ଏନ୍ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦ୍ରୌପଦୀ ମୁର୍ମୁଙ୍କ ନାମ ଘୋଷଣା ହେବାପରେ ମୟୂରଭଞ୍ଜ ରାଜନୀତିରେ ଏକ ନୂଆ ଅଧ୍ୟାୟ ଯୋଡ଼ିହୋଇଯାଇଛି। ବିଶେଷକରି, ସ୍ବାଧୀନତା ପରବର୍ତ୍ତୀକାଳରେ ରାଜନୈତିକ କ୍ଷେତ୍ରରେ ସଫଳତା ହାସଲ କରିଥିବା ରାଜନେତାମାନଙ୍କ ମଧ୍ୟରେ ତାଙ୍କର ସ୍ଥାନ ଶୀର୍ଷରେ ପହଞ୍ଚିଛି। ପ୍ରାକ୍ ସ୍ବାଧୀନତା କାଳରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ କେବଳ ମୟୂରଭଞ୍ଜ କାହିଁକି, ସାରାରାଜ୍ୟରେ ଜଣେ ସର୍ବମାନ୍ୟ ରାଜନୈତିକ ବ୍ୟକ୍ତିତ୍ବ ଭାବେ ପରିଗଣିତ ହୋଇଥିଲେ। ୧୯୫୧ ମସିହାରେ ଦେଶରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ଅଶୀଦଶକୁ ପରଠାରୁ ରାଜନୈତିକ କ୍ଷେତ୍ରରେ ଜିଲ୍ଲାର ଗୁରୁତ୍ବ ବୃଦ୍ଧି ପାଇଥିଲେ। ସେହିସମୟରେ ଜିଲ୍ଲାରେ ଯେଉଁ କେତେଜଣ ରାଜନେତା ନିଜର ପ୍ରଭାବ ଓ ପ୍ରତିଷ୍ଠା ବଳରେ ଚର୍ଚ୍ଚାରେ ରହିଥିଲେ, ସେମାନଙ୍କ ମଧ୍ୟରେ ଭାଗେ ଗୋବର୍ଦ୍ଧନ ଥିଲେ ଅନ୍ୟତମ। ସେ ୧୯୮୫ ମସିହାରେ ପ୍ରଥମେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ ୧୯୮୯ ଓ ୧୯୯୧ ମସିହାରେ ସେ ଦୁଇଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଏବଂ କେନ୍ଦ୍ର ମାନବ ସମ୍ବଳ ବିକାଶ ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟତ୍ବ ବହନ କରିଥିଲେ। ଅନ୍ୟ ଯେଉଁ ରାଜନେତା ଅନୁରୂପ ଭାବେ ସେତେବେଳେ ଚର୍ଚ୍ଚାର ପରିସରକୁ ଆସିଥିଲେ, ସେ ହେଉଛନ୍ତି ସୁଶୀଳା ତିରିଆ। ଶ୍ରୀମତୀ ତିରିଆ ୧୯୮୬ ମସିହାରେ ପ୍ରଥମେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ଏବଂ ଭାରତୀୟ ଯୁବ କଂଗ୍ରେସର ସାଧାରଣ ସମ୍ପାଦିକା ଭାବେ କାର୍ଯ୍ୟ କରିଥିଲେ। ୧୯୯୪ ମସିହା ଦଶମ ଲୋକସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରି ବିଜୟ ହାସଲ କରିଥିଲେ। ୨୦୧୯ ମସିହାରେ ପ୍ରଥମଥର ଲୋକସଭାକୁ ନିର୍ବାଚିତ ହୋଇ ଏବେ କେନ୍ଦ୍ରରେ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି ବିଶ୍ବେଶ୍ବର ଟୁଡ଼ୁ। ମନ୍ତ୍ରୀ ଭାବେ ଜାତୀୟ ସ୍ତରରେ ମଧ୍ୟ ତାଙ୍କର ଗୁରୁତ୍ବ ରହିଛି।
/sambad/media/post_attachments/wp-content/uploads/2022/06/f65sh4sf65h4fhs654f65hfh.jpg)
ଜାତୀୟ ସ୍ତରର ଭଳି ରାଜ୍ୟ ରାଜନୀତିରେ ନିଜର ପ୍ରଭାବ ଓ ପଦବି ପାଇଁ ସାରା ମୟୂରଭଞ୍ଜ ଜିଲ୍ଲାରେ ସର୍ବମାନ୍ୟ ନେତାଭାବେ କେତେଜଣ ମାର୍ଯ୍ୟାଦା ଲାଭ କରିଥିଲେ। ସେମାନଙ୍କ ମଧ୍ୟରେ ସର୍ବାଗ୍ରେ ଥିଲେ ପ୍ରସନ୍ନ କୁମାର ଦାଶ। ସେ ୯ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ମନ୍ତ୍ରୀ ପଦ ସହିତ ବିଧାନସଭା ବାଚସ୍ପତି ପଦ ଅଳଙ୍କୃତ କରିଥିଲେ। ସତୁରୀ, ଅଶି ଦଶକ ବେଳକୁ କୁଅଁାରିଆ ମାଝୀ ବି ଚର୍ଚ୍ଚାରେ ଥିଲେ। ସେ ୩ଥର ବିଧାୟକ ଭାବେ ନିର୍ବାଚିତ ହେବାସହିତ ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ନବେଦଶକରେ ରାଜନୀତିରେ ବେଶ୍ ସକ୍ରିୟ ଅଂଶଗ୍ରହଣ କରି ଚୈତନ୍ୟ ମାଝୀ ୩ଥର ବିଧାୟକ ଭାବେ ନିର୍ବାଚିତ ହେବାସହିତ ଶିକ୍ଷାଭଳି ଗୁରୁତ୍ବପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ହୋଇଥିଲେ। ଦ୍ରୌପଦୀ ମୁର୍ମୁ, ସୁଶୀଳା ତିରିଆଙ୍କ ଭଳି ଅନ୍ୟଜଣେ ମହିଳା, ଯିଏକି ରାଜନୀତିରେ ବେଶ୍ ସଫଳ ହୋଇଥିଲେ, ସେ ହେଉଛନ୍ତି ସରସ୍ବତୀ ହେମ୍ବମ୍। ସେ ଭାରତୀୟ ଜାତୀୟ କଂଗ୍ରେସରୁ ୩ଥର ବିଧାୟିକା ଭାବେ ନିର୍ବାଚିତ ହୋଇଥିବାବେଳେ ରାଜ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ। ସୁଦାମ ମାରାଣ୍ଡି ୨୦୦୪ ମସିହାରେ ଥରେ ଲୋକସଭାକୁ ନିର୍ବାଚିତ ହୋଇଥିବାବେଳେ ୫ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଏବଂ ରାଜ୍ୟ ମନ୍ତ୍ରିମଣ୍ଡଳରେ ଗୁରୁତ୍ବପୂର୍ଣ୍ଣ ପଦରେ ରହିଥିଲେ।। ଜିଲ୍ଲାର ଅନ୍ୟ ଯେଉଁମାନେ ମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ସେମାନଙ୍କ ମଧ୍ୟରେ ରହିଛନ୍ତି; ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ (୨ଥର ବିଧାୟକ) , ସରୋଜିନୀ ହେମ୍ବ୍ରମ୍ (ଥରେ ବିଧାୟିକା), ଗୋଲକ ବିହାରୀ ନାଏକ (୩ଥର ବିଧାୟକ) । ସେହିଭଳି, ୩ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ସାନନ୍ଦ ମାରାଣ୍ଡି ଉପବାଚସ୍ପତି ପଦ ମଣ୍ଡନ କରିଥିଲେ।
ଏମାନଙ୍କ ବ୍ୟତୀତ ଆହୁରି କେତେଜଣ ରାଜନେତା କେବଳ ମୟୂରଭଞ୍ଜ ଜିଲ୍ଲାରେ ଚର୍ଚ୍ଚାର ପରିସରକୁ ଆସିନଥିଲେ, ରାଜ୍ୟ ରାଜନୀତିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ତେଣୁ, ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷିତ ହେବାପରେ ମୟୂରଭଞ୍ଜ ଜିଲ୍ଲା ଏବେ ରାଜନୈତିକ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/sfhsfhf65s4hsf65h65sfhfshh.jpg)