ରାଉରକେଲା: ଆଉ ମାତ୍ର ଦିନ କେଇଟା ପରେ ବର୍ଷା। ପ୍ରତିବର୍ଷ ବନ୍ୟା ଆସିଲେ ବଢ଼ୁଛି ସହରତଳି ବସ୍ତିବାସିନ୍ଦାଙ୍କ ଚିନ୍ତା। ପାଣି ଘେରରେ ରହୁଛନ୍ତି ଶହ ଶହ ପରିବାର। ନଷ୍ଟ ହେଉଛି ଲକ୍ଷାଧିକ ଟଙ୍କାର ଧନ ସମ୍ପତ୍ତି। ପ୍ରାୟ ୧୩ ବର୍ଷ ଧରି ଏମିତି ଦହଗଞ୍ଜ ହେଉଛନ୍ତି ବସ୍ତିବାସିନ୍ଦା। ପ୍ରତିବର୍ଷ ଜିଲ୍ଲା ପ୍ରଶାସନ କେବଳ ପାଣି ଘେରରୁ ବସ୍ତିବାସିନ୍ଦାଙ୍କୁ ଉଦ୍ଧାର କରି କାମ ସାରି ଦେଉଛନ୍ତି। ହେଲେ ସମସ୍ୟାର ସ୍ଥାୟୀ ସମାଧାନ ଆଜି ପର୍ଯ୍ୟନ୍ତ ଥରୁଟିଏ ଚିନ୍ତା କରୁ ନାହାନ୍ତି। ସ୍ମାର୍ଟସିଟିର ତଳି ବସ୍ତିବାସିନ୍ଦା ରକ୍ଷା କରିବାକୁ ବ୍ରାହ୍ମଣୀ କୂଳରେ ନଦୀବନ୍ଧ କରିବାକୁ ସରକାର ପ୍ରସ୍ତାବ ଦେଇଥିଲେ। ଯାହା କେବଳ ପ୍ରସ୍ତାବରେ ରହିଯାଇଛି। ଉଭୟ ଜିଲ୍ଲା ପ୍ରଶାସନ ଓ ଜଳସେଚନ ବିଭାଗ ଉପଯୁକ୍ତ ସମନ୍ବୟ ରକ୍ଷା କରି ନଦୀ ବନ୍ଧ ନିର୍ମାଣ ପାଇଁ ଆବଶ୍ୟକ ଅର୍ଥ ଏବଂ ରୂପରେଖ ସଂକ୍ରାନ୍ତରେ ରିପୋର୍ଟ ଦେବା କଥା। ଉଭୟ ବିଭାଗ ସ୍ମାର୍ଟସିଟିର ପ୍ରମୁଖ ସମସ୍ୟାକୁ ପାସୋରି ଯାଇଛନ୍ତି।

Advertisment

ଏଥିପାଇଁ ପ୍ରତିବର୍ଷ ପାନପୋଷ ବାଲୁଘାଟରେ ପ୍ରାୟ ୮ରୁ ଅଧିକ ବସ୍ତିର ୬୦୦୦ରୁ ଅଧିକ ଲୋକଙ୍କୁ ଜଳବନ୍ଦୀ ଜୀବନ ବିତାଇବାକୁ ପଡୁଛି। ବସ୍ତିଗୁଡ଼ିକ ମଧ୍ୟରେ ରହିଛି ପଲପଲ ବସ୍ତି, ନୂଆ ବସ୍ତି, ଝରାବସ୍ତି, କୁମ୍ଭାରପଡ଼ା, ତେଲୁଗୁପଡ଼ା, ସର୍ଦ୍ଦାର ବସ୍ତି ଓ ବାଲୁଘାଟ। ବର୍ଷା ଆସିଲେ ଏମାନଙ୍କ ଚିନ୍ତା ବଢ଼ି ଯାଉଛି। ଲଗାଣ ବର୍ଷା ଜାରି ରହିଲେ କାଳେ ବ୍ରାହ୍ମଣୀ ଜଳ ମାଡ଼ି ଆସିବ, ଭୟରେ ବସ୍ତିବାସିନ୍ଦା ରାତିରେ ଉଜାଗର ରହୁଛନ୍ତି। ସରକାରଙ୍କ ନଦୀବନ୍ଧ ଯୋଜନା କେବଳ ପ୍ରସ୍ତାବରେ ଅଟକି ରହିଥିବାରୁ ସହରର ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସ୍ମାର୍ଟସିଟିର ମାନ୍ୟତା ପାଇଥିବା ସହରର ଏହି ପ୍ରମୁଖ ସମସ୍ୟା ପ୍ରତି ଉଭୟ ଜିଲ୍ଲା ପ୍ରଶାସନ ଓ ଜଳସେଚନ ବିଭାଗର ପାରିବାପଣିଆକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସହରର ବିକାଶ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ସରକାର କୋଟି କୋଟି ଟଙ୍କା ପାଣି ବୋହିଲା ପରି ଖର୍ଚ୍ଚ କରୁଛନ୍ତି। ସହରକୁ କେମିତି ପାଣି ଘେରରୁ ରକ୍ଷା କରିହେବ, ଏଥିପାଇଁ କାହାରି ଦରଦ ନାହିଁ। ବସ୍ତି ବୁଡ଼ିଲେ ଶାସକ ହେଉ କିମ୍ବା ବିରୋଧୀ ରାଜନୈତିକ ଦଳଗୁଡ଼ିକ ପରସ୍ପର ବିରୋଧରେ ଶସ୍ତା ରାଜନୀତି କରନ୍ତି। କେବଳ ଏତିକି ନୁହେଁ ପାଣି ଭିତରେ ନିଜର ପାରିବା ପଣିଆକୁ ଜାହିର କରିବାକୁ ଯାଇ ଫଟୋ ଉଠାନ୍ତି। ହେଲେ ସହରତଳି ବସ୍ତିବାସିନ୍ଦାଙ୍କର ଦୀର୍ଘଦିନର ଏହି ସମସ୍ୟାର କିପରି ସ୍ଥାୟୀ ସମାଧାନ ହେବ, କାହାରି ଆନ୍ତରିକତା ନାହିଁ। ଉଲ୍ଲେଖଯୋଗ୍ୟ, ଗତ ୨୦୧୧ରେ ହୋଇଥିବା ଲଗାଣ ବର୍ଷାରେ ବ୍ରାହ୍ମଣୀର ବନ୍ୟା ପାଣି ସହରକୁ ଭିତରକୁ ପଶିଥିଲା। ପ୍ରାୟ ୩୦୦ରୁ ଅଧିକ ପରିବାର ବନ୍ୟା ପାଣି ଘେରରେ ରହିଥିଲେ। ବସ୍ତିବାସିନ୍ଦାଙ୍କର ଲକ୍ଷ ଲକ୍ଷ ଟଙ୍କାର ଧନ ସମ୍ପତ୍ତି ନଷ୍ଟ ହୋଇଥିଲା। ସେତେବେଳେ ରାଜନୈତିକ ଦଳଗୁଡ଼ିକ ନଦୀବନ୍ଦ କରିବାକୁ ଦାବି କରିଥିଲେ। ଜିଲ୍ଲା ପ୍ରଶାସନ ନଦୀବନ୍ଦ ନିର୍ମାଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ପରବର୍ତ୍ତୀ ସମୟରେ ଭୁଲିଯାଇଥିଲେ। ଅଘଟଣ ଘଟିବା ପୂର୍ବରୁ ଜିଲ୍ଲା ପ୍ରଶାସନ ସହର ପ୍ରମୁଖ ସମସ୍ୟାର ସ୍ଥାୟୀ ସମାଧାନ କରିବାର ଆବଶ୍ୟକତା ରହିଛି।