ମେହେର ସଂପ୍ରଦାୟର ନିଆରା ଦୀପାବଳି, ଆଲୋକ ଦେଖାଇ ପିତୃପୁରୁଷଙ୍କୁ ଦେଇଥାନ୍ତି ବିଦାୟ

ବୀରମହାରାଜପୁର (ଯୁଗଳ ମିଶ୍ର): ଦୀପାବଳିକୁ ବିଭିନ୍ନ ସମ୍ପ୍ରଦାୟର ଲୋକମାନେ ଭିନ୍ନ ଭିନ୍ନ ଢ଼ଙ୍ଗରେ ପାଳନ କରିଥାନ୍ତି। କିନ୍ତୁ ମେହେର ବୁୁଣାକାରମାନଙ୍କ ଏହି ପର୍ବ ପାଳନର ଶୈଳୀ ଟିକିଏ ଅଲଗା। ଦୀପାବଳି ଦିନ ମେହେର ସଂପ୍ରଦାୟର ଲୋକେ ଆଲୋକ ଦେଖାଇ ନିଜର ପିତୃପୁରୁଷଙ୍କୁ ବିଦାୟ ଦେଇଥାନ୍ତି।

ପରିବାରର ସ୍ତ୍ରୀଲୋକମାନେ ସକାଳୁ ସୁଦ୍ଧ ସ୍ନାନ ସାରି ଅରୁଆ ଚାଉଳ ବାଟିଥାନ୍ତି। ଏହାପରେ ତାକୁ ମାଟି ହାଣ୍ଡି ଓ କାଠରେ ଗୁଡଦେଇ ଖଳି ପ୍ରସ୍ତୁତ କରିଥାନ୍ତି। ଏହି ଚାଉଳ ବଟା ଖଳି ଗରମଥିବା ଅବସ୍ଥାରେ ନଡ଼ିଆ ଖୁରାରେ ଗୁଡ଼ ଅଳାଇଚ ଲବଙ୍ଗ କର୍ପୁର ମିଶାଇ ସିଧା ମଣ୍ଡା ଭଳିଆ ସ୍ୱାଦିଷ୍ଟ ପିଠା (ମେହେର ଭାଷାରେ ‘ଗଇଠା’) ତିଆରି କରିଥାନ୍ତି। ଏହାପରେ ସାତଟି ଦ୍ଵୀପରେ ଏକ ଥାଳୀରେ ନିଜର ଇଷ୍ଟ ଦେବତା ଓ ପିତୃପୁରୁଷଙ୍କୁ ଅର୍ପଣ କରିଥାନ୍ତି। ଏଥିରେ ଏକ ଗୀତ ଗାଇଥାନ୍ତି ସାତଥର। ତାଙ୍କ ଭାଷାରେ ପରିବାରର ସମସ୍ତ ସଦସ୍ୟ ଏକାଠି ହୋଇ ଗୀତ ଗାଇଥାନ୍ତି। ‘ରଜା ବାହାବେ ଆବେ, ଖଣ୍ଡ ଖଜା ଖାବେ, ଅନ୍ଧାରେ ଆବେ, ଉଜାଲେ ଛାଡେ, ନଡ଼ିଆ ମହା ପ୍ରସାଦ ଖାବେ, ରଜା ବାହାବେ ଆବେ’ ଘୋଷା ନେଇଥାନ୍ତି ପିଲାମାନେ। ଏହାର ଅର୍ଥ ହେଲା ଆଶ୍ୱୀନ ମାସ କୃଷ୍ଣପକ୍ଷ ବା ଅପରପକ୍ଷରେ ପିତୃପୁରୁଷଙ୍କ ଶ୍ରାଦ୍ଧ କରାଯାଇଥାଏ ସେମାନଙ୍କୁ ନିମନ୍ତ୍ରଣ କରି। ଯେହେତୁ କୃଷ୍ଣପକ୍ଷରେ ଆକାଶ ଅନ୍ଧାର ଥାଏ ପିତୃପୁରୁଷଙ୍କୁ ବିଦାୟ ଦେଇଥାନ୍ତି ମେହେର ସମ୍ପ୍ରଦାୟ।

 ଦୀପାବଳି ଦିନ ଏହି ପିତୃପୁରୁଷଙ୍କୁ ସ୍ୱାଦିଷ୍ଟ ଖାଦ୍ୟ ଗଇଠା ଅର୍ପଣ କରାଯିବାପରେ ଏକ ଆଖୁ ଖଣ୍ଡ ଉପରେ ଉକ୍ତ ଗଇଠା ଓ ଏହାର ଉପରେ ଏକ ଦୀପ ଜାଳି ନିଜ ଘରୁ ବାହାରିଥାନ୍ତି ଗାଁ ଦାଣ୍ଡକୁ। ଗୀତ ଗାଇ ଗାଇ ପିତୃପୁରୁଷଙ୍କୁ ବିଦାୟ ଦେଇଥାନ୍ତି ଗାଁ ମୁଣ୍ଡରେ। ଏଥିରେ ତାଙ୍କ ବିଶ୍ୱାସ ରହିଛି ପିତୃପୁରୁଷ ପରିବାର ଉପରେ ଆଶୀର୍ବାଦ କରିବେ।

ଆଧୁନିକ ଯୁଗର ଯୁବ ସମାଜ ଏବେ ବାଣ ଫୋଟକାରେ ପରିବେଶକୁ ପ୍ରଦୂଷିତ କରୁଥିବା ବେଳେ ମେହେର ସମ୍ପ୍ରଦାୟର ଏହି ନିଆରା ପରମ୍ପରା ଦୀପାବଳିରେ ପିତୃପୁରୁଷଙ୍କୁ ବିଦାୟ ଦେଇ ପ୍ରଦୂଷଣ ମୁକ୍ତ କରିପାରୁଛନ୍ତି। ଏବର୍ଷ କରୋନା କଟକଣା ଯୋଗୁଁ ସମସ୍ତ ପରିବାର ଏକା ସାଙ୍ଗରେ ନବାହାରି କେବଳ ଘରର ମୁଖିଆମାନେ ଏହି କାର୍ଯ୍ୟକ୍ରମ ସାମିଲ ହୋଇଥିବା କେନ୍ଦୁପାଲି ଗ୍ରାମର ଦିନବନ୍ଧୁ ମେହେର କହିଛନ୍ତି।

ସମ୍ବନ୍ଧିତ ଖବର