ରାସନ ସାମଗ୍ରୀ ଆଣିବାକୁ ଯାଇଥିଲେ, ଶବ ହୋଇ ଘରକୁ ଫେରିଲେ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ଅଁଳାଯୋଡି ପଞ୍ଚାୟତରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଜଣେ ମହିଳା ପଞ୍ଚାୟତକୁ ରାସନ ସାମଗ୍ରୀ ଅଣିବାକୁ ଯାଇ ଟଳି ପଡିଲେ ।ସୂଚନା ଅନୁଯାୟୀ ଅଁଳାଯୋଡି ଗ୍ରାମପଂଚାୟତର ବିକ୍ରମପୁର ଗ୍ରାମର ଲାଖାନ ମାଝୀଙ୍କ ସ୍ତ୍ରୀ ମାଇନ ମାଝୀ(୩୫) ସକାଳୁ ରାସନ ସାମଗ୍ରୀ ଆଣିବାକୁ ପଞ୍ଚାୟତକୁ ଯାଇଥିଲେ । ବିଳମ୍ବ ହେବାରୁ ପୁଣି ଘରକୁ ଫେରିଯାଇଥିଲେ ଏବଂ ଅପରାହ୍ନରେ ପୁଣି ପଞ୍ଚାୟତକୁ ଯାଇଥିଲେ ।

ତେବେ ବହୁତ ସମୟ ପର୍ଯ୍ୟନ୍ତ ଚାଉଳ ନପାଇ ଧାଡିରେ ଛିଡା ହୋଇଥିବାରୁ ସେ ସେଠାରେ ଟଳିପଡିଥିଲେ । କିଛି ଲୋକେ ତାଙ୍କୁ ଏକ ଡାଲା ଅଟୋ ସାହାଯ୍ୟରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସ୍ୟାଳୟରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାରିପଦାସ୍ଥିତ ପିଆରଏମ ମେଡିକାଲ କଲେଜକୁ ସ୍ଥାନନାନ୍ତରିତ କରାଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଅଂଶୁଘାତ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ କହିଛନ୍ତି । ତେବେ ଅଁଳାଯୋଡି ପଞ୍ଚାୟତରେ ହିତାଧିକାରୀଙ୍କ ନିମନ୍ତେ ପିଇବା ପାଣି ନଥିବାରୁ ବହୁ ଅସୁବିଧାରେ ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି ।

ସମ୍ବନ୍ଧିତ ଖବର