲୁବାଲୁ ହେଉଥିବା ପ୍ରଦୂଷିତ ପାଣି ଜନସାଧାରଣ ଜନସାଧାରଣଙ୍କ ଘରେ ପଶି ଜନଜୀବନକୁ ଅସ୍ତବ୍ୟସ୍ତ କରାଇ ପକାଉଥିବା ବେଳେ ପ୍ରଶାସନର ଏ ଦିଗରେ ନିଘା ନାହିଁ କି ପଘା ନାହିଁ ନୀତିକୁ ଆପଣେଇ ନେଇଥିବାର ଅଭିଯୋଗ ହେଉଛି ।

ଗତ ଅଗଷ୍ଟ ୧୫ରେ ହୋଇଥିବା ବର୍ଷା ପାଣି ବିଭିନ୍ନ ସ୍ଥାନରେ କୁତ୍ରିମ ବନ୍ୟା ସୃଷ୍ଟି କରାଇଥିବାର ପରିଲକ୍ଷିତ ହୋଇଛି। ଏହାର ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ବାରିପଦା ପୌରପରିଷଦର ୩ ନମ୍ବର ୱାର୍ଡିସ୍ଥିତ ମାଇନିଂ କଲୋନୀ ଏବଂ ୧୭ ନମ୍ବର ୱାର୍ଡ଼ ଆଦି ଅଞ୍ଚଳରେ । ପୌରପରିଷଦର ଖେଳ, ସହରବାସୀଙ୍କ ନିମନ୍ତେ କାଳ ବୋଲି ଅଭିଯୋଗ ହେଉଛି । ଗତ ବର୍ଷ ଅକ୍ଟୋବର ମାସରେ ୨୦ରେ ଏକ ଡ୍ରେନର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ଏହା ଚଳିତ ବର୍ଷ ଜାନୁୟାରୀରେ ଶେଷ ହେବାର ରହିଥିଲା । କିନ୍ତୁ ପୌରପରିଷଦର ଖାମଖିଆଲି ମନୋଭାବ କାରଣରୁ ଡ୍ରେନ୍‌ଟି ଅଧାରେ ଅଟକି ରହିଯାଇଛି । ଗତକାଲି ହୋଇଥିବା ଲଘୁଚାପଜନିତ ବର୍ଷାରେ ପାଣି ଡ୍ରେନରେ ନିଷ୍କାସିତ ହୋଇ ନ ପାରି କୁତ୍ରିମ ବନ୍ୟା ସୃଷ୍ଟି କରିଥିଲା । ଫଳରେ ଅଳିଆ ଆବର୍ଜନା ସହିତ ପୋକ ସାଲୁବାଲୁ ହେଉଥିବା ଦୁର୍ଗନ୍ଧ ନର୍ଦ୍ଦମା ପାଣି ୩ ନମ୍ବର ୱାର୍ଡ଼ ମାଇନିଂ କଲୋନୀ ସାହିର କାଶୀନାଥ ମାହାନା ଆଦିଙ୍କ ଘରେ ପଶି ଆଣଣ୍ଠୁଏ ପାଣି ଯାଇଥିଲା । ଘର ଆସବାବପତ୍ର ପାଣିରେ ଏଣେତେଣେ ଭାସି ଯାଇଥିଲା । ଅଖିଆ ଅପିଆ ଭୋକ ଉପବାସରେ ସାରା ରାତି ଅନିଦ୍ରା ରହିଥିଲେ ।

ସେହିପରି ୱାର୍ଡ ନଂ-୧୭ର ଅବସ୍ଥା କହିଲେ ନସରେ । ବର୍ଷାପାଣି ନିଷ୍କାସିତ ହୋଇ ନ ପାରି ରଫିକ ଓ ଅରବିନ୍ଦ ବେହେରା ଆଦି ଲୋକମାନଙ୍କ ଘରେ ପାଣି ପଶି ଯାଇଥିଲା । ଘର ଭିତରେ ଓ ବାହାରେ ସବୁଠି ଆଣଣ୍ଠୁ ଉପରକୁ ପାଣି । ଖବର ପାଇ ଆଜି ପୌର ପ୍ରଶାସନ ପହଁଞ୍ଚି ସ୍ଥିତାବସ୍ଥାକୁ ଅନୁଧ୍ୟାନ କରି ଫେରି ଆସିଥିବା ବେଳେ ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲିବାକୁ ପ୍ରସ୍ତୁତ ନ ଥିଲେ । ପୁଣି ୭ ନମ୍ବର ୱାର୍ଡ଼ ବଗିଚାସାହି, ମଧୁବନ ତଳସାହି ଆଦି ଅଞ୍ଚଳ ସହ ଦୋଳିପଡ଼ିଆ, ଦାରୋଗାଡ଼ାହି ରେଲୱେ ଲେବୁଲ କ୍ରସିଂ, ମନ୍ତ୍ରୀ ଛକ ନିକଟ ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ପାଣି ଜମା ହୋଇ ଜନସାଧାରଣଙ୍କ ଗମନାଗମନରେ ବାଧା ସୃଷ୍ଟି କରାଇ ଆସୁଛି । ଡ୍ରେନ ନିର୍ମାଣ ସମୟରେ ବୈଷୟିତ ଦିଗ ପ୍ରତି ଦୃଷ୍ଟି ନ ଦେବାକୁ ଦାୟୀ କରିଛନ୍ତି ସହରବାସୀ ।

 

ସମ୍ବନ୍ଧିତ ଖବର