ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ଦ୍ୱିତୀୟ ବୃହତ୍ତମ ସହର ହେଉଛି ରାଇରଙ୍ଗପୁର । ରାଇରଙ୍ଗପୁର ସହରକୁ ନେଇ ପୌରପରିଷଦ ଗଠନ କରାଯାଇଛି । ତେବେ ସହରର ବିଭିନ୍ନ ସ୍ଥାନରେ ଡ୍ରେନେଜ୍ ବ୍ୟବସ୍ଥା ନ ଥିବାରୁ ଅଧିକାଂଶ ସମୟରେ ସହର ବାସିନ୍ଦା ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ତେବେ ଡ୍ରେନେଜ୍ ବ୍ୟବସ୍ଥା ନ ଥିବାରୁ ଟିକିଏ ବର୍ଷା ହେଲେ ୱାର୍ଡବାସିନ୍ଦାଙ୍କ ଘରେ ପାଣି ପଶି ଯାଉଛି । ଏପରିକି ସହରର ଅଳିଆ ପାଣି ସହିତ ବିଭିନ୍ନ ପ୍ରକାର ବିଷାକ୍ତ କୀଟପତଙ୍ଗ ମଧ୍ୟ ଘର ଭିତରକୁ ପଶିଯାଉଛନ୍ତି । ତେବେ ଲଗାଣ ବର୍ଷା ହେବା ଯୋଗୁଁ ରାଇରଙ୍ଗପୁର ୱାର୍ଡ ନଂ ୬ ରାଉତଖମାର, ଅରବିନ୍ଦ ସ୍କୁଲ, ବାଇଦାପୋଷି, ଠାକୁରାଣୀବେଡା, ଇଚିଣ୍ଡା ସମେତ ଅନ୍ୟ ୱାର୍ଡର ରାସ୍ତା ଗୁଡିକରେ ଟିକିଏ ବର୍ଷା ହେଲେ ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ଆଣ୍ଠୁଏରୁ ଅଧିକ ପାଣି ଜମି ରହିଥାଏ ।

Advertisment

ଯାହାଫଳରେ ଜନସାଧାରଣ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଏହା ବ୍ୟତୀତ ସହରର କିଛିସ୍ଥାନରେ ବାଇକ୍ ପାର୍କିଂ କରାଯାଇଥିବା ସମୟରେ ବାଇକଗୁଡିକ ମଧ୍ୟ ଅଧା ବୁଡିଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଥାଏ । ତେବେ ଏ ସମ୍ବନ୍ଧରେ ସେହି ୱାର୍ଡର ବାସିନ୍ଦା ତଥା ଆଇନଜିବୀ ବିରେନ୍ଦ୍ରନାଥ ମହାନ୍ତ ବାମନଘାଟୀ ଉପଖଣ୍ଡ ସ୍ତରୀୟ ଜନଶୁଣାଣିରେ ମଧ୍ୟ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ବାଧ୍ୟ ହୋଇ ନଗର ଓ ଗୃହ ଉନ୍ନୟନ ସଂସ୍ଥାଙ୍କ ନିକଟରେ ଅଭିଯୋଗ କରିଥିଲେ । ପରବର୍ତୀ ସମୟରେ ୨୨ ଡିସେମ୍ବର ୨୦୨୩ ରେ ରାଇରଙ୍ଗପୁର ପୌରପରିଷଦ ଓ ଆଇନଜିବୀ ଶ୍ରୀଯୁକ୍ତ ମହାନ୍ତଙ୍କ ନିକଟକୁ ନଗର ଓ ଗୃହ ଉନ୍ନୟନ ସଂସ୍ଥା ପକ୍ଷରୁ ନିର୍ଦ୍ଦେଶ ଦିଆଯାାଇଥିଲା ଯେ ଯଥାଶୀଘ୍ର ସେଠାରେ ଡ୍ରେନ୍ ନିର୍ମାଣ କରାଯାଉ ବୋଲି । କିନ୍ତୁ ଚିଠି ଆସିବାର ୬ ମାସ ବିତିଯାଇଥିଲେ ମଧ୍ୟ ପୌରପରିଷଦ ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ । ତେବେ ଯଥାଶୀଘ୍ର ଡ୍ରେନେଜ୍ ଓ ରାସ୍ତା ନିର୍ମାଣ କରାଯାଉ ବୋଲି ସହର ବାସିନ୍ଦା ଦାବି କରିଛନ୍ତି ।