ଟଳିଲା ବାତ୍ୟା, ଛାଡ଼ୁନି ବର୍ଷା ଭୟ; ଦକ୍ଷିଣ ଓଡ଼ିଶା, ପୁରୀ ସମେତ ପୂର୍ବ ଉପକୂଳରେ ପ୍ରବଳ ବର୍ଷା ଆଶଙ୍କା

ରାୟଗଡ଼ା: ଟଳିଲା ବାତ୍ୟା ଆଶଙ୍କା ହେଲେ ଟଳିନି ବର୍ଷା ଭୟ। ବାତ୍ୟା ‘ଜୱାଦ୍’ ଗଭୀର ଅବପାତରେ ପରିଣତ ହୋଇ ୫ ତାରିଖ ଅପରାହ୍ନରେ ପୁରୀ ଉପୂକଳରେ ଲ୍ୟାଣ୍ଡଫଲ୍ କରିବ। ଲ୍ୟାଣ୍ଡଫଲ୍ ପରେ ଦକ୍ଷିଣ ଓଡ଼ିଶା, ପୁରୀ ସମେତ ପୂର୍ବ ଉପକୂଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଅତିରୁ ଅତି ପ୍ରବଳ ବର୍ଷା ହେବାକୁ ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ପ୍ରଭାବିତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ରାୟଗଡ଼ାକୁ ୟଲୋ ୱାର୍ଣ୍ଣିଂ ଜାରି ପରେ ପ୍ରଶାସନ ପ୍ରଭାବିତ ଅଞ୍ଚଳବାସୀଙ୍କୁ ଥଇଥାନ ପାଇଁ ୧୬୯ ଆଶ୍ରୟସ୍ଥଳୀ ଚିହ୍ନଟ କରିଛି। ବାତ୍ୟା ପ୍ରଭାବରେ ଶୁକ୍ରବାର ମଧ୍ୟାହ୍ନରୁ ରାୟଗଡ଼ା ଆକାଶ ମେଘାଚ୍ଛନ୍ନ ରହିଛି।

ଗତକାଲି ରାତିରେ ସ୍ବଳ୍ପ ପରିମାଣର ବର୍ଷା ହୋଇଥିବା ବେଳେ ଆଜି ଦିନ ତମାମ କୋହଲା ପାଗ ଲାଗି ରହିଥିଲା। ଅପରାହ୍ନରେ ଆକାଶ ସଫା ହେବା ସହ କିଛି ସମୟ ପାଇଁ ସୂର୍ଯ୍ୟଙ୍କ କିରଣ ଦେଖିବାକୁ ମିଳିଥିଲା। କିନ୍ତୁ ସନ୍ଧ୍ୟାରେ ପୁଣି ପାଗରେ ପରିବର୍ତ୍ତନ ଆସିବା ସହ ଝିପଝିପ ବର୍ଷା ହୋଇଥିଲା। ବାତ୍ୟା କ୍ରମଶଃ ଦୁର୍ବଳ ହେବାରେ ଲାଗିଥିଲେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଜିଲ୍ଲା ପ୍ରଶାସନକୁ ସତର୍କ ରହିବା ପାଇଁ ସରକାର ନିର୍ଦେଶ ଦେଇଛନ୍ତି। ବର୍ଷା ଲାଗି ଗଞ୍ଜାମ, ଗଜପତିକୁ ରେଡ୍ ୱାର୍ଣ୍ଣିଂ ଓ ରାୟଗଡ଼ାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ବାତ୍ୟା ଲ୍ୟାଣ୍ଡଫଲ୍ ପରେ ରାୟଗଡ଼ା ଜିଲ୍ଲାରୁ ୪୦ ରୁ ୫୦ କିମି ବେଗରେ ପବନ ବହିବ। ଗତ ୪୮ ଘଣ୍ଟା ମଧ୍ୟରେ ଜିଲ୍ଲାରେ ବର୍ଷାର ପ୍ରଭାବ ନ୍ୟୁନ ରହିଛି। ୨.୫୨ ମିମି ହାରରେ ଜିଲ୍ଲାରେ ଆଜି ୨୭.୭ ମିମି ବର୍ଷା ରେକର୍ଡ କରାଯାଇଛି।

ଗୁଣପୁରରେ ସର୍ବାଧିକ ୯ ମିମି, ପଦ୍ମପୁରରେ ୪ ମିମି ଏବଂ ବିଷମକଟକରେ ୩.୨୦ ମିମି ବର୍ଷା ହୋଇଛି। ଅନ୍ୟ ସମସ୍ତ ବ୍ଲକରେ ବର୍ଷାର ପରିମାଣ ୧ ରୁ ୨ ମିମି ମଧ୍ୟରେ ସୀମିତ ରହିଛି। ବଂଶଧାରା, ନାଗାବଳୀ, କଲ୍ୟାଣୀ, ଝଞ୍ଜାବତୀ ଜଳସ୍ତର ସ୍ଥିର ରହିଥିଲେ ମଧ୍ୟ ତଳିଆ ଅଞ୍ଚଳ ଉପରେ ନଜର ରଖିବାକୁ ବ୍ଲକ୍ ପ୍ରଶାସନକୁ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ନିର୍ଦେଶ ଦେଇଛନ୍ତି। ରାୟଗଡ଼ା, ଗୁଣପୁର, କୁଟ୍ରାଗଡ଼ରେ ଥିବା ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରଶାସନ ପ୍ରସ୍ତୁତ କରି ରଖିଛି। ସେହିପରି ୧୬୯ଟି ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀକୁ ଚିହ୍ନଟ କରାଯାଇଛି। ରାୟଗଡ଼ା, କଲ୍ୟାଣସିଂହପୁର, ଗୁଡ଼ାରି, ଗୁଣପୁର ବ୍ଲକ୍ ଉପରେ ପ୍ରଶାସନ ସ୍ବତନ୍ତ୍ର ନଜର ରଖିଛି।

ସମସ୍ତ ଅଞ୍ଚଳରେ ଅଗ୍ନିଶମ ବିଭାଗକୁ ଆଲର୍ଟ ରଖାଯାଇଛି। ରାତିରେ ବର୍ଷା ପରିମାଣ ବଢ଼ିଲେ ପ୍ରଭାବିତ ଅଞ୍ଚଳବାସୀଙ୍କୁ ଅସ୍ଥାୟୀ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯିବ। ମୁକୁନ୍ଦପୁର ଘାଟି ସମେତ ପୁଟାସିଂହ ଘାଟି, ନିୟମଗିରି ପାହାଡ଼, କାଶୀପୁର ଅଞ୍ଚଳର କିଛି ସ୍ଥାନରେ ଭୂସ୍ଖଳନ ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ତୀକ୍ଷଣ୍ ନଜର ରଖାଯାଇଛି। ଅନ୍ୟପକ୍ଷରେ ଗତ ଦୁଇଦିନ ଧରି ଆକାଶ ମେଘାଚ୍ଛନ୍ନ ରହୁଥିବାରୁ ଚାଷୀ ଆଶା, ଆଶଙ୍କା ଭିତରେ ଦିନ କାଟୁଛନ୍ତି। କ୍ଷୟକ୍ଷତି ଭୟରେ ବହୁ ଚାଷୀ ଅଧା ପାଚିଥିବା ଫସଲକୁ କାଟି ଖଳାକୁ ନେଇ ଆସିଥିବା ବେଳେ କିଛି ଭଗବାନଙ୍କ ଭରସାରେ ଫସଲକୁ ଧାନ ବିଲରେ ଛାଡ଼ି ଦେଇଛନ୍ତି। ତେବେ ଆସନ୍ତାକାଲି ଯଦି ବର୍ଷା ପରିମାଣ କମିବ ତେବେ ଫସଲ ନଷ୍ଟକୁ ନେଇ ସୃଷ୍ଟି ହୋଇଥିବା ଆଶଙ୍କା ଟଳିଯିବ।

ସମ୍ବନ୍ଧିତ ଖବର