ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁରର ଜଣେ ଯୁବକ ପାଠ ପଢ଼ି ଚାକିରି କରିବା ସ୍ବପ୍ନ ନେଇ ପରୀକ୍ଷା ଦେବାପାଇଁ ଭୁବନେଶ୍ବର ଯାଇଥିଲେ କିନ୍ତୁ ବିଧିରବିଧାନ ହେଲା ଅଲଟା। ଘରକୁ ଫେରିବା ବାଟରେ ନଦୀ ଗାଧେଇବା ପାଇଁ ଯାଇ ନଦୀରେ ବୁଡି ମୃତ୍ୟୁବରଣ କରିଛନ୍ତି।
ସୂଚନା ଅନୁଯାୟୀ, ରାଇରଙ୍ଗପୁର ସହର ନିକଟସ୍ଥ କୁଚେଇବୁଢୀ ଗ୍ରାମର ଆୟୁଷ ଡାକ୍ତର ଆଶିଷ କୁମାର ଗିରିଙ୍କ ବଡ ପୁଅ ତାରିଣୀ ପ୍ରସାଦ ଗିରି (୧୮) ୪ ଜଣ ସାଙ୍ଗମାନଙ୍କ ସହ ଓଡିଶା ଜଏଣ୍ଟ ଇନଣ୍ଟ୍ରାନ୍ସ ପରୀକ୍ଷା ଦେବା ପାଇଁ ସୁଦୂର ଭୁବନେଶ୍ବର ୧୧ ତାରିଖ ରାତିରେ ବାହାରିଥିଲେ। ୧୨ ତାରିଖ ସେମାନେ ପରୀକ୍ଷା ଦେଇଥିଲେ। ତାପରେ ସେମାନେ ଫେରିବା ବେଳେ ବାଟରେ କାଠଯୋଡି ନଦୀରେ ଗାଧୋଇବା ପାଇଁ ଯାଇଥିଲେ। କିନ୍ତୁ ତାରିଣୀପ୍ରସାଦ ନଦୀର ଗଣ୍ଡ ଭିତରେ ପଶିଯାଇ ବୁଡିଯାଇଥିଲେ। ତାପରେ ସାଙ୍ଗମାନଙ୍କ ସାହାଯ୍ୟରେ କଟକ ବଡ଼ମେଡିକାଲକୁ ଅଣାଯାଇଥିଲା। ସେଠାରେ ଡାକ୍ତର ମୃତ ବୋଲି ଘୋଷଣା କରିବା ପରେ ତାଙ୍କର ଶରୀର ବ୍ୟବଛେଦ କରାଯାଇଥିଲା।ଆଜି ସଂନ୍ଧ୍ୟା ସମୟରେ ଶବ ତାଙ୍କ ଘରେ ପହଞ୍ଚିଥିଲା। ଏହି ଘଟଣା ନେଇ ରାଇରଙ୍ଗପୁରସ୍ତ କୁଚେଇବୁଢୀ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।