ରାଉରକେଲା: ସହରର ବିଭିନ୍ନ ପ୍ରମୁଖ ଅଞ୍ଚଳ ହେଉ ଅବା ବସ୍ତି; ପ୍ରାୟ ସବୁଠାରେ ନିଶା ବେପାର ଅନିୟନ୍ତ୍ରିତ। ନିୟମିତ ବ୍ୟବଧାନରେ ନକଲି ବିଦେଶୀ ମଦଠାରୁ ଆରମ୍ଭକରି ଡ୍ରଗ୍ସ, ଗଞ୍ଜେଇ, ଦେଶୀ ମଦ ପର୍ଯ୍ୟନ୍ତ; ପ୍ରାୟ ସବୁ ପ୍ରକାର ନିଶାଦ୍ରବ୍ୟ ଉପଲବ୍ଧ। ଏକାଧିକ ଛୋଟବଡ଼ ନିଶା ବେପାରି ଏବେ ଛତୁ ଫୁଟିଲା ଭଳି ମାତିଗଲେଣି। ବିଶେଷକରି ପ୍ଲାଣ୍ଟ୍‌ସାଇଟ୍‌ ଥାନା ଅନ୍ତର୍ଗତ ଅଞ୍ଚଳ ଏବେ ନିଶା ବେପାରିଙ୍କ ପେଣ୍ଠସ୍ଥଳୀ ପାଲଟିଛି। ପ୍ଲାଣ୍ଟ୍‌ସାଇଟ ଥାନା ଅନ୍ତର୍ଗତ ମହତାବନଗରର ଜଣେ ଅଭିଯୁକ୍ତ ପାଖରୁ ଏବେ ପୁଣି ଜଣେ ନିଷିଦ୍ଧ ନିଶା ଦ୍ରବ୍ୟ ‘ହିରୋଇନ’ ଜବତ ହୋଇଛି। ମୋଟ୍‌ ୭୫.୭୮ ଗ୍ରାମ ହିରୋଇନ ଜବତ ହୋଇଥିବାବେଳେ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ସାଢ଼େ ୩ ଲକ୍ଷ ଟଙ୍କା ହେବ।

୭୫.୭୮ ଗ୍ରାମ ହିରୋଇନ ଜବତ

ମହତାବ ରୋଡ୍‌ର ଇମ୍ରାନ ଆଲମ ଗିରଫ

Advertisment

ଅଭିଯୁକ୍ତ ଇମ୍ରାନ ଆଲମ(୨୪) ବେଶ୍‌ କିଛି ବର୍ଷ ହେଲା ନିଶା କାରବାରରେ ଜଡ଼ିତ ଅଛି। ଅଭିଯୁକ୍ତ କୁଆଡ଼େ ରାଉରକେଲାରୁ ବିଶ୍ରା, ରାଜାଗାଙ୍ଗପୁର, ସୁନ୍ଦରଗଡ଼ ଆଡ଼କୁ ଡ୍ରଗ୍ସ ଚୋରାଚାଲାଣ କରିଥାଏ। ରବିବାର ଅପରାହ୍ନ ପ୍ରାୟ ୪ଟା। ଇମ୍ରାନ ତା’ ଅଟୋ(ଓଡି-୧୪-ଜି-୪୯୬୪)ରେ ବନ୍ଧମୁଣ୍ଡାରୁ ବିଶ୍ରାକୁ ହିରୋଇନ ଚୋରାଚାଲାଣ କରୁଥିଲା। ଏନେଇ ସୂଚନା ପାଇ ବନ୍ଧମୁଣ୍ଡା ପୁଲିସ କପାଟମୁଣ୍ଡାରେ ଅଭିଯୁକ୍ତ ଗିରଫ କରିବାକୁ ଆଗରୁ ଜଗି ରହିଥିଲା। ପରେ ଅଭିଯୁକ୍ତ କପାଟମୁଣ୍ଡାରେ ପହଞ୍ଚିଲାପରେ ତାକୁ କାବୁ କରିନେଇଥିଲେ। ଗତକାଲି ଅଟକ ରଖି ପଚରାଉଚରା କରିଥିଲେ ମଧ୍ୟ ଅଭିଯୁକ୍ତ ମୁହଁ ଖୋଲିନଥିବା ଜଣାପଡ଼ିଛି। ଅଭିଯୁକ୍ତକୁ ଆଜି ଗିରଫକରି କୋର୍ଟଚାଲାଣ କରାଯାଇଛି।

ଉଲ୍ଲେଖଯୋଗ୍ୟ, ଗତ ୨୧ ତାରିଖରେ ପ୍ରାୟ ୨୦ ଲକ୍ଷ ୪୫ ହଜାର ୨ ଶହ ଟଙ୍କାର ବ୍ରାଉନସୁଗାର୍‌ ଜବତ ହୋଇଥିଲା। ଝାରସୁଗୁଡ଼ାର ଦୁଇ ବେପାରି ରାଜୀବ ବେହେରା(୩୩) ଓ ଅଙ୍କୁଶ ଭଗତ(୩୧) ରାଉରକେଲାର ଜଣେ ମାଫିଆଠାରୁ ପ୍ରାୟ ୨୦୪.୪୨୦ ଗ୍ରାମ୍‌ ବ୍ରାଉନସୁଗାର କିଣିଥିଲେ। ଏହାକୁ ଝାରସୁଗୁଡ଼ାକୁ ଚାଲାଣକରି ସେଠାକାର ଛୋଟ ଛୋଟ ବେପାରିଙ୍କୁ ବିକ୍ରି କରିବାକୁ ଯୋଜନା କରିଥିଲେ। ଝାରସୁଗୁଡ଼ାକୁ ଟ୍ରେନ୍‌ରେ ଚୋରାଚାଲାଣ ପାଇଁ ରେଳ ଷ୍ଟେସନରେ ପହଞ୍ଚିଥିଲେ। ଟ୍ରେନ୍‌ ପହଞ୍ଚିବାକୁ କିଛି ସମୟ ବାକିଥିବାରୁ ଉଭୟେ ରେଳ ଷ୍ଟେସନ ସମ୍ମୁଖରେ ଥିବା ପାର୍କରେ ଛିଡ଼ା ହୋଇଥିଲେ। ଏନେଇ ସୂଚନା ପାଇ ଅବକାରୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଗିରଫ କରିଥିଲା। ସହରରେ ଅବାଧରେ ନକଲି ବିଦେଶୀ ମଦ, ଦେଶୀ ମଦ, ଗଞ୍ଜେଇ ବେପାର ଚାଲିଥିବାବେଳେ ଏବେ ନିଷିଦ୍ଧ ଡ୍ରଗ୍ସ ବିକ୍ରି ମଧ୍ୟ ବେଲଗାମ ହେବାରେ ଲାଗିଛି। ଏହା ଉପରେ ଅଙ୍କୁଶ ଲଗାଇବା ଅବସମ୍ଭବ୍ୟାବୀ ହୋଇପଡ଼ିଛି।