କରୋନା ସଂଗ୍ରାମରେ ଅନ୍ନଦାତ୍ରୀ ପାର୍ବତୀ, ଗାଁ ଗଣ୍ଡାରେ ବୁଲି ବିକୁଛନ୍ତି ନିଜ କ୍ଷେତର ପରିବା

ରାଇରଙ୍ଗପୁର: କରୋନା ପ୍ରକୋପରେ ସବୁଠୁ ବେଶୀ ପ୍ରଭାବିତ ହୋଇଛି ବଜାର। ଚାଷୀଙ୍କ କ୍ଷେତ ପନିପରିବା ଏବେ ଗ୍ରାହକଙ୍କ ପାଖରେ ପହଞ୍ଚି ପାରୁନାହିଁ। ଗାଁ ଗଣ୍ଡାରେ ଅଧିକାଂଶ ସାପ୍ତାହିକ ହାଟ ବନ୍ଦ ରହୁଥିବା ବେଳେ ଚାଷୀ ତାଙ୍କ କ୍ଷେତର ପନିପରିବା ବିକ୍ରି କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ଘଡ଼ିସନ୍ଧି ସମୟରେ ଅନ୍ନଦାତ୍ରୀ ସାଜିଛନ୍ତି ଆଦିବାସୀ ମହିଳା ଚାଷୀ ପାବର୍ତୀ ମାଝୀ। ମୟୂରଭଞ୍ଜ ଜିଲ୍ଲାର ଉପାନ୍ତବର୍ତ୍ତୀ ରାଇରଙ୍ଗପୁର ବ୍ଲକ ବାଲିଆବାଦି ଗ୍ରାମର ପାର୍ବତୀ ପାଖାପାଖି ଅଢ଼େଇ ଏକର ଜମିରେ ମିଶ୍ରିତ କୃଷି କରି ଆସୁଛନ୍ତି। କ୍ଷେତରୁ ବାହାରୁ ଥିବା ପନିପରିବା ଓ ତାଜା ଫଳକୁ ଗାଁ ଗଣ୍ଡାରେ ଲୋକଙ୍କ ପାଖରେ ପହଞ୍ଚାଇ ଦେଉଛନ୍ତି। କ୍ଷେତରେ ଚାଷବାସଠାରୁ ଆରମ୍ଭ କରି ବଜାରରେ ବିକ୍ରିବଟା ପର୍ଯ୍ୟନ୍ତ ସବୁଥିରେ ସାମାଜିକ ଦୂରତ୍ବ ବଜାୟ ରଖି ଅଞ୍ଚଳବାସୀଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।

ମୟୂରଭଞ୍ଜ ଜିଲ୍ଲାର ଉପାନ୍ତବର୍ତ୍ତୀ ରାଇରଙ୍ଗପୁର ବ୍ଲକ ବାଲିଆବାଦି ଗ୍ରାମର ରାଉଁଦେ ମାଝୀଙ୍କ ଝିଅ ପାର୍ବତୀ। ହାଡ଼ଭଙ୍ଗା ପରିଶ୍ରମ କରି ଟାଙ୍ଗର ଭୂମିରେ ସୁନା ଫଳାଇ ଚାଲିଛନ୍ତି ପାର୍ବତୀ। ମିଶ୍ରିତ କୃଷି କ୍ଷେତ୍ରରେ ତାଙ୍କୁ ମିଳିଛି ଅନେକ ସଫଳତା। କେବଳ ତାଜା ପନିପରିବା ଚାଷ ନୁହଁ; କଦଳୀ, ଅମୃତଭଣ୍ଡା ଓ ଆମ୍ବ ଭଳି ଫଳ ଚାଷ ମଧ୍ୟ କରିଛନ୍ତି। ସବୁକ୍ଷେତ୍ରରେ ଉନ୍ନତ ଜ୍ଞାନକୌଶଳରେ ଚାଷବାସ କରି ଗ୍ରାମାଞ୍ଚଳରେ ସବୁଜ ବିପ୍ଳବର ବାର୍ତ୍ତା ବାଣ୍ଟୁଥିବା ପାର୍ବତୀଙ୍କ ପାଇଁ କରୋନା ଆଉ ଏକ ଚ୍ୟାଲେଞ୍ଜ ଆଣିଛି। ‌

କ୍ଷେତର ପନିପରିବା ବିକ୍ରିବଟା ପାଇଁ ବଜାର ହରାଇ ବସିବା ପରେ ନିଜେ ଗାଁ ଗଣ୍ଡାକୁ ଯାଇ ଲୋକଙ୍କ ଘରେ ତାଜା ପନିପରିବା ଯୋଗାଇ ଚାଲିଛନ୍ତି। କରୋନା ଭଳି ମାରାତ୍ମକ ଭୂତାଣୁ ସଂସ୍ପର୍ଶରେ ଯେମିତି କେହି ନଆସନ୍ତୁ ସେନେଇ ସାମାଜିକ ଦୂରତ୍ବ ମଧ୍ୟ ବଜାୟ ରଖୁଛନ୍ତି। କ୍ଷେତ କାମ ହେଉ ଅବା ପନିପରିବା ଅମଳ ସମୟରେ ଦୁଇ ମିଟର ବ୍ୟବଧାନରେ ରହି କାମ କରିବା ସହ ସାମାଜିକ ଦୂରତ୍ବର ବାର୍ତ୍ତା ମଧ୍ୟ ଦେଉଛନ୍ତି। ତୃଣମୂଳ ସ୍ତରରେ କରୋନା ଲଢ଼େଇରେ ଅନ୍ନଦାତା ଏବେ ଜୀବନଦାତା ସାଜିଥିବା ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶଂସାର ପାତ୍ର ହୋଇଛନ୍ତି।

ସମ୍ବନ୍ଧିତ ଖବର